ବିଜେପିର ୧୦ ସିପାହୀଙ୍କ ମଧ୍ୟରୁ ୫ ନୂଆ ! ଦଳ ଛାଡିଥିବା ନେତାଙ୍କୁ କୋଳେଇ ନେଲା ବିଜେପି, ପୁଣିଥରେ କେନ୍ଦ୍ରାପଡାରୁ ମୈଦାନକୁ ଓହ୍ଲାଇବେ ବୈଜୟନ୍ତ

406

କନକ ବ୍ୟୁରୋ : ଘୋଷଣା ହେଲା ବିଜେପିର ପ୍ରଥମ ପର୍ଯ୍ୟାୟ ତାଲିକା । ଓଡିଶାର ୨୧ଟି ଲୋକସଭା ଆସନ ମଧ୍ୟରୁ ୧୦ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି । ଯେଉଁଥିରେ ୫ ପୁରୁଣା ପ୍ରାର୍ଥୀଙ୍କ ଉପରେ ଦଳ ଭରସା କରିଥିବା ବେଳେ ୫ ନୂଆ ସୈନିକଙ୍କୁ ମୈଦାନକୁ ଓହ୍ଲାଇବ ଦଳ । ରାଜ୍ୟରେ ଗେରୁଆ ବାନା ଉଡାଇବା ପାଇଁ ଉଭୟ ପୁରୁଣା ଓ ନୂଆ ଯୋଦ୍ଧାଙ୍କୁ ନେଇ ୨୦୧୯ ନିର୍ବାଚନ ଲଢିବ ବିଜେପି । ପୁରୁଣା ପ୍ରାର୍ଥୀ ଭାବେ ସୁନ୍ଦରଗଡରୁ ଜୁଏଲ ଓରାମ, ବାଲେଶ୍ୱରରୁ ପ୍ରତାପ ଷଡଙ୍ଗୀ, ଢେଙ୍କାନାଳରୁ ରୁଦ୍ର ନାରାୟଣ ପାଣି, କେଉଁଝରରୁ ଅନନ୍ତ ନାୟକ ଓ ବଲାଙ୍ଗୀରରୁ ସଙ୍ଗୀତା କୁମାରୀ ସିଂହଦେଓଙ୍କୁ ଦଳ ଦେଇଛି ଟିକେଟ । ତେବେ ୨୦୧୪ ନିର୍ବାଚନରେ ଏହି ୫ ପୁରୁଣା ପ୍ରାର୍ଥୀଙ୍କ ମଧ୍ୟରୁ ୪ ଜଣ ହାରିଥିବା ବେଳେ ରାଜ୍ୟରେ ସୁନ୍ଦରଗଡରୁ ଏକମାତ୍ର ବିଜେପି ସାଂସଦ ଭାବେ ଖାତା ଖୋଲିଥିଲେ ଜୁଏଲ । ତେବେ ପୁଣିଥରେ ଦଳ ଏମାନଙ୍କ ଉପରେ ଭରସା କରିଛି ।

ଅନ୍ୟପଟେ ବିଜେପି ଶିବିରକୁ ଗତ କିଛି ଦିନ ହେବ ଏଣ୍ଟ୍ରି କରିଥିବା ୪ ନେତାଙ୍କ ଉପରେ ଦଳ ଭରସା କରିବା ସହ ଟିକେଟ ଦେଇଛି । ଖାସକରି ବୈଜୟନ୍ତ ପଣ୍ଡାଙ୍କ ଭଳି ହେଭିୱେଟ ନେତାଙ୍କୁ ଦଳ ତାଙ୍କର ପୁରୁଣା ଆସନ କେନ୍ଦ୍ରାପଡାରୁ ପ୍ରାର୍ଥୀ କରିବାକୁ ଘୋଷଣା କରିଛି । ଗତ ମାର୍ଚ୍ଚ ୩ ତାରିଖରେ ବୈଜୟନ୍ତ ପଦ୍ମ ଧରିଥିଲେ । ଆଉ ପଦ୍ମ ଶିବିରରେ ଏଣ୍ଟ୍ରି କରିବାର ଦିନ କେଇଟା ପରେ ଦଳ ତାଙ୍କୁ କେନ୍ଦ୍ରାପଡା ଆସନରୁ ସିପାହୀ ଭାବେ ମୈଦାନକୁ ଓହ୍ଲାଇଛି । କେନ୍ଦ୍ରାପଡାରେ ଚତୁର୍ଥ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିଲେ ମଧ୍ୟ ବୈଜୟନ୍ତଙ୍କ ଟିକେଟ ଘୋଷଣା କରି ମାଷ୍ଟରଷ୍ଟ୍ରୋକ ମାରିଛି ବିଜେପି ।

