କେନ୍ଦ୍ରାପଡା ରଣଭୂମି ପାଇଁ ୫ ପୁରୁଣା ସିପାହୀଙ୍କୁ ବାଛିଲେ ବିଜେଡି ସୁପ୍ରିମୋ । ହେଭିୱେଟ ଦେବେ କି ବଡ ବିଜୟ?

776

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ମହାସମରରେ ଏବେ ସମସ୍ତଙ୍କ ଫୋକସ କେନ୍ଦ୍ରାପଡା ଉପରେ । କେନ୍ଦ୍ରାପଡା ରାଜନୀତି କେଉଁ ଆଡକୁ କଡ ଲେଉଟାଉଛି ତାହା ଉପରେ ରାଜନୀତିରେ ରୁଚି ରଖୁଥିବା ବ୍ୟକ୍ତିଙ୍କର ନଜର ରହିଛି । ଆଉ ଏସବୁ ଭିତରେ ଆଜି ବିଜେଡି ପକ୍ଷରୁ କେନ୍ଦ୍ରାପଡା ଲୋକସଭା ଓ ଏହା ଅଧୀନରେ ଆସୁଥିବା ୭ଟି ବିଧାନସଭା ଆସନ ମଧ୍ୟରୁ ୫ଟି ଆସନ ପାଇଁ ଦଳ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଯେଉଁଥିରେ ୨୦୧୪ର ସିପାହୀଙ୍କୁ ସାଥୀ କରି ପୁଣିଥରେ ୨୦୧୯ ମୈଦାନକୁ ଓହ୍ଲାଇଛି ଦଳ । ବାକି ୨ଟି ଆସନ ପାଇଁ ଦଳ ପ୍ରାର୍ଥୀ ଘୋଷଣା କରିନଥିଲେ ମଧ୍ୟ ୫ଟି ଆସନରୁ ପୁରୁଣା ମୁହଁଙ୍କୁ ପୁଣିଥରେ ସୁଯୋଗ ଦେଇଛି ଦଳ । ଘୋଷଣା ହୋଇଥିବା ୫ ପ୍ରାର୍ଥୀ ତାଲିକାରୁ ୪ ଜଣ ରାଜ୍ୟ ରାଜନୀତିର ହେଭିୱେଟ ନେତାଙ୍କ ତାଲିକାରେ ରହିଛନ୍ତି । ତେଣୁ ସେମାନଙ୍କ ପ୍ରାର୍ଥୀତ୍ୱକୁ ନେଇ ଏବେ ଜୋରଦାର ଚର୍ଚ୍ଚା । ରାଜନଗର ଓ କେନ୍ଦ୍ରାପଡା ଆସନକୁ ଛାଡିଦେଲେ ବାକି ୫ଟି ଆସନ ଆଳି, ମହାକାଳପଡା, ପାଟକୁରା, ସାଲେପୁର ଓ ମାହାଙ୍ଗାରେ ଦଳର ମଙ୍ଗ ଧରିବେ ପୁରୁଣା ଯୋଦ୍ଧା ।

