ତେଜୁଛି ‘ରାମ ମନ୍ଦିର’ ବିବାଦ ! ଅଯୋଧ୍ୟାରେ କେବେ ନିର୍ମାଣ ହେବ ରାମ ମନ୍ଦିର, କାଲି ଫିଟିପାରେ ବାଟ ?

କାରଣ ଆସନ୍ତା କାଲି ଦେଶର ୫ଟି ରାଜ୍ୟ ତଥା, ଛତିଶଗଡ଼, ମଧ୍ୟ ପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା ଏବଂ ମିଜୋରାମର ବିଧାନସଭା ନିର୍ବାଚନୀ ଫଳାଫଳ ସାମ୍ନାକୁ ଆସିବ ।

467

କନକ ବ୍ୟୁରୋ: ଅସନ୍ତା କାଲି ହେବ ଦେଶର ଶତାଧିକ କୋଟି ହିନ୍ଦୁଙ୍କ ଭାବାବେଗ ସହିତ ଜଡ଼ିତଥିବା ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗର ଭାଗ୍ୟ ନିର୍ଦ୍ଧାରଣ । କାରଣ ଆସନ୍ତା କାଲି ଦେଶର ୫ଟି ରାଜ୍ୟ ତଥା, ଛତିଶଗଡ଼, ମଧ୍ୟ ପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା ଏବଂ ମିଜୋରାମର ବିଧାନସଭା ନିର୍ବାଚନୀ ଫଳାଫଳ ସାମ୍ନାକୁ ଆସିବ । ଆଉ କିଏ କେଉଁ ରାଜ୍ୟରେ ସରକାର ଗଢ଼ିବ ତାହା ମଧ୍ୟ ସ୍ପଷ୍ଟ ହୋଇଯିବ । ତେବେ ଆସନ୍ତାକାଲିର ନିର୍ବାଚନୀ ଫଳାଫଳ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରିବା ନେଇ ପ୍ରମୂଖ ଭୂମିକା ଗ୍ରହଣ କରିପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।

ଏହାର ପ୍ରମୂଖ କାରଣ ହେଲା ଯଦି ବିଜେପି ଏହି ୫ଟି ରାଜ୍ୟ ମଧ୍ୟରୁ ୩ଟି ବିଜେପି ଶାସିତ ରାଜ୍ୟରେ କ୍ଷମତା ବଜାୟ ରଖିବାରେ ବିଫଳ ହୁଏ ତେବେ ଏହା ରାମ ମନ୍ଦିର ନିର୍ମାଣ ପାଇଁ ବାଟ ଫିଟାଇବ ବୋଲି ଚର୍ଚ୍ଚା ଜୋର ଧରିଛି । କାରଣ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ମୋଦି ସରକାର ସଂସଦରେ ଅଧ୍ୟାଦେଶ ଆଣିବାକୁ ପୂର୍ବରୁ ଦାବି ହୋଇଥିଲେ ମଧ୍ୟ ଏହା ପୂରଣ ହୋଇପାହିଁ । ତେବେ ଆସନ୍ତା ୧୧ ତାରିଖରେ ହେବାକୁଥିବା ଶୀତକାଳୀନ ସଂସଦ ଅଧିବେଶନ ତଥା ମୋଦି ସରକାରଙ୍କ ଶେଷ ପୂର୍ଣ୍ଣାଙ୍ଗ ଅଧିବେଶନରେ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗରେ ଅଧ୍ୟଦେଶ ଆଣିବାକୁ ବିଭିନ୍ନ ମହଲରୁ ଦାବି ହୋଇଛି । ସେନେଇ ପ୍ରତ୍ୟକ୍ଷରେ ହେଉ ବା ପରୋକ୍ଷରେ ହେଉ ସରକାର ଉପରେ ଚାପ ପ୍ରଯୋଗ କରିବାକୁ ଉଦ୍ୟମ ମଧ୍ୟ କରାଯାଇଛି ।

