ମୋଦିଙ୍କ ପ୍ରଚାର ପାଇଁ… ! ୨୨ ମିନିଟର କେଦାରନାଥ ଭିଡ଼ିଓରେ ପଶିଲା ୫ ମିନିଟର ମୋଦିଙ୍କ ବିଜ୍ଞାପନ

44

କେଦାରନାଥଙ୍କ ପୌରାଣିକ କାହାଣୀରେ ପଶିଲା ମୋଦିଙ୍କ ବିଜ୍ଞାପନ । କେଦାରନାଥ ମନ୍ଦିରରେ ଆରମ୍ଭ ହୋଇଥିବା ୨୨ ମିନିଟର ଲେଜର ଲାଇଟ ସୋରେ ରୋକ ଲଗାଇଛି ବଦ୍ରି କେଦାର ସମିତି । କାରଣ ଏହି ୨୨ ମିନିଟର ଲେଜର ଲାଇଟ ସୋରେ ୫ ମିନିଟ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା କରାଯାଇଥିବା ବିଭିନ୍ନ କାର୍ଯ୍ୟକୁ ପ୍ରଦର୍ଶିତ କରାଯାଇଥିଲା । ଯାହାକୁ ନେଇ ଆରମ୍ଭ ହୋଇଛି ବିରୋଧ । ଏଠାରେ ସୁଚନାଯୋଗ୍ୟ ଯେ, ଏହି ଲେଜର ସୋରେ ବାବା କେଦାରନାଥଙ୍କ ସହ ଯୋଡ଼ି ହୋଇଥିବା ସମସ୍ତ ପୌରାଣିକ କାହାଣୀକୁ ସ୍ଥାନ ଦିଆଯାଇଛି ।

ମନ୍ଦିର ସମିତିର ଅଧ୍ୟକ୍ଷଙ୍କ କହିବାନୁଯାୟୀ, ଲୋକଙ୍କ ନିକଟରେ କେଦାରନାଥଙ୍କ ମାହାତ୍ମ୍ୟ ପହଞ୍ଚାଇବା ପାଇଁ ଲେଜର ଲାଇଟ ସୋ କରାଯାଇଛି । କିନ୍ତୁ ବାବାଙ୍କ ପୌରାଣିକ କାହାଣୀ ଛଡ଼ା କୌଣସି ପାର୍ଟିର ବିଜ୍ଞାପନ ଯଦି ଏହି ସୋରେ ରହିବ ତେବେ ଏହା ଉପରେ ପ୍ରତିବନ୍ଧକ ଲଗାଯିବ । ତାଙ୍କ କହିବା ଅନୁଯାୟୀ, ଏହା ବାବା କେଦାରନାଥଙ୍କ ଦରବାର । ଏଠାରେ ରାଷ୍ଟ୍ରପତି ନା ପ୍ରଧାନମନ୍ତ୍ରୀ କୌଣସି ବ୍ୟକ୍ତିଙ୍କୁ ନିଜର ବିଜ୍ଞାପନ ପ୍ରଦର୍ଶନ କରିବାର ଅଧିକାର ନାହିଁ । ଯେତେବଡ଼ ଲୋକ ହୁଅନ୍ତୁ ନା କାହିଁକି ଭଗବାନଙ୍କ ସମକକ୍ଷ କେହି ନୁହନ୍ତି । ଏହାଛଡ଼ା ଏଭଳି କରି ଆମେ ମନ୍ଦିରକୁ ରାଜନୀତି ଆଖଡ଼ା କରିବାକୁ ଦେବୁନାହିଁ ବୋଲି କହିଛନ୍ତି ମନ୍ଦିର ସମିତିର ଅଧ୍ୟକ୍ଷ ।

ଲେଜର ଲାଇଟ ସୋ ପ୍ରସ୍ତୁତ କରିବାକୁ ଗୁଜରାଟର ଏକ କମ୍ପାନିକୁ ଦାୟିତ୍ୱ ଦିଆଯାଇଥିଲା ।କିନ୍ତୁ କମ୍ପାନି ପ୍ରସ୍ତୁତ କରିଥିବା ୨୨ ମିନିଟର ଭିଡ଼ିଓରେ ୫ ମିନିଟର ଅବଧି ମୋଦିଙ୍କ ବିଜ୍ଞାପନ ରହିଥିଲା । ତେଣୁ ଏହି ୫ ମିନିଟର ଦୃଶ୍ୟକୁ କାଟିବାକୁ ରାଜି ହୋଇଛି କମ୍ପାନି । ଏହାପରେ ମନ୍ଦିର ସମିତି ଲେଜର ସୋ କରିବାକୁ ରାଜି ହୋଇଛି ।