ମେ ୧୬ । ୫ ବର୍ଷ ପୂର୍ବେ ଆଜିର ଦିନରେ ଆସିଥିଲା ମୋଦି ସୁନାମୀ, ଧ୍ୱସ୍ତବିଧ୍ୱସ୍ତ ହୋଇଥିଲା ବିରୋଧୀ ଶିବିର । ପୂରା ଦେଶରେ ଫୁଟିଥିଲା ପଦ୍ମ ।

276

୧୬ ମେ ୨୦୧୯ । ଆଜି ତାରିଖଟି ବିଜେପି ଶିବିର ପାଇଁ ବେଶ ଖାସ୍ । କାରଣ ଆଜକୁ ଠିକ୍ ୫ ବର୍ଷ ପୂର୍ବେ ଦେଶରେ ଦେଖିବାକୁ ମିଳିଥିଲା ମୋଦି ଝଡ । ମୋଦିଙ୍କ ନେତୃତ୍ୱରେ ବିପକ୍ଷ ଶିବିରକୁ ଧରାଶାୟୀ କରି ଦେଶରେ ଗେରୁଆ ବାନା ଉଡାଇଥିଲା ବିଜେପି । ତିନି ଦଶକ ପରେ ଦେଶରେ କୌଣସି ଦଳକୁ ସ୍ପଷ୍ଟ ବହୁମତ ଦେଇଥିଲେ ଜନତା । ଦେଶରେ ଅଧିକାଂଶ ସ୍ଥାନରେ ଫୁଟିଥିଲା ପଦ୍ମ ।

୧୯୮୪ ପରେ ଗଠବନ୍ଧନ ସରକାର ଜାଲରେ ଦେଶ ଛନ୍ଦି ହୋଇ ରହିଥିବା ବେଳେ ୨୦୧୪ରେ ଏଥିରୁ ମୁକୁଳିଥିଲା । ପ୍ରଥମ ଥର ପାଇଁ କୌଣସି ଦଳ ଏକାକୀ ସରକାର ଗଢିବା ପାଇଁ ମ୍ୟାଜିକ ନମ୍ବର ହାତେଇଥିଲା । ନିର୍ବାଚନ ପୂର୍ବରୁ ୟୁପିଏ ସରକାର ବିରୋଧରେ ଜନ ଅସନ୍ତୋଷ ରହିଥିଲା ସତ କିନ୍ତୁ ତାହା ଏତେ ମାତ୍ରାରେ ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିବ ତାହାର କଳ୍ପନା ସୁଦ୍ଧା କେହି କରିନଥିଲେ । ବିଜେପି ବଡ ଦଳ ଭାବେ ସାମ୍ନାକୁ ଆସିବ ଏକଥା ନିର୍ବାଚନ ସମୟରୁ ହିଁ ଜଣାପଡିଥିଲା । କିନ୍ତୁ ଏକାକୀ ସଂଖ୍ୟା ଗରିଷ୍ଠତା ହାସଲ କରିବ ଏହାର କଳ୍ପନା ସୁଦ୍ଧା କେହି କରିନଥିଲେ । ସମସ୍ତ ଆକଳନକୁ ଭୁଲ ପ୍ରମାଣିତ କରି ବିରୋଧୀ ଶିବିରକୁ ଧ୍ୱସ୍ତ ବିଧ୍ୱସ୍ତ କରି ଶାସନର ମଙ୍ଗ ନିଜ ହାତକୁ ନେଇଥିଲା ବିଜେପି ।

ନିର୍ବାଚନ ସମୟରେ ଗୋଟିଏ ପଟେ ସରକାରୀ ବିରୋଧୀ ହାୱା ଓ ଅନ୍ୟପଟେ ମୋଦି ଲହର ଦେଖିବାକୁ ମିଳିଥିଲା ଯାହାର ପ୍ରଭାବ ସିଧାସଳଖ ନିର୍ବାଚନ ଫଳାଫଳ ଉପରେ ପଡିଥିଲା । କାରଣ ପୂର୍ବରୁ ୧୦ ବର୍ଷ ଧରି ଦେଶର ଶାସନର ମଙ୍ଗ ଧରିଥିବା ମନମୋହନ ସରକାରରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଥିଲା । ୨ଜି, କୋଇଲା, କମନୱେଥ ଭଳି ଦୁର୍ନୀତି ଜାଲରେ ବାନ୍ଧି ହୋଇସାରିଥିଲା କଂଗ୍ରେସ । ଯେଉଁଠୁ ବାହାରିବା କଂଗ୍ରେସ ପାଇଁ ସହଜ ନଥିଲା । ଆଉ ଏହି ସମୟରେ କଂଗ୍ରେସ ପାଇଁ ବଡ ସଙ୍କଟ ସାଜି ଉଭା ହୋଇଥିଲେ ଆନ୍ନା ହଜାରେ । ଭାରତକୁ ଦୁର୍ନୀତିମୁକ୍ତ କରିବା ପାଇଁ ୨୦୧୧ରୁ ଆନ୍ନା ଆରମ୍ଭ କରିଥିଲେ ଆନ୍ଦୋଳନ । ଆଉ ଦିଲ୍ଲୀରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନର ପ୍ରଭାବ ପଲ୍ଲୀରେ ପହଞ୍ଚିବାକୁ ସମୟ ଲାଗିନଥିଲା । ଭୋଟରଙ୍କ ମନରେ ସରକାର ବିରୋଧୀ ହାୱା ଭରିବାକୁ ଏହି ଆନ୍ଦୋଳନ ଯଥେଷ୍ଟ ଥିଲା ।