ଆଳି : ଆଳି ଆସନ ପାଇଁ ବିଜେଡି ପୁରୁଣା ସିପାହୀ ପ୍ରତାପ ଦେବଙ୍କ ଉପରେ ପୁଣିଥରେ ଭରସା କରିଛି । ଗତ ନିର୍ବାଚନରେ ପ୍ରତାପ ଅଳ୍ପ ଭୋଟରେ ପରାସ୍ତ ହୋଇଥିଲେ ମଧ୍ୟ ଦଳ ପୁଣିଥରେ ତାଙ୍କୁ ମୈଦାନକୁ ଓହ୍ଲାଇଛି । ରାଜ୍ୟ ରାଜନୀତିରେ ଢେର କାଟତି ଥିବା ପ୍ରତାପ ପୂର୍ବରୁ ନବୀନ ସରକାରରେ ମନ୍ତ୍ରୀ ରହିବା ସହ ଏବେ ମୁଖପାତ୍ର ଭାବେ ଦାୟିତ୍ୱରେ ରହିଛନ୍ତି । ଏହାପୂର୍ବରୁ ପ୍ରତାପ ଲଗାତାର ୩ ଥର ବିଜୟ ହୋଇ ଆଳିକୁ ବିଜେଡି ଗଡରେ ପରିଣତ କରିଥିଲେ । ଏପରିକି ପ୍ରତାପଙ୍କୁ ନେଇ କେନ୍ଦ୍ରାପଡା ରାଜନୀତିରେ ଭିନ୍ନ ଭିନ୍ନ ସମୀକରଣ ସୃଷ୍ଟି ହୋଇଥିଲା । ବିଜେଡିର ରାଜ୍ୟସଭା ସାଂସଦ ଥିବା ପ୍ରତାପଙ୍କୁ ବୈଜୟନ୍ତଙ୍କ ବିପକ୍ଷରେ ଲୋକସଭା ପ୍ରାର୍ଥୀ କରାଯିବ ବୋଲି ବିଜେଡି ଶିବିରରେ ଶୁଣିବାକୁ ମିଳିଥିଲା । କିନ୍ତୁ ସବୁ ସମ୍ଭାବନା ଓ ଚର୍ଚ୍ଚାରେ ନବୀନ ପୂର୍ଣ୍ଣଛେଦ ପକାଇ ପ୍ରତାପଙ୍କୁ ଆଳିରୁ ପ୍ରାର୍ଥୀ କରିଛନ୍ତି ।

ମହାକାଳପଡା : କେନ୍ଦ୍ରାପଡା ଜିଲ୍ଲାର ଚର୍ଚ୍ଚିତ ଆସନ ମହାକାଳପଡାରୁ ପୁଣିଥରେ ପୁରୁଣା ଚେହେରା ଅତନୁଙ୍କୁ ନୂଆ ସମ୍ଭାବନା ସହ ମୈଦାନକୁ ଓହ୍ଲାଇଛି ଦଳ । କେନ୍ଦ୍ରାପଡା ଜିଲ୍ଲାର ଏହି ହାଇପ୍ରୋଫାଇଲ ଆସନରୁ ଅତନୁ ଲଗାତାର ବିଜେଡିର ବିଜୟ ବାନା ଉଡାଇ ଆସୁଥିବା ବେଳେ ପୁଣିଥରେ ନବୀନଙ୍କ ଭରସା ଜିତିବାରେ ସକ୍ଷମ ହୋଇଛନ୍ତି । ଗତ ନିର୍ବାଚନରେ ବିଜେପିର ହେଭିୱେଟ ନେତା ବିଜୟ ମହାପାତ୍ରଙ୍କୁ ମାତ୍ ଦେଇ ବିଜୟୀ ହୋଇଥିବା ଅତନୁଙ୍କୁ ପରବର୍ତ୍ତୀ ସମୟରେ ପୁରସ୍କାର ସ୍ୱରୂପ ମନ୍ତ୍ରୀ ପଦ ମିଳିଥିଲା । ତେବେ ସମ୍ ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣା ପରେ ମନ୍ତ୍ରୀପଦରୁ ଇସ୍ତଫା ଦେଇଥିଲେ ଅତନୁ । କିନ୍ତୁ ନିଜର ଦୃଢ ସଙ୍ଗଠନକୁ ପାଥେୟ କରି ପୁଣିଥରେ ଟିକେଟ ହାତେଇଛନ୍ତି ଅତନୁ ।

ପାଟକୁରା : କେନ୍ଦ୍ରାପଡା ରାଜନୀତିର ପୁରୁଖା ନେତା ବେଦ ପ୍ରକାଶ ଅଗ୍ରୱାଲଙ୍କୁ ପୁଣିଥରେ ପାଟକୁରା ଆସନ ପାଇଁ ଟିକେଟ ଦେଇଛନ୍ତି ବିଜେଡି ସୁପ୍ରିମୋ । ଦଳ ଏହି ପୁରୁଖା ନେତାଙ୍କ ଅଭିଜ୍ଞତାକୁ ପାଥେୟ କରି ଫାଇଦା ନେବାକୁ ଯୋଜନା କରିଛି । ବେଦପ୍ରକାଶ ଏହି ଆସନରୁ ୨ ଥର ବିଧାୟକ ଥିବା ସହ ବିଜେଡିର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଛନ୍ତି । ଏପରିକି ଗତ ନିର୍ବାଚନରେ ସର୍ବାଧିକ ଭୋଟରେ ବିଜୟୀ ହୋଇଥିବା ବେଦପ୍ରକାଶ ଅଗ୍ରୱାଲଙ୍କୁ ଦଳ ମୈଦାନକୁ ଓହ୍ଲାଇ ବଡ ମାଷ୍ଟରଷ୍ଟ୍ରୋକ ଖେଳିଛି ।

ମାହାଙ୍ଗା : ମାହାଙ୍ଗା ଆସନ ପାଇଁ ବିଜେଡି ସୁପ୍ରିମୋ ପୁଣିଥରେ ଯୁବ ସଙ୍ଗଠକ ପ୍ରତାପ ଜେନାଙ୍କ ଉପରେ ଭରସା କରିଛି । ଲଗାତାର ବିଜୟୀ ହୋଇ ଆସୁଥିବା ପ୍ରତାପ ପୂର୍ବରୁ ବୈଜୟନ୍ତଙ୍କୁ ବିରୋଧ କରି ନବୀନଙ୍କ ଗୁଡବୁକରେ ରହିଥିଲେ । ଯେଉଁଥିପାଇଁ ପରବର୍ତ୍ତୀ ସମୟରେ ମନ୍ତ୍ରୀ ପଦ ମଧ୍ୟ ହାତେଇଥିଲେ ପ୍ରତାପ । ଏପରିକି ବୈଜୟନ୍ତଙ୍କ ବିରୋଧରେ ପ୍ରତାପଙ୍କୁ ସାଂସଦ ପ୍ରାର୍ଥୀ କରାଯିବା ନେଇ ଚର୍ଚ୍ଚା ମଧ୍ୟ ଜୋର ଧରିଥିଲା । କିନ୍ତୁ ଦଳ ତାଙ୍କୁ ମାହାଙ୍ଗାରୁ ପ୍ରାର୍ଥୀ କରି ଏହି ଚର୍ଚ୍ଚାର ଅବସାନ ଘଟାଇଛି ।

ସାଲେପୁର : ସାଲେପୁର ଆସନ ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚିତ ଆସନ ଭାବେ ଉଭା ହୋଇଛି । ଆଉ ଏହି ଚର୍ଚ୍ଚିତ ଆସନ ପାଇଁ ପୁରୁଣା ପ୍ରାର୍ଥୀ ପ୍ରଶାନ୍ତଙ୍କୁ ସିପାହୀ ଭାବେ ବାଛିଛନ୍ତି ନବୀନ । ଗତଥର ଗଡ ରକ୍ଷା କରିବାରେ ପ୍ରଶାନ୍ତ ବିଫଳ ହୋଇଥିଲେ ମଧ୍ୟ ପୁଣିଥରେ ପ୍ରଶାନ୍ତଙ୍କୁ ସୁଯୋଗ ଦେଇଛନ୍ତି ଦଳପତି । ତେଣୁ ଏଠାରେ ବଡ ଲଢେଇ ଦେଖିବାକୁ ମିଳିବ । ତେବେ ଦଳପତି ନବୀନ ଏହି ପୁରୁଣା ସିପାହୀଙ୍କୁ ସାଥୀ କରି ନୂଆ ଲଢେଇକୁ ଓହ୍ଳାଉଥିବା ବେଳେ ଫଳାଫଳ କଣ ହେବ ତାହା ମେ ୨୩ରେ ଜଣାପଡିବ ।