କାଳ ହେଲା ସନ୍ତରଣ କୋଚିଂ। କୋଚ ଓ ଡାଇଭରଙ୍କ ଅବହେଳାରୁ ସୁଇମିଂ ପୁଲରେ ବୁଡି ଚାଲିଗଲା କୁନି ଝିଅର ଜୀବନ

61

କନକ ବ୍ୟୁରୋ: କାଳ ହେଲା ସନ୍ତରଣ କୋଚିଂ । ସୁଇମିଂ ପୁଲରେ ବୁଡିଗଲେ ୫ବର୍ଷୀୟ ଝିଅ । ମୁମ୍ବାଇର ଭାବା ଆଟମିକ ରିସର୍ଚ୍ଚ ସେଂଟର କମପ୍ଲେକ୍ସରେ ଥିବା ସୁଇମିଂ ପୁଲରେ ସନ୍ତରଣ କୋଚିଂ ନେଉଥିବା ବେଳେ ଜଣେ ୫ବର୍ଷୀୟ ଛାତ୍ରୀ ପାଣିରେ ବୁଡି ମୃତ୍ୟୁ ମୁଖରେ ପଡିଛନ୍ତି । ମୃତକ ଜଣକ ଆଟମିକ ଏନର୍ଜି ସେଂଟ୍ରାଲ ସ୍କୁଲର ପ୍ରଥମ ଶ୍ରେଣୀର ଛାତ୍ରୀ ଅନୁଷ୍କା ଶର୍ମା ।

ଶୁକ୍ରବାର ଦିନ ପ୍ରାୟ ଦିନ ସାଢେ ୩ଟା ବେଳେ ଅନୁଷ୍କା ଭାବା ଆଟମିକ ରିସର୍ଚ୍ଚ ସେଂଟର କମପ୍ଲେକ୍ସରେ ଥିବା ସୁଇମିଂ ପୁଲରେ ପହଂଚି ପୁଲରେ ସନ୍ତରଣ ଅଭ୍ୟାସ କରିଥିଲେ । ଏହାର ପ୍ରାୟ ଅଧ ଘଂଟା ପରେ ସୁଇମିଂ ପୁଲରୁ ତାଙ୍କ ମୃତ ଶରୀର ଭାସୁଥିବାର ଦେଖିବାକୁ ମିଳିଥିଲା । ଏହି ଘଟଣାକୁ ନେଇ ଅନୁଷ୍କାଙ୍କ ପରିବାର ଲୋକେ କୋଚ୍ଙ୍କ ଉପରେ ଅଭିଯୋଗ ଆଣିଛନ୍ତି । ପିଲାଙ୍କୁ ସନ୍ତରଣ ତାଲିମ ଦେଉଥିବାବେଳେ କୋଚ୍ ଓ ୫ରୁ ୬ ଜଣ ଡାଇଭର ଉପସ୍ଥିତ ରହନ୍ତି ।

ତେବେ କେମିତି କେହି ଅନୁଷ୍କାଙ୍କୁ ଦେଖିପାରିଲେ ନାହିଁ ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଅନୁଷ୍କାଙ୍କ ବାପା ଜଣେ ବୈଜ୍ଞାନିକ ଭାବେ କାର୍ଯ୍ୟରତ । ତେବେ କର୍ତୃପକ୍ଷଙ୍କ ଅବହେଳାରୁ ଏପରି ଅଘଟଣ ଘଟିଥିବା ତାଙ୍କ ବାପା କହିଛନ୍ତି । ସେପଟେ ପୁଲିସ ଘଟଣାସ୍ଥଳରେ ପହଂଚି ପ୍ରଥମେ ଦୁର୍ଘଟଣାଜନିତ ମୃତ୍ୟୁ ବୋଲି ମାମଲା ରୁଜୁ କରିଥିଲା ପରେ ଅବହେଳା ଯୋଗୁଁ ଏପରି ଅଘଟଣ ଘଟିଥିବା ନେଇ ପୁଲିସ ମାମଲା ରୁଜୁ କରିଛି ।