ସେହିଭଳି ପ୍ରଶାସକରୁ ପଲିଟିସିଆନ ଭାବେ ବିଜେପିରେ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବା ଅପରାଜିତା ଷଡଙ୍ଗୀଙ୍କୁ ଦଳ ଭୁବନେଶ୍ୱର ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ଏହାଛଡା ସଜ ସଜ ବିଜେଡିକୁ ବାଏ ବାଏ କରି ବିଜେପିରେ ସାମିଲ ହୋଇଥିବା ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀଙ୍କୁ ମଧ୍ୟ ପୁଣିଥରେ ତାଙ୍କର ହୋମଗ୍ରାଉଣ୍ଡରେ ଲଢେଇ କରିବାକୁ ମୈଦାନକୁ ଓହ୍ଲାଇଛି । ଏମାନଙ୍କ ବ୍ୟତୀତ ବରିଷ୍ଠ ନେତା ରାମକୃଷ୍ଣ ପଟ୍ଟନାୟକଙ୍କ ଝିଅ ଅନିତା ପ୍ରିୟଦର୍ଶିନୀଙ୍କୁ ଆସ୍କାରୁ ଦଳ ଟିକେଟ ଦେବା ସହ ରାଜନୈତିକ କ୍ୟାରିୟର ଆରମ୍ଭ କରିବା ପାଇଁ ସୁଯୋଗ ଦେଇଛି ଦଳ । ଯେହେତୁ ବିଜେଡି ଆସ୍କାରେ ମହିଳା କାର୍ଡ ଖେଳିବା ସହ ପ୍ରମିଳା ବିଶୋୟୀଙ୍କୁ ମୈଦାନକୁ ଓହ୍ଲାଇଛି, ସେତେବେଳେ ତାଙ୍କୁ ଟକ୍କର ଦେବାକୁ ବିଜେପି ମଧ୍ୟ ମହିଳା ପ୍ରାର୍ଥୀ ଭାବେ ଅନିତାଙ୍କ ଉପରେ ଭରସା କରିଛି । ତେବେ ଏହି ୪ ପ୍ରାର୍ଥୀଙ୍କୁ ଛାଡିଦେଲେ ଭୃଗୁ ବକ୍ସିପାତ୍ରଙ୍କୁ ନୂଆ ପ୍ରାର୍ଥୀ ଭାବେ ବ୍ରହ୍ମପୁର ଲୋକସଭା ଆସନରୁ ପ୍ରାର୍ଥୀ କରିଛି ଦଳ ।

୧୦ ପ୍ରାର୍ଥୀଙ୍କ ମଧ୍ୟରୁ ୩ ଜଣ ମହିଳା ପ୍ରାର୍ଥୀଙ୍କୁ ଟିକେଟ ଦେଇ ଦଳ ବିଜେଡିକୁ କଡା ଟକ୍କର ଦେବାକୁ ଲକ୍ଷ୍ୟ ରଖିଛି । ଏହାପୂର୍ବରୁ ବିଜେଡି ୯ ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ ୩ ଜଣ ମହିଳାଙ୍କୁ ପ୍ରାର୍ଥୀ କରି ନବୀନ ନିଜର ପ୍ରତିଶୃତି ରକ୍ଷା କରିଥିଲେ । ୩୩% ପ୍ରତିଶତ ମହିଳାଙ୍କୁ ଦଳ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ କରିବ ବୋଲି ଘୋଷଣା କରିଥିଲେ ନବୀନ । ତେବେ ଏହି ନୂଆ ଓ ପୁରୁଣା ଫର୍ମୁଲାକୁ ନେଇ ବିଜେପି କେତେ ସଫଳ ହେଉଛି ତାହା ଦେଖିବା ବାକି ରହିଲା ।