ଟଳିଯାଇଛି ବିପଦ, ହେଲେ ରହିଯାଇଛି ଚିହ୍ନ ! ଇଣ୍ଡୋନେସିଆରେ ୫ ହଜାର ଲୋକ ଏବେବି ଅଛନ୍ତି ନିଖୋଜ, ବଢୁଛି ମୃତ୍ୟୁ ସଂଖ୍ୟା ।

37

ଇଣ୍ଡୋନେସିଆରେ ପ୍ରକୃତିର ମହାତାଣ୍ଡବ ପରେ ବିପଦ ଟଳିଯାଇଛି ସତ, କିନ୍ତୁ ମହାପ୍ରଳୟର ଚିହ୍ନ ରହିଯାଇଛି । ଘଟଣାର ୯ ଦିନ ବିତିଯାଇଥିଲେ ମଧ୍ୟ ଏବେବି ଅନେକ ଲୋକ ପ୍ରଭାବିତ ହେଉଛନ୍ତି । ଏବେବି ପାଖାପାଖି ୫ ହଜାରରୁ ଅଧିକ ଲୋକ ନିଖୋଜ ଅଛନ୍ତି । ନିଖୋଜ ଥିବା ବ୍ୟକ୍ତିମାନଙ୍କୁ ଖୋଜିବା ଅଭିଯାନ ମଧ୍ୟ ଜାରି ରହିଛି । ସୂଚନା ଅନୁଯାୟୀ, ମିଳୁଥିବା ଅଧିକାଂଶ ମୃତଦେହ ଗୁଡିକ କ୍ଷତବିକ୍ଷତ ରହିଥିବା ଜଣାପଡିଛି ।

ଇଣ୍ଡୋନେସିଆରେ ଭୂମିକମ୍ପ ପରେ ତାଣ୍ଡବ ରଚିଥିଲା ସୁନାମୀ । ତେବେ ଉଦ୍ଧାରକାରୀ ଦଳ ନିଖୋଜ ଥିବା ବ୍ୟକ୍ତିମାନଙ୍କର ସନ୍ଧାନ ଜାରି ରଖିଛନ୍ତି । ଶନିବାର ସେଠାରେ ନୂଆ ସ୍ୱାସ୍ଥ୍ୟଗତ ଚେତାବନୀ ଜାରି କରାଯାଇଛି । ପାଲୁ ସହରରେ କେତେକ ମୃତଦେହକୁ ସଢିଯାଇଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି । ତେବେ ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଇଣ୍ଡୋନେସିଆର ଏହି ମହାପ୍ରଳୟରେ ୧୬୦୦ରୁ ଅଧିକ ଲୋକଙ୍କର ଜୀବନ ଯାଇଥିବା ବେଳେ ପାଖାପାଖି ୫ ହଜାରରୁ ଅଧିକ ଲୋକ ଏବେବି ନିଖୋଜ ଅଛନ୍ତି । ସୁଲାୱେସୀ ଦୀପରେ ସମୁଦ୍ର ନିକଟବର୍ତ୍ତୀ ସହର ଗୁଡିକରୁ ୧ ହଜାର ଲୋକ ନିଖୋଜ ରହିଛନ୍ତି । ଇଣ୍ଡୋନେସିଆର ଅନେକ ସହର ସମ୍ପୂର୍ଣ୍ଣ ଧ୍ୱଂସ ବିଧ୍ୱସ୍ତ ହୋଇଯାଇଥିବା ବେଳେ ଅନେକ ଧନଜୀବନ ପ୍ରଭାବିତ ହୋଇଛି ।