ଅରୁଣାଚଳପ୍ରଦେଶରେ ଭୂସ୍ଖଳନ ! ଆଇଟିବିପି ଯବାନ ବସ୍ ଉପରକୁ ଖସି ପଡିଲା ପଥର ଖଣ୍ଡ, ୫ଜଣ ସହିଦ୍, ଉଦ୍ଧାର କାର୍ଯ୍ୟ ଜାରି

25

କନକ ବ୍ୟୁରୋ: ଅରୁଣାଚଳପ୍ରଦେଶରେ ଭୂସ୍ଖଳନ । ଭୂସ୍ଖଳନ ଯୋଗୁଁ ଆଇଟିବିପି ଯବାନ ବସ୍ ଉପରକୁ ପଥର ଖଣ୍ଡ ଖସି ୫ଜଣ ସହିଦ୍ ହୋଇଛନ୍ତି । ୨୦ ଜଣ ଯବାନଙ୍କୁ ନେଇ ବସ୍ଟି ପାହାଡ ତଳେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ପାହାଡରୁ ଏକ ବଡ ପଥର ଖଣ୍ଡ ଯବାନଙ୍କ ବସ୍ ଉପରେ ଖସି ପଡିଥିଲା । ଫଳରେ ଘଟଣାସ୍ଥଳରେ ୪ ଜଣ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଆହତ ହୋଇଥିବା ଜଣେ ଯବାନଙ୍କ ଚିକିତ୍ସାଧିନ ଅବସ୍ଥାରେ ପ୍ରାଣହାନୀ ହୋଇଛି । ଏହି ଭୂସ୍ଖଳନରେ ୭ ଜଣ ଆହତ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ପୋଲିସ ସୂଚନା ଦେଇଛି । ସପ୍ତାହେ ଧରି ଏହି ଅଂଚଳରେ ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହେଉଥିବା ଜଣାପଡିଛି । ଅରୁଣାଚଳ ପ୍ରଦେଶର ଲୋୟର ସିଆଙ୍ଗ୍ ଅଂଚଳରେ ଏହି ଭୂସ୍ଖଳନ ହୋଇଛି ।

ସୂଚନା ମୁତାବକ, ତଳ ସିଆଙ୍ଗ୍ର ଜିଲ୍ଲା ମୁଖ୍ୟାଳୟ ଲିକାବାଲି ଠାରୁ ପ୍ରାୟ ୫ କିଲୋମିଟର ଦୂରରେ ରାତି ପ୍ରାୟ ୨ଟା ୩୦ ମିନିଟ୍ ସମୟରେ ଦୁର୍ଘଟଣା ଘଟିଥିଲା। କର୍ମଚାରୀମାନେ ପଶ୍ଚିମ ସିଆଙ୍ଗ୍ ଜିଲ୍ଲାର ବସାରରୁ ସେଠାକୁ ଯାଉଥିଲେ ବୋଲି ପୁଲିସ କହିଛି। ପର୍ବତ ଢାଲୁ ଦେଇ ଗଡ଼ି ଆସିଥିବା ପଥର ଖଣ୍ଡଟି ୨୦ ଜଣ ଆଇଟିବିପି କର୍ମଚାରୀଙ୍କୁ ନେଇ ଯାଉଥିବା ମିନି ବସକୁ ଧ୍ୱଂସ କରି ପକାଇଥିଲା। ଫଳରେ ଘଟଣାସ୍ଥଳରେ ୪ ଜଣ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଆହତ ହୋଇଥିବା ଜଣେ ଯବାନଙ୍କ ଚିକିତ୍ସାଧିନ ଅବସ୍ଥାରେ ପ୍ରାଣହାନୀ ହୋଇଛି ।

ପାଞ୍ଚ ଦିନ ମଧ୍ୟରେ ରାଜ୍ୟରେ ଏହା ହେଉଛି ଭୂସ୍ଖଳନ ସମ୍ବନ୍ଧୀୟ ଦ୍ୱିତୀୟ ଘଟଣା। ଏ ବର୍ଷ ମୌସୁମିରେ ଭୂସ୍ଖଳନଜନିତ ମୃତ୍ୟୁ ସଂଖ୍ୟା ୯ରେ ପହଞ୍ଚିଲାଣି। ରାସ୍ତାର ଅବସ୍ଥା ଅତି କଦର୍ୟ୍ୟ ଥିବାରୁ ଗାଡ଼ି ଧୀରେ ଧୀରେ ଯାଉଥିବା ବେଳେ ପଥରଖଣ୍ଡ ଆସି ତା’ ଉପରେ ଓଜାଡ଼ି ହୋଇ ପଡ଼ିଥିଲା। ଏଥିରେ ଅନ୍ୟ ଆଠ ଜଣ କର୍ମଚାରୀ ଆହତ ହୋଇଛନ୍ତି ଓ ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ସାଙ୍ଘାତିକ ହୋଇଥିଲା। ସେ ଦୁଇ ଜଣଙ୍କୁ ଲିକାବାଲିସ୍ଥିତ ସେନା ହସ୍ପିଟାଲ୍କୁ ନିଆ ଯାଇଛି। ସାମାନ୍ୟ ଆହତମାନଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଉଛି। ବରାବର ପର୍ବତରୁ ପଥର ଖଣ୍ଡମାନ ଗଡ଼ି ଆସୁଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜୁଥିବା କଥା କହିଛନ୍ତି ଏସ୍ପି।