ଅଙ୍ଗନବାଡ଼ି କେନ୍ଦ୍ରରେ ଅଭାବନୀୟ ଘଟଣା : ଗରମ ଡାଲିରେ ପଡି ଚାଲିଗଲା ୫ ବର୍ଷୀୟ ଶିଶୁର ଜୀବନ

46

ଶାହାଡୋଳ ଜିଲ୍ଲାର ଗୋଟିଏ ଅଙ୍ଗନବାଡ଼ି କେନ୍ଦ୍ରରେ ଗରମ ମସୁର ଡାଲି ଥିବା ପାତ୍ରରେ ପଡ଼ି ଜଣେ ୫ ବର୍ଷୀୟ ବାଳିକାର ମୃତ୍ୟୁ ଘଟିଛି। ଅକସ୍ମାତ୍ ଡାଲି ପାତ୍ରରେ ପଡ଼ି ଯାଇଥିବା ସେ ବାଳିକାକୁ ଚିକିତ୍ସା ନିମନ୍ତେ ଜବଲପୁରର ଏକ ଘରୋଇ ଡାକ୍ତରଖାନାକୁ ନିଆ ଯାଇଥିଲା ଏବଂ ସେଠାରେ ତା’ର ମୃତ୍ୟୁ ଘଟିଲା। ସୁହାସିନୀ ବାଇଗା ନାମ୍ନୀ ସେ ପିଲାଟି ଗରମ ଡାଲି ପାତ୍ରରେ ପଡ଼ିଥିବା କଥା ଅଙ୍ଗନବାଡ଼ି ସହକାରୀ କାଇସି ବାଇଗା ଦେଖିଥିଲେ। ଦୁର୍ଘଟନା ଘଟିବା ବେଳେ କାଇସି ଭାତ ଆଣିବାକୁ ପାଖ କୋଠରୀକୁ ଯାଇଥିଲେ ବୋଲି ପୁଲିସ କହିଛି।

କାଇସି କହନ୍ତି, “ପାଖ କୋଠରୀକୁ ଭାତ ଆଣିବାକୁ ଯାଇଥିବା ବେଳେ ଚିତ୍କାର ଶୁଣି ମୁଁ ଧାଇଁ ଆସି ଦେଖିଲି ଝିଅଟି ଡାଲି ପାତ୍ରରେ ପଡ଼ିଛି। ମୁଁ ତାକୁ କାଢ଼ି ତା’ ବାପାକୁ ଜଣାଇବାରୁ ସେ ତାକୁ ଜିଲ୍ଲା ହସପିଟାଲକୁ ନେଇଥିଲେ।“ ଝିଅର ବାପା ବୈସାଖୁ ବାଇଗା କହିଛନ୍ତି ଯେ ଝିଅର ଚିକିତ୍ସା କରାଇବାକୁ ଅଙ୍ଗନବାଡ଼ି କର୍ମଚାରୀ ତାଙ୍କୁ ୨୫୦ ଟଙ୍କା ଦେଇଥିଲେ। ସେ ତାକୁ ଶାହାଡୋଳର ଜିଲ୍ଲା ହସପିଟାଲକୁ ନେଇଥିଲେ।

ସେଠାରେ ଡାକ୍ତରମାନେ ଝିଅର ଚାରି ଦିନ ଚିକିତ୍ସା କଲେ, କିନ୍ତୁ ପୁଲିସକୁ ଖବର ଦେଲେ ନାହିଁ। ମଙ୍ଗଳବାର ଦିନ ଡାକ୍ତରଖାନା କର୍ତ୍ତୃପକ୍ଷମାନେ ପୁଲିସକୁ ଜଣାଇବା ପରେ ଜିଲ୍ଲା ପ୍ରଶାସନ ତତ୍ପର ହୋଇ ସଙ୍କଟାପନ୍ନ ପୀଡ଼ିତାକୁ ଜବଲପୁରସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିବା କଥା ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ ଅଶୋକ ଓହରି କହିଛନ୍ତି।

ଝିଅଟିର ଜବଲପୁର ପ୍ରାଇଭେଟ୍ ହସପିଟାଲରେ ମୃତ୍ୟୁ ହୋଇଯାଇଥିଲା । ଜିଲ୍ଲାପାଳ ଏହା ଉପରେ ତଦନ୍ତ ନିର୍ଦ୍ଦେଶ ଦେବା ସହ ତାଙ୍କ କର୍ତ୍ତବ୍ୟ ପ୍ରତି ଅବହେଳା କରି୍ଥିବା ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି ।