ସ୍କୁଲ ପିଲାଙ୍କ ଉପରେ ଚଢିଗଲା ୧୦ ଚକିଆ ଟ୍ରକ । ଚାଲିଗଲା ୫ ନିରୀହ ଜୀବନ, ଏବେ ହସ୍ପିଟାଲରେ ଜୀବନ ସହ ସଂଘର୍ଷ କରୁଛନ୍ତି ୪ ଛାତ୍ରଛାତ୍ରୀ

65

କନକ ବ୍ୟୁରୋ : ଭଦ୍ରକ ରାହାଞ୍ଜରେ ସ୍କୁଲ ପିଲାଙ୍କ ଉପରେ ଚଢ଼ିଗଲା ୧୦ ଚକିଆ ଟ୍ରକ୍ । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୫ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହସ୍ପିଟାଲରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି । ଗୁରୁତର ଆହତ ଥିବା ୪ଜଣ ଛାତ୍ରଛାତ୍ରୀଙ୍କୁ କଟକ ବଡ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ରାଣୀତାଳ ସ୍କୁଲରେ ପାଠପଢ଼ୁଥିବା ଏହି ଛାତ୍ରଛାତ୍ରୀମାନେ ସ୍କୁଲ ସାରି ଘରକୁ ଫେରୁଥିବା ବେଳେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ପ୍ରାଣ ହରାଇଥିବା ୫ ଜଣ ଛାତ୍ରଛାତ୍ରୀ ହେଲେ ସତ୍ୟବ୍ରତ ବାରିକ, କଳ୍ପନା ଜେନା, ଶ୍ୱେତା ସାହୁ, ସୁକାନ୍ତ ସାହୁ ଏବଂ ପ୍ରିୟମ୍ବଦା ମହାନ୍ତି । ଦୁର୍ଘଟଣା ପରେ ସ୍ଥାନୀୟ ଅଂଚଳରେ ଉତେଜନା ଦେଖାଦେଇଥିବା ବେଳେ ଉତ୍ୟକ୍ତଲୋକେ ଟ୍ରକ୍ଟିକୁ ଜାଳି ଦେଇଛନ୍ତି । ସେପଟେ ମୃତ ଛାତ୍ରାଛାତ୍ରୀଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ।

ଆଉ କିଛି ସମୟରେ ଏହି କୁନି କୁନି ପିଲାମାନେ ଘରକୁ ଫେରିଥାନ୍ତେ । ହୁଏତ ଏମାନଙ୍କ ମା’-ବାପାମାନେ, ପିଲାଙ୍କ ଫେରିବା ବାଟକୁ ବି ଚାହିଁ ରହିଥିବେ । ହେଲେ ଅଧା- ବାଟରେ ଏମିତି ଏକ ଦୁର୍ଘଟଣା ଘଟିଗଲା, ଯାହା ସବୁ ଦିନ ପାଇଁ ପରିବାରଠାରୁ ଏହି କୁନିକୁନି ପିଲାମାନଙ୍କୁ ଛଡେଇ ନେଇଗଲା । ଭବିଷ୍ୟତ ଗଢ଼ିବାର ସ୍ୱପ୍ନ ନେଇ ବସ୍ତାନୀ ଧରି ସକାଳୁ ସ୍କୁଲ ଆସିଥିବା ପିଲାଟି, ସଂଞ୍ଜ ହେଲା ବେଳକୁ ସବୁ ଦିନ ଚାଲିଯିବ ଏକଥା କହିଲେ ବି କେହି ସହଜରେ ବିଶ୍ୱାସ କରିହେଉନି । ଦୁର୍ଘଟଣାରେ ଠିକ୍ ସାଇକେଲ ଭଳି ଚୁରମାର ହୋଇଯାଇଛି ଅନେକ ପରିବାରର ସ୍ୱପ୍ନ । ଦୁର୍ଘଟଣାର ଦାରୁଣ ଚିତ୍ର, ସ୍କୁଲ ଛାଡୁ ଥିବା ସବୁ ମା’-ବାପାଙ୍କୁ ଆନ୍ଦୋଳିତ କରି ଦେଇଛି ।

ସମୟ ପାଖାପାଖି ୪ଟରୁ ସାଢ଼େ ୪ଟା, ସ୍କୁଲ ଛୁଟି ପରେ ଘରକୁ ଫେରୁଥିଲେ ଭଦ୍ରକ ରାଣୀତାଳ ସ୍କୁଲର ପିଲାମାନେ । ଆଉ ଏହି ପିଲାଙ୍କ ଭିତରେ ଥିଲେ ଅସୁରାହାଟ ସାହି ଗାଁର କିଛି ଛାତ୍ରଛାତ୍ରୀ । ଗୋଟିଏ ଶ୍ରେଣୀ ଏବଂ ଗୋଟିଏ ଗାଁର ହୋଇଥିବାରୁ ଏକାଠି ଫେରୁଥିଲେ । ଆଉ ଠିକ୍ ୧୬ ନମ୍ବର ଜାତୀୟ ରାଜପଥ ପାର ହେବା ବେଳେ ମୃତ୍ୟୁର ଦୂତ ସାଜି ହଠାତ୍ ଏମାନଙ୍କ ଉପରେ ଚଢ଼ିଗଲା ଏକ ୧୦ ଚକିଆ ଟ୍ରକ୍୍ । କେହି କିଛି ବୁଝିବା ଆଗରୁ ବହୁତ ଜୋରରେ ଏକ ଶବ୍ଦ ହେଲା । କ’ଣ ହୋଇଛି ବୋଲି ଚାହିଁଲା ବେଳକୁ ଆଖି ସାମ୍ନାରେ ମରି ପଡ଼ିଛନ୍ତି ସ୍କୁଲପିଲା । ଘଟଣାସ୍ଥଳରେ ଆଖିବୁଜି ଦେଇଛନ୍ତି ୪ ଜଣ ।

ଲୋକଙ୍କ ଆକ୍ରୋଶରେ ନିର୍ଜୀବ ଟ୍ରକ୍ ସିନା ଜଳି ହୁ-ହୁ ହୋଇ ଜଳୁଛି, ହେଲେ ଏହି ନିଆଁ ଅନେକ ଜୀବନକୁ ପୋଡ଼ି ପାଉଁଶ କରିଦେଇଛି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ବ୍ୟାପକ ଉତେଜନା ଦେଖିବାକୁ ମିଳିଥିବା ବେଳେ ଜିଲ୍ଲାପାଳ ଏବଂ ଏସପି ଯାଇ ଘଟଣାର ଅନୁଧ୍ୟାନ କରିଥିଲେ । ହୃଦୟ ବିତାରକ ଏହି ଦୁର୍ଘଟଣା ସାରା ରାଜ୍ୟକୁ ଆନ୍ଦୋଳିତ କରିଥିବା ବେଳେ ଘଟଣା ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମ,ନ୍ତ୍ରୀ । ରାଜ୍ୟ ସରକାର ମୃତକଙ୍କ ପରିବାର ଲୋକଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଥିବା ବେଳେ ଆହତଙ୍କ ମାଗଣା ଚିକିତ୍ସା ହେବ ବୋଲି ଘୋଷଣା କରିଛନ୍ତି ।