ଆଖି ପଲକରେ ଚୋରୀ ! ୩ ସେକେଣ୍ଡରେ ୫ ଲକ୍ଷ ଲୁଟ୍ : ସତ ଦେଖିଲା ସିସିଟିଭି

27

୩ ସେକେଣ୍ଡରେ ୫ ଲକ୍ଷ ଟଙ୍କା ଚୋରୀ । ତାହା ପୁଣି ଚଳନ୍ତା ଗାଡିରୁ । ଏହା ହୁଏତ ଆପଣଙ୍କୁ ଏହା କୌଣସି ଫିଲ୍ମର କାହାଣୀ ପରି ଲାଗୁଥିବ। କିନ୍ତୁ କଥାଟି ଯେତିକି ଆଶ୍ଚର୍ଯ୍ୟଜନକ ସେତିକି ସତ। ଏଭଳି ଘଟଣା ଘଟିଛି ସୁରଟରେ । ଚୋରୀର ଶିକାର ହୋଇଥିବା ବ୍ୟକ୍ତିଙ୍କ ନାଁ ହେଉଛି ପରେଶ ସିୟାନି ଯିଏ କି ପେଶାରେ ଜଣେ ବ୍ୟବସାୟୀ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଘଟଣାଟି ଏତେ ଶୀଘ୍ର ଘଟିଗଲା ଯେ ପରେଶ ଚୋରୀ ବିଷୟରେ ଟେର୍ ମଧ୍ୟ ପାଇ ପାରି ନଥିଲେ । କିଛି ସମୟପରେ ଯେତେବେଳେ ସେ ଜମା କରିବା ପାଇଁ ଟଙ୍କା ଖୋଜିଲେ ସେତେବେଳେ ଜାଣିବାକୁ ପାଇଲେ ଯେ ଟଙ୍କା ଆଉ ନାହିଁ ବୋଲି ।

ଘଟଣା ଦିନ ପରେଶ ନିଜର କିଛି ସହଯୋଗୀଙ୍କ ଠାରୁ ୫ ଲକ୍ଷ କଲେକ୍ଟ କରି ଜମା କରିବା ପାଇଁ ଯାଉଥିଲେ । ଆଉ ଏହି ଟଙ୍କାକୁ ଏକ ବ୍ୟାଗରେ ଭର୍ତ୍ତି କରି ନିଜ ଗାଡି ପଛରେ ରଖିଥିଲେ । ତେବେ ସୁରଟର ମଂଗଧ ଛକ ଠାରେ ଅତ୍ୟଧିକ ଟ୍ରାଫିକ୍ ଥିବାରୁ ପରେଶ ଧୀରେ ଧୀରେ ଗାଡି ଚଲାଉଥିଲେ । ତେବେ ସୁଯୋଗର ଅପେକ୍ଷାରେ ଥିବା ଦୁର୍ବୃତ୍ତ ଜଣକ ଏହି ସମୟରେ ଟଙ୍କା ବ୍ୟାଗ୍ ଧରି ଚମ୍ପଟ ମାରିଥିଲା । ଆଉ ଟ୍ରାଫିକ୍ ଏତେ ଥିଲା ଯେ ପରେଶଙ୍କ ପଛରେ ଥିବା ବ୍ୟକ୍ତି ମାନେ ମଧ୍ୟ ଏ ବିଷୟରେ ଜାଣି ପାରିନଥିଲେ । ତେବେ ଏ ସମସ୍ତ ଘଟଣା ନିକଟରେ ଥିବା ଏକ ବିଲଡିଂର ସିସିଟିଭିରେ କଏଦ ହୋଇଛି । ଆଉ ଯାହାକୁ ଆଧାର କରି ପୁଲିସ୍ ଛାନ୍ ଭିନ୍ କରୁଛି ।