ଆଜି ଆସିବ ୫ଟି ରାଜ୍ୟର ନିର୍ବାଚନ ଫଳାଫଳ । ସକାଳ ୮ଟାରୁ ଭୋଟ୍ ଗଣତି, ୧୧ଟା ସୁଦ୍ଧା ସ୍ପଷ୍ଟ ହୋଇପାରେ କେଉଁଠି, କିଏ ଗଢ଼ିବ ସରକାର?

ଭୋଟ ଗଣତି ପୂର୍ବରୁ ଜନାଦେଶକୁ ନେଇ ବଢୁଛି ଉତ୍କଣ୍ଠା

103

କନକ ବ୍ୟୁରୋ: ପାଞ୍ଚଟି ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନର ଫଳାଫଳ ଆଜି ଘୋଷଣା ହେବ। ସେହି ରାଜ୍ୟଗୁଡ଼ିକ ହେଲା ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା, ମିଜୋରାମ ଏବଂ ଛତିଶଗଡ଼।

ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହେବ। ୧୧ଟା ସୁଦ୍ଧା ଫଳାଫଳ ସ୍ପଷ୍ଟ ହୋଇଯିବ। ୫ଟି ରାଜ୍ୟରେ ୮୫୦୦ରୁ ଅଧିକ ପ୍ରାର୍ଥୀଙ୍କ ଭାଗ୍ୟ ୧ ଲକ୍ଷ ୭୪ ହଜାର ୭୨୪ଟି ଇଭିଏମ୍ ମଧ୍ୟରେ ବନ୍ଦ ହୋଇ ରହିଛି। ୫ଟି ଯାକ ରାଜ୍ୟର ୬୭୯ଟି ବିଧାନସଭା ଆସନରେ ନିର୍ବାଚନ ହେବାକୁ ଥିବାବେଳେ ରାଜସ୍ଥାନର ଗୋଟିଏ ଆସନରେ ଜଣେ ପ୍ରାର୍ଥୀଙ୍କ ମୃତ୍ୟୁ କାରଣରୁ ୬୭୮ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟ ଗ୍ରହଣ ହୋଇଛି।

ଆସନ୍ତାବର୍ଷର ସାଧାରଣ ନିର୍ବାଚନ ପୂର୍ବରୁ ଏହି ୫ଟି ରାଜ୍ୟର ଫଳାଫଳ ରାଜନୈତିକ ଦଳଗୁଡ଼ିକ ପାଇଁ ଅନେକ ଗୁରୁତ୍ବ ବହନ କରୁଛି। ତେଣୁ ଏହି ନିର୍ବାଚନକୁ ସେମି ଫାଇନାଲ ଭାବେ ବିବେଚନା କରାଯାଉଛି।

ଭୋଟଗଣତି ପାଇଁ ନିର୍ବାଚନ କମିସନଙ୍କ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ଏକଜିଟ୍ ପୋଲରେ ଯେଉଁ ପୂର୍ବାନୁମାନ କରାଯାଇଛି ତାହା ବିଜେପିର ଚିନ୍ତା ବଢ଼ାଇ ଦେଇଛି। ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିଜେପିର ବିଜୟ ଅଭିଯାନରେ ରୋକ ଲାଗିବ। ସେହି ଦୁଇଟି ରାଜ୍ୟରେ ସରକାର ଗଠନ ପାଇଁ କାହାରିକୁ ସ୍ପଷ୍ଟ ବହୁମତ ନମିଳିବା ସମ୍ଭାବନା ରହିଛି। ତେବେ ରାଜସ୍ଥାନରେ ମଧ୍ୟ ବିଜେପିକୁ ଶାସନ ଗାଦିରୁ ମତଦାତାମାନେ ହଟାଇ କଂଗ୍ରେସକୁ କ୍ଷମତାସୀନ କରିବା ନେଇ ଆକଳନ କରାଯାଇଛି।

ଅନ୍ୟପକ୍ଷରେ ମିଜୋରାମରେ କଂଗ୍ରେସ କ୍ଷମତାଚ୍ୟୁତ ହେବା ସହିତ ତେଲେଙ୍ଗାନାରେ କେ. ଚନ୍ଦ୍ରଶେଖର ରାଓ କ୍ଷମତାରେ ରହି ପାରନ୍ତି ବୋଲି ଆକଳନ କରାଯାଇଛି। ତେବେ ଭୋଟ ଗଣତି ସକାଳ ୮ଟାରୁ ଆରମ୍ଭ ହେବାକୁ ଥିବାରୁ ଏହାର କିଛି ସମୟ ପରେ ବିଜୟ ଧାରାର ଚିତ୍ର ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି।