ଫିଟିଲା ମୁକ୍ତିର ବାଟ : ଓଡିଶା ଫେରିବେ ଦୁବାଇରେ ଫସିରହିଥିବା ୫ ଓଡିଆ

51

କନକ ବ୍ୟୁରୋ : ମିଳିଲା ମୁକ୍ତିର ଆନନ୍ଦ । ଘରକୁ ଫେରିବେ ଦୁବାଇରେ ଫସି ରହିଥିବା ୫ ଓଡ଼ିଆ । କାମ କରିବାକୁ ଯାଇ ଦୁବାଇରେ ଫସିଥିବା ଗଂଜାମ ଜିଲ୍ଲା ଖଲିକୋଟ ଅଂଚଳର ୫ଜଣଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ପ୍ରବାସୀ ଓଡିଆ । ଦୁବାଇରେ ଥିବା ପ୍ରବାସୀ ଓଡିଆ ମାନେ ଏହି ଓଡ଼ିଆ ଯୁବକଙ୍କ ଫେରିବାର ବ୍ୟବସ୍ଥା କରିଛନ୍ତି ।

ଭାରତ ଫେରିବା ପାଇଁ ଯୁବକମାନଙ୍କ ଟିକେଟ ଖର୍ଚ୍ଚ ବହନ କରିବା ସହ ଫେରିବାର ବନ୍ଦୋବସ୍ତ କରିଛନ୍ତି । ଦୁବାଇରେ ଓଡ଼ିଆ ଯୁବକ ଫସି ରହିଥିବା ନେଇ କନକ ନ୍ୟୁଜରେ ଖବର ପ୍ରସାରଣ ହୋଇଥିଲା । ଏହାପରେ କିଛି ପ୍ରବାସୀ ଓଡିଆ ବଢାଇଛନ୍ତି ସହାୟତାର ହାତ । ଫସି ରହିଥିବା ୫ ଓଡିଆଙ୍କ ପାଖରେ ପହଂଚି ଆର୍ଥିକ ସହାୟତା ଦେବା ସହ ଖାଇବା ପିଇବାର ବନ୍ଦୋବସ୍ତ କରିଛନ୍ତି ।

ଏଥିସହ କିଭଳି ସେମାନଙ୍କୁ ବିକଳ୍ପ ନିଯୁକ୍ତି ବ୍ୟବସ୍ଥା କରାଯାଇପାରିବ, ସେନେଇ ଗୁରୁତ୍ୱ ଦେଇଥିଲେ ଏକାଧିକ ସଂଗଠନ । ମାତ୍ର ଏହି ବିକଳ୍ପ ବ୍ୟବସ୍ଥା ସେମାନଙ୍କ କଷ୍ଟ ଦୂର କରିପାରିନଥିଲା । ଫଳରେ ନିଜ ଗାଁକୁ ଫେରି ଆସିବାକୁ ଆକୁଳ ନିବେଦନ କରିଥିଲେ ଫସି ରହିଥିବା ଓଡିଆ ଯୁବକ ।

ଗଂଜାମ ଜିଲ୍ଲାର ଖଲିକୋଟ ଅଂଚଳର ଏହି ୫ ଜଣ ଯୁବକ କାମ ପାଇଁ  ଦୁବାଇ ଯାଇଥିଲେ। ପରିବାରର ଭବିଷ୍ୟତ ଗଢିବା ପାଇଁ ଯାଇଥିବା ଏହି ଯୁବକଙ୍କ ଭାଗ୍ୟ ଅନିଶ୍ଚିତତା ଦେଇ ଗତି କରୁଥିଲା । ଆଉ ଭାଗ୍ୟକୁ ଆଦରି ସେଠାରେ ପଡ଼ି ରହିଥିବା ବେଳେ ଫେରିବା ପାଇଁ କନକ ନ୍ୟୁଜ ଜରିଆରେ ଆକୁଳ ନିବେଦନ କରିଥିଲେ । ଏବେ ସେମାନଙ୍କ ପାଇଁ ମୁକ୍ତିର ବାଟ ଫିଟିଛି ।