ଆନ୍ନାଙ୍କ ଏହି ଆନ୍ଦୋଳନ ବିଜେପି ପାଇଁ ବରଦାନ ସଦୃଶ ହୋଇଥିଲା । ମୌକା ଦେଖି ଚୌକା ମାରିବା ନୀତିରେ ବିଜେପି ଏହି ସମୟରେ ପ୍ରଧାନମନ୍ତ୍ରୀ ପଦ ପାଇଁ ନୂଆ ଚେହେରା ଭାବେ ନରେନ୍ଦ୍ର ମୋଦିଙ୍କୁ ସାମ୍ନାକୁ ଆଣି ନିର୍ବାଚନ ଋଣାଙ୍ଗନକୁ ଓହ୍ଲାଇଥିଲା । ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆକ୍ରମଣାତ୍ମକ ପ୍ରଚାର ଆରମ୍ଭ କରିଥିଲା ବିଜେପି । ନିର୍ବାଚନ ସଭାରେ ଅଚ୍ଛେଦିନ , କଳାଧନ ଫେରାଇ ଆଣିବା, ନୂଆ ଭାରତର ଗଠନ, ଗୁଜୁରାଟ ବିକାଶ ମଡେଲ, ଯୁବବର୍ଗଙ୍କୁ ନିଯୁକ୍ତିର ସ୍ୱପ୍ନ ଦେଖାଇ ଭୋଟରଙ୍କ ମନ ଜିଣିବା ସହ କଂଗ୍ରେସକୁ ବ୍ୟାକଫୁଟକୁ ଠେଲି ଦେଇଥିଲା । କଂଗ୍ରେସ ବିରୋଧରେ ଥିବା ସରକାରୀ ବିରୋଧୀ ହାୱା ମୋଦି ହାୱାରେ ପରିଣତ ହେବାକୁ ବେଶି ସମୟ ଲାଗିନଥିଲା । ଆଉ ଏହି ହାୱା ଭୋଟରଙ୍କୁ ମଧ୍ୟ ବେଶ ପ୍ରଭାବିତ କରିଥିଲା । ଯାହାର ଝଲକ ଭୋଟବାକ୍ସରେ ଦେଖିବାକୁ ମିଳିଥିଲା । କିନ୍ତୁ ସରକାର କିଏ ଗଢିବ ତାହା ଭୋଟଗଣତି ପର୍ଯ୍ୟନ୍ତ ସସପେନ୍ସରେ ରହିଥିଲା ।

୧୬ ମେ ୨୦୧୪ । ଖୋଲିଥିଲା କୁହୁକ ପେଡି । କ୍ଷମତା ସିଂହାସନରେ କିଏ ବସିବ ତାହାର ନିର୍ଣ୍ଣୟ ହୋଇଥିଲା । ୨୮୨ ସିଟ୍ ସହ ସବୁଠୁ ବଡ ଦଳ ଭାବେ ସାମ୍ନାକୁ ଆସିଥିଲା ବିଜେପି । ଆଉ ସହଯୋଗୀ ଦଳର ଆସନକୁ ମିଶାଇ ଏନଡିଏର ଆସନ ସଂଖ୍ୟା ପହଞ୍ଚିଥିଲା ୩୩୬ରେ । ସରକାର ଗଢିବାକୁ ମ୍ୟାଜିକ ନମ୍ବର ଠାରୁ ବିଜେପି ଢେର ଆଗରେ ରହିଥିଲା । ସଂଖ୍ୟା ଗଣିତରେ ବାଜି ମାରି ନେଇଥିଲା ବିଜେପି । ଏହି ଫଳାଫଳ ବିଜେପି ପାଇଁ ନୂଆ ଯୁଗର ଆରମ୍ଭ କରିଥିବା ବେଳେ କଂଗ୍ରେସ ପାଇଁ ଆଣିଥିଲା ଘୋର ବିପର୍ଯ୍ୟୟ । ମାତ୍ର ୪୪ଟି ସିଟ୍ ସହ ଶାସନ କ୍ଷମତାରୁ ବିଦା ହୋଇଥିଲା କଂଗ୍ରେସ । ଏପରିକି ବିରୋଧୀ ସିଟରେ ବସିବା ପାଇଁ ମଧ୍ୟ କଂଗ୍ରେସକୁ ଆବଶ୍ୟକୀୟ ଆସନ ଦେଇନଥିଲେ ଜନତା । ଆଉ ଏହିଠାରୁ ବିଜେପିରେ ଆରମ୍ଭ ହୋଇଥିଲା ମୋଦି ଯୁଗ । କିନ୍ତୁ ୨୦୧୪ରେ ବିଜେପି ଯେଉଁ ସଫଳତା ପାଇଥିଲା ପୁଣିଥରେ ୨୦୧୯ରେ ତାହାର ପୁନରାବୃତ୍ତି କରିପାରିବ କି? ଏଭଳି ପ୍ରଶ୍ନର ଉତ୍ତର ଜାଣିବାକୁ ମେ ୨୩ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ ।