କଂଗ୍ରେସକୁ ସଂଜୀବନୀ ଦେଲା ୫ଟି ରାଜ୍ୟର ଜନାଦେଶ ! ବିଜେପିକୁ ଲାଗିଲା ବଡ଼ ଝଟକା

296

କନକ ବ୍ୟୁରୋ : ୫ଟି ରାଜ୍ୟର ନିର୍ବାଚନ ଫଳାଫଳ କଂଗ୍ରେସ ଦଳକୁ ସଂଜୀବନୀ ସଦୃଶ ହୋଇଛି । ନେତୃତ୍ୱକୁ ନେଇ ପ୍ରଶ୍ନ ଏବଂ ମୋଦିଙ୍କ ବିରୋଧରେ ଲଢେଇ ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ହୋଇପାରୁନଥିବା କଂଗ୍ରେସକୁ ହଠାତ୍ ଏହି ଫଳାଫଳ ଶକ୍ତି ଦେଇଛି ।

୨୦୧୪ ସାଧାରଣ ନିର୍ବାଚନରେ ବିଜେପି ହାତରୁ ଶୋଚନୀୟ ଭାବେ ପରାଜିତ ହୋଇ, ହତାଶ ହୋଇ ପଡ଼ିଥିବା କଂଗ୍ରେସ କ୍ୟାମ୍ପରେ ହଠାତ ଉଲ୍ଲାସ ଖେଳିଯାଇଛି । କିଏ ନେତୃତ୍ୱ ନେବ ଦଳର ଏବଂ ମୋଦିଙ୍କ ଭଳି ବ୍ୟକ୍ତିତ୍ୱ ସହ କଂଗ୍ରେସ କେମିତି ଲଢ଼େଇ କରିବ, ଏଭଳି ସନ୍ଦିହାନ ଅବସ୍ତାରେ କଂଗ୍ରେସ ଦଳକୁ ସଞ୍ଜିବନୀ ମିଳିଛି ।

ମଧ୍ୟପ୍ରଦେଶର ନିର୍ବାଚନୀ ଫଳାଫଳ ସବୁଠାରୁ ରୋଚକ ଥିଲା । ଦିନ ତମାମ୍ କାଣ୍ଟେ କା ଟକ୍କର ଚାଲିଥିଲା । କେତେବେଳେ ବିଜେପି ଆଗକୁ ବଢ଼ୁଥିଲା ତ କେତେବେଳେ କଂଗ୍ରେସ । ଆଉଶେଷର ଦୀର୍ଘ ୧୫ ବର୍ଷର ବନବାସ ପରେ ମଧ୍ୟପ୍ରଦେଶରେ କ୍ଷମତାକୁ ଫେରିଛି କଂଗ୍ରେସ ।

ରାଜସ୍ଥାନର ନିର୍ବାଚନୀ ଫଳାଫଳ କ’ଣ ହେବ, ତାହା ଅଳ୍ପ ବହୁତେ ପ୍ରାୟ ସବୁ ଏକଜିଟ୍ ପୋଲ୍ ଆକଳନ କରି କଂଗ୍ରେସ ସପକ୍ଷରେ ମତ ଦେଇଥିଲେ । ଏବଂ ଶେଷରେ ସେଇୟା ହେଲା । ଆଉ ୫ ବର୍ଷ ଭିତରେ ଶାସନ କ୍ଷମତାକୁ ଫେରି ଆସିଛି କଂଗ୍ରେସ ।

କିନ୍ତୁ ଛତିଶଗଡ଼ର ଆକଳନ ପୂର୍ବରୁ କେହି ମଧ୍ୟ କରିପାରିନଥିଲେ ଯେ କଂଗ୍ରେସ ଏଠାରେ ବଡ଼ ଧରରଣ ବିଜୟ ହାସଲ କରିବ । ୩ ଥରର ମୁଖ୍ୟମନ୍ତ୍ରୀ ରମଣ ସିଂ ଚତୁର୍ଥ ଥର ପାଇଁମୁଖ୍ୟମନ୍ତ୍ରୀ ହେବାର ଆଶା ଧୂଳିସାତ୍ ହୋଇଗଲା ।

ଆଉ କିଛି ମାସ ପରେ ସାଧାଣ ନିର୍ବାଚନ । ଏହି ୫ ଟି ରାଜ୍ୟରେ ନିର୍ବାଚନ ଫଳାଫଳ ସାଧାରଣ ନିର୍ବାଚନ ପରିବେଶକୁ ମଧ୍ୟ ପ୍ରଭାବିତ କରିପାରେ । ଦେଖିବାର କଥା ହେଲା କଂଗ୍ରେସ ଏହାକୁ କିପରି ଆଗକୁ ନେଉଛି ଏବଂ ବିଜେପି ପରାଜୟକୁ କିପରି ସମ୍ଭାଳୁଛି ।