ଆଠଗଡ ତିଗିରିଆ ଅଂଚଳରେ ଚାଂଚଲ୍ୟ ! ମୁଣି ଭିତରୁ ଠାବ ହେଲା ପାଂଚଟି ମଣିଷ ଖପୁରୀ, ସେପଟେ କଟକ ନେମାଳ ଅଂଚଳରୁ ୩ ମାସ ଶିଶୁର କଟାମୁଣ୍ଡ ଉଦ୍ଧାର

49

କନକ ବ୍ୟୁରୋ: ବିଲ ଭିତରୁ ମିଳିଲା ଶିଶୁର କଟାମୁଣ୍ଡ । କଟକ ଜିଲ୍ଲା ନେମାଳ ଥାନା ଅନ୍ତର୍ଗତ ତିଲକଣା ପଂଚାୟତରୁ ଆସିଛି ଏଭଳି ଅଭାବନୀୟ ଘଟଣା । କୁଆଁସୋଳ ଓ ବାଗୁରା ଗାଁର ମଧ୍ୟବର୍ତ୍ତି ଗହୀର ଧାନ ବିଲରୁ ଏକ ଦୁଇ-ତିନି ମାସର ଶିଶୁର କଟାମୁଣ୍ଡ ଉଦ୍ଧାର ହୋଇଛି । ଶିଶୁଟିର ମୁଣ୍ଡରେ କଳା ଟୋପା ରହିଥିବା ବେଳେ ଗଳାକୁ ଅତି ଜଘନ୍ୟ ଭାବେ କଟାଯାଇଛି । ଧାନ କାଟିବା ପାଇଁ ଯାଇଥିବା ମେସିନ୍ ଚାଳକ ପ୍ରଥମେ ରକ୍ତ ଜୁଡୁବୁଡୁ କଟାମୁଣ୍ଡକୁ ଦେଖି ଗ୍ରାମବାସୀଙ୍କୁ ଖବର ଦେଇଥିଲେ । ଖବର ପ୍ରଚାରିତ ହେବା ପରେ ଶତାଧିକ ଲୋକ ଜମା ହୋଇଥିଲେ । ପୋଲିସ କଟାମୁଣ୍ଡକୁ ଜବତ କରିବା ସହ ସାଇଂଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରିଛି । ଅମାବାସ୍ୟା ଥିବାରୁ ତନ୍ତ୍ର ସାଧନା ପାଇଁ ବଳି ପକା ଯାଇଥିବା ସନ୍ଦେହ କରାଯାଉଛି ।

ସେପଟେ, ଏକ ମୁଣି ଭିତରୁ ମିଳିଛି ମଣିଷ ମୁଣ୍ଡ । ତେବେ ଗୋଟିଏ କି ଦୁଇଟି ନୁହଁ ବରଂ ମିଳିଛି ପାଂଚ ପାଂଚଟି ମଣିଷ ଖପୁରୀ । ଆଠଗଡରୁ ୫ଟି ମଣିଷ ଖପୁରୀ ଜବତ କରିଛି ପୁଲିସ । ଆଠଗଡ ତିଗିରିଆ ଥାନା ନୂଆପାଟଣା ସ୍ପିନିଂ ମିଲ ନିକଟରୁ ଏହି ଖପୁରୀ ଜବତ ହୋଇଛି । ତିଗିରିଆ ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ତେବେ ଏହି ଖପୁରୀ ଗୁଡିକ କାହାର ଏବଂ ଏହା କେଉଁଠାରୁ ଆସିଲା ସେ ନେଇ କୌଣସି ସୂଚନା ମିଳିନାହିଁ ।

ଉଲ୍ଲେଖଯୋଗ୍ୟ ଯେ, କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ନୂଆପାଟଣା ଜଗନ୍ନାଥ ସୂତାକଳ ପରିସରରୁ ଉଦ୍ଧାର ହୋଇଛି ୫ଟି ମଣିଷ ମୁଣ୍ଡର ଖପୁରି । ୧୨ ବର୍ଷ ହେଲା ବନ୍ଦ ପଡ଼ିଥିବା ଏହି ସୂତାକଳ ପରିସରରୁ ଏଭଳି ଏକାଧିକ ଖପୁରି ଉଦ୍ଧାର ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ବଳି ଏବଂ ତନ୍ତ୍ର ସାଧନା ପାଇଁ ହୁଏତ ଏଠି ଏଭଳି କିଛି କାଣ୍ଡ କରାଯାଉଛି ବୋଲି ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଥିବା ବେଳେ ପୁଲିସ ଖପୁରି ଗୁଡିକୁ ଜବତ କରିଛି। ଆଜି ଏହାକୁ ଫରେନ୍ସିକ୍ ପରୀକ୍ଷା ପାଇଁ ପଠାଯିବ ବୋଲି ସୂଚନା ମିଳିଛି । ଜବତ ହୋଇଥିବା ଖପୁରି ସବୁ ୫/୬ବର୍ଷ ତଳର ପୁରୁଣା ବୋଲି ପୁଲିସ ସନ୍ଦେହ କରୁଛି ।