ରାୟଗଡ଼ାରେ ପ୍ରାଣ ନେଇଗଲା ପାଇଖାନା ଟାଙ୍କି ! ଶ୍ୱାସରୁଦ୍ଧ ହୋଇ ୫ ଜଣଙ୍କର ମୃତ୍ୟୁ, ଜଣେ ଗୁରୁତର ।

35

କନକ ବ୍ୟୁରୋ : ସାରା ଦେଶ ଆଜି ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବକୁ ଉତ୍ସାହର ସହ ପାଳୁଥିବା ବେଳେ ରାୟଗଡାରେ ବଡ ଅଘଟଣ ଘଟିଯାଇଛି । ନୂଆକରି ତିଆରି ପାଇଖାନା ଟାଙ୍କି ମଧ୍ୟରେ ଶ୍ୱାସରୁଦ୍ଧ ହୋଇ ଜଣେ ମହିଳାଙ୍କ ସମେତ ୪ ଜଣ ପୁରୁଷ ପ୍ରାଣ ହରାଇଛନ୍ତି । ଆଉ ଜଣେ ଯୁବକଙ୍କ ଜୀବନ ବଂଚିଯାଇଛି , ହେଲେ ଅବସ୍ଥା ଗୁରୁତର ରହିଛି । ମାସେ ଧରି ବନ୍ଦ ରହିଥିବା ପାଇଖାନା ଟାଙ୍କିର ସେଂଟ୍ରିଂ ବାହାର କରିବା ଯେପରି କାଳ ହୋଇଛି ଶ୍ରମିକଙ୍କ ପାଇଁ । ଏପରିକି ଶ୍ରମିକଙ୍କୁ ବଂଚାଇବାକୁ ଯାଇ ପ୍ରାଣ ହରାଇଛନ୍ତି ଗାଁର ଦୁଇ ଦୁଇ ଜଣ ଯୁବକ ।

ଜନ୍ମାଷ୍ଟମୀରେ ଚାରିଆଡେ ପୂଜା ପର୍ବ ଚାଲିଥିବା ବେଳେ ରାୟଗଡା ଜିଲ୍ଲା ବିଷମକଟକର ଦୁର୍ଗୀ ଅଂଚଳ, କାନ୍ଦ ବୋବାଳିରେ ଫାଟି ପଡୁଥିଲା । ବାହୁନି ବାହୁନି କାନ୍ଦୁଥିଲେ ସମ୍ପର୍କୀୟ । ଆଉ ଏପଟେ ହସ୍ପିଟାଲରେ ଗୁରୁତରଙ୍କୁ ବଂଚାଇବାକୁ ଚେଷ୍ଟା କରୁଥିଲେ ଡାକ୍ତର । ହେଲେ ସେତେବେଳକୁ ବିଳମ୍ବ ହୋଇସାରିଥିଲା । ଆଖି ବୁଜିସାରିଥିଲେ ଗାଁର ଜଣେ ମହିଳା ଓ ୪ଜଣ ପୁରୁଷ ।

ସମୟ -ସକାଳ ପ୍ରାୟ ୧୦ଟା । ନୂଆ ପାଇଖାନା ଟାଙ୍କିରୁ ସେଂଟ୍ରିଂ ବାହାର କରିବାକୁ ଭିତରକୁ ପଶିଥିଲେ ଜଣେ ମହିଳା ଓ ଜଣେ ପୁରୁଷ ଶ୍ରମିକ । ଭିତରକୁ ପଶିବାର କିଛି କ୍ଷଣ ମଧ୍ୟରେ ଉଭୟ ଚିକ୍ରାର କରି ସେମାନଙ୍କୁ ବାହାର କରିବାକୁ କହିଥିଲେ । ସେମାନଙ୍କୁ ଉଦ୍ଧାର କରିବାକୁ ସଙ୍ଗେ ସଙ୍ଗେ ବାହାରେ ଥିବା ମିସ୍ତ୍ରୀ, ଭିତରକୁ ପଶିଥିଲେ ଆଉ ସେ ବି ସମାନ ଭାବେ ଚିକ୍ରାର କରିଥିଲେ । ଏମାନଙ୍କ ଡାକ ଶୁଣି ଉଦ୍ଧାର କରିବାକୁ ପାଖରେ ଖେଳୁଥିବା କିଛି ଭଲିବଲ୍ ଖେଳାଳି ପହଁଚିଥିଲେ । ୩ ଜଣ ଯୁବକ ଟାଙ୍କି ଭିତରକୁ ପଶିଥିଲେ । ହେଲେ ସେଥିରୁ ଦୁଇ ଜଣ ଆଉ ଫେରିନଥିଲେ । କିଛି କ୍ଷଣ ମଧ୍ୟରେ ଟାଙ୍କି ଭିତରେ ଶ୍ୱାସରୁଦ୍ଧ ହୋଇ ଚାଲିଯାଇଥିଲା ପାଂଚ ପାଚଂଟି ଜୀବନ ।

ପାଇଖାନା ଟାଙ୍କିରେ ଚାଲିଗଲା ପାଂଚ ଜଣଙ୍କ ଜୀବନ । ଜଣଙ୍କୁ ଉଦ୍ଧାର କରିବାକୁ ଯାଇ ୫ ଜଣଙ୍କ ମୃତ୍ୟୁ । ରାୟଗଡାର ଏହି ଅଭାବନୀୟ ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅଛନ୍ତି । ନୂଆ ଟାଙ୍କିଟି ବଡ ଧରଣର ଏବଂ ମାସେ ହେଲା ବନ୍ଦ ଥିଲା । ଯେଉଁଥିରେ ଏକାସଙ୍ଗେ ଯାଇଛି ପାଂଚ ପାଂଚଟି ଜୀବନ । ।