ଅନ୍ୟପଟେ ଏବେ ଧର୍ମ ସଂକଟ ଘେରରେ ବିଜେପି ସରକାର । କାରଣ ୨୦୧୪ ନିର୍ବାଚନ ଯେଉଁ ସମୟରେ ପ୍ରତିଶ୍ରୁତିର ଲମ୍ବା ତାଲିକା ଦେଇଥିଲେ । ତାହା ମଧ୍ୟରୁ ଶୀର୍ଷ ସ୍ଥାନରେ ଥିଲା ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗ । ଆଉ ଯେତେବେଳେ ମୋଦି ସରକାରଙ୍କ କାର୍ଯ୍ୟକାଳ ସରିବାକୁ ବସୁଛି, ଠିକ୍ ଏତିକି ବେଳେ ଅଯୋଧ୍ୟରେ ରାମ ମନ୍ଦିର ନିର୍ମାଣ ନେଇ କେନ୍ଦ୍ର ସରକାରକୁ ୪ବଷ ପୂର୍ବେ ଦେଶବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି କଥା ମନେ ପକାଇଦେଇଛନ୍ତି ବିଭିନ୍ନ ହିନ୍ଦୁ ଧର୍ମୀୟ ସଂଗଠନ । ଯାହାକୁ ନେଇ ଗତକାଲି ଦେଶର ରାଜଧାନୀ ଦିଲ୍ଲୀରେ ଅଯୋଧ୍ୟର ଚିତ୍ରର ପୁନରାବୃତି ଦେଖିବାକୁ ମିଳିଥିଲା । ଆଉ ସମସ୍ତଙ୍କ ମୁହଁରେ ସେଇ ଗୋଟିଏ କଥା ଥିଲା ମନ୍ଦିର ସେଇଠି ବନିବ, ଯେଉଁଠି ପ୍ରଭୁ ଶ୍ରୀରାମ ଜନ୍ମ ହୋଇଥିଲେ ।

ସେପଟେ ଅଯୋଧ୍ୟରେ ରାମ ମନ୍ଦିର ନିର୍ମାଣ ମାମଲା ଏବେ ସୁପ୍ରିମକୋର୍ଟରେ ରହିଛି । ଜାନୁୟାରୀ ଏହାର ଶୁଶାଣି ହେବ । ଏବଂ ସେତେବେଳେ ୨୦୧୯ ନିର୍ବାଚନୀ ବିଗୁଲ ମଧ୍ୟ ବାଜି ସାରିଥିବ । ହେଲେ ତା ପୂର୍ବରୁ ଧର୍ମସଭା ନାଁରେ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବା ଏବଂ ବିଭିନ୍ନ ସମୟରେ କ୍ଷମତାରେ ଥିବା ନେତାଙ୍କ ବୟାନବାଜୀରୁ ଅନୁମାନ କରିହେଉଛି ଯେ, କେଉଁଠି ନାଁ କେଉଁଠି ଏହି ପ୍ରସଙ୍ଗ ଆଗକୁ ରାଜନୀତିରେ ପ୍ରମୂଖ ମୁଦ୍ଦା ପାଲଟିବ । ଆଉ ଏହାର ଶୁଭାରମ୍ଭ ଆସନ୍ତାକାଲିର ଫଳାଫଳରୁ ହିଁ ସ୍ପଷ୍ଟ ହେବ ବୋଲି ଚର୍ଚ୍ଚା ଜୋର ଧରିଛି । ଯଦି ବିଜେପି ୫ଟି ରାଜ୍ୟରୁ ବିଜେପି ହାତରେ ଥିବା ରାଜ୍ୟଗୁଡ଼ିକରେ ପଦ୍ମ ଖସିପଡ଼େ ତେବେ ଆଗାମୀ ଦିନରେ ବିଜେପି ଏହାକୁ ଗୁରୁତ୍ୱ ଦେଇ ସଂସଦରେ ଅଧ୍ୟାଦେଶ ଆଣି ପାରନ୍ତି ବୋଲି ଶୁଣିବାକୁ ମିଳୁଛି ।