ମିଶନ୍ ‘ମୋ ସରକାର’ । କେନ୍ଦ୍ରାପଡ଼ାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବୁଲିଲେ ‘5-T’ ସଚିବ ଭି.କେ ପାଣ୍ଡିଆନ୍  । ସମସ୍ୟା ବୁଝିଲେ , ସେବା କେମିତି ମିଳୁଛି ରୋଗୀଙ୍କୁ ପଚାରିଲେ

536

କନକ ବ୍ୟୁରୋ: କେନ୍ଦ୍ରାପଡାରେ 5-T ସଚିବ ଭି.କେ ପାଣ୍ଡିଆନ । ‘ମୋ ସରକାର’ ଯୋଜନା ଆରମ୍ଭ ହେବା ପରଠୁ ଜିଲ୍ଲାକୁ ଜିଲ୍ଲା ବୁଲି ଭିକେ ପାଣ୍ଡିଆନ ଯୋଜନାର ଅନୁଧ୍ୟାନ କରୁଛନ୍ତି । ମୋ ସରକାର  କାର୍ଯ୍ୟକାରିତା ତଦାରଖ ପାଇଁ ଆଜି କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପହଂଚିଛନ୍ତି ପାଣ୍ଡିଆନ ।  ସ୍ୱାସ୍ଥ୍ୟ ସେବା ନେଇ ରୋଗୀ ଓ ରୋଗୀଙ୍କ ସଂପର୍କୀୟ ସହ ଆଲୋଚନା କରିଛନ୍ତି । ଏହାସହ ମେଡିକାଲର ଅସୁବିଧା ସଂପର୍କରେ ଡାକ୍ତର ଓ କର୍ମଚାରୀଙ୍କ ଠାରୁ ପଚାରୁ ବୁଝିଛନ୍ତି ଫାଇଭ୍ ଟି ସଚିବ ।

ସୁବଠାରୁ ବଡ଼ କଥା ହେଲାକି, ଆସନ୍ତା ମାର୍ଚ୍ଚ ୫ ତାରିଖ ଅର୍ଥାତ୍ ପଞ୍ଚାୟତିରାଜ ଦିବସ ମଧ୍ୟରେ କେନ୍ଦ୍ରାପଡ଼ାର ଇଚ୍ଛାପୁର ଠାରେ ନିର୍ମାଣ ହେଉଥିବା ନୁଆ ଜିଲ୍ଲା ହସ୍ପିଟାଲ୍ ବିଲଡିଂର ଗୋଟିଏ ବ୍ଲକ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି  । ଏହାସହ ଡାକ୍ତରଖାନାର ଭିତ୍ତିଭୂମୀକୁ ସୁଦୃଢ଼ କରିବା ପାଇଁ ଆଶ୍ୟକ ହେଉଥିବା ସମସ୍ତ ଜିନିଷ ବିଷୟରେ ଜଣାଇବାକୁ କହିଛନ୍ତି ବୋଲି କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି । ତେବେ ଫାଇଭ୍ ଟି ସଚିବଙ୍କ ଏହି ଗସ୍ତ ସମୟରେ ତାଙ୍କ ସହ ଉନ୍ନୟନ କମିଶନର ସୁରେଶ ମହାପାତ୍ର, ମିଶନ ଶକ୍ତି ନିର୍ଦ୍ଦେଶିକା, ଜିଲ୍ଲାପାଳ ସମର୍ଥ ବର୍ମା ଏବଂ ମେଡିକାଲ୍ କର୍ତ୍ତୁପକ୍ଷଙ୍କ ସହ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ଗାନ୍ଧୀ ଜୟନ୍ତୀରୁ ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ ହେବାରେ ସରକାରୀ ସ୍ତରରେ ତତ୍ପରତା ଦେଖାଦେଇଛି । ତେବେ ଗତ ୫ରୁ ୬ ଦିନ ମଧ୍ୟରେ ଜିଲ୍ଲାରୁ ଜିଲ୍ଲା ବୁଲୁଛନ୍ତି ‘ଫାଇଭ୍ ଟି’ ସଚିବ ପାଣ୍ଡିଆନ୍ । ଜିଲ୍ଳାରୁ ଜିଲ୍ଳା ହସ୍ପିଟାଲ, ଥାନା ବୁଲି ସ୍ଥିତି ସମୀକ୍ଷା କରୁଛନ୍ତି ପାଣ୍ଡିଆନ ।  ବିଭିନ୍ନ ଜିଲ୍ଳା ମୁଖ୍ୟଚିକିତ୍ସାଳୟକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ରୋଗୀ ଓ ରୋଗୀଙ୍କ ସଂପର୍କୀୟ ସହ ଆଲୋଚନା ସିଧାସଳଖ ଆଲୋଚନା କରୁଛନ୍ତି  । ମେଡିକାଲରେ ରୋଗୀ ସେବା ସମେତ ଔଷଧ ଯୋଗାଣ ନେଇ ମଧ୍ୟ ଆଲୋଚନା କରୁଛନ୍ତି ଫାଇଭ୍ ଟି ସଚିବ ।