ଦରକାର ନାହିଁ ଏଭଳି ହରତାଳ, ଯେଉଁଠି ରାସ୍ତାରେ ଚାଲିବ ଆତଙ୍କରାଜ୍! ୫ ଘଂଟାର ଆନ୍ଦୋଳନରେ କମିଗଲା କି ପେଟ୍ରୋଲ ଦର?

163

ପେଟ୍ରୋଲ ଦରବୃଦ୍ଧିର ପ୍ରତିବାଦରେ ୫ ଘଂଟିଆ ହରତାଳ କରିଥିଲା ବିଜେଡି । ମୋଦି ସରକାର କ୍ଷମତାକୁ ଆସିବା ପରେ ଅହେତୁକ ଦରବୃଦ୍ଧି ବିରୋଧରେ ଦଳ ପାଳନ କରିଥିଲ । ହକ୍ ପାଇଁ ହରତାଳ । ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରିବାକୁ ଦଳ ଆହ୍ୱାନ ଦେଇଥିଲା । କହିଥିଲା, ଅତ୍ୟାବଶ୍ୟକୀୟ ସାମଗ୍ରୀକୁ ବାଦ ଦେଇ ଦଳ ଲୋକଙ୍କ ସ୍ୱାର୍ଥ ସମ୍ବଳିତ ଏହି ପ୍ରସଙ୍ଗରେ ହରତାଳ କରିବ । ସକାଳ ୭ଟାରୁ ଆରମ୍ଭ ହୋଇ ହରତାଳ ଚାଲିଲା ୧୨ଟା ଯାଏଁ । ନା ଶାନ୍ତିପୁର୍ଣ୍ଣ ଥିଲା ଆନ୍ଦୋଳନ ନା ବାଦ ପଡିଥିଲା ଅତ୍ୟାବଶ୍ୟକୀୟ ସାମଗ୍ରୀ ।

ଶାସକ ବିଜୁ ଜନତାଦଳର ଏହି ହରତାଳର ୫ ଘଂଟା ଆତଙ୍କର ବାତାବରଣ ତିଆରି କରିଥିଲା । ପ୍ରତି ଛକରେ ଟାୟାର ଜାଳି ରାସ୍ତା ଅବରୋଧ ସାଙ୍ଗକୁ ରାସ୍ତାରେ ଯାଉଥିବା ଲୋକଙ୍କୁ ଆକ୍ରମଣ କରିବା । କିଛି ଏଭଳି ଥିଲା ବିଜେଡିର ଶାନ୍ତିପୂର୍ଣ୍ଣ ହରତାଳ । ପ୍ରଶ୍ନ ଉଠୁଛି, ଏଭଳି ଆନ୍ଦୋଳନ ଫଳରେ ଲାଭ କିଏ ପାଇଲା ଆଉ କ୍ଷତି କିଏ ସହିଲା? ଯେଉଁ ସାଧାରଣ ଲୋକଙ୍କ ପାଇଁ ଶାସକ ବିଜେଡି ଆନ୍ଦୋଳନ କରୁଥିଲା, ସେହି ଲୋକଙ୍କୁ ରାସ୍ତାରେ ଅଟକାଇ ହଇରାଣ କରିବା କେଉଁ ସ୍ୱାର୍ଥକୁ ସାଧିତ କରିଛନ୍ତି ।

ପ୍ରଥମେ ନଜର ପକାନ୍ତୁ ତୈଳଦର ବୃଦ୍ଧି ପ୍ରତିବାଦରେ ବିଜେଡିର ଯୁକ୍ତି କଣ ଥିଲା । ବିଜେଡିର କହିବା କଥା, ତୈଳଦର ବୃଦ୍ଧି କରି କେନ୍ଦ୍ରର ବିଜେପି ସରକାର ଓଡିଶା ତଥା ଦେଶର ଗରିବ ଜନସାଧାରଣଙ୍କୁ ଲୁଟ କରି ଘରୋଇ ତୈଳ କଂପାନୀ ମାନଙ୍କୁ ଲାଭ ଦେଉଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳଦର ଅର୍ଦ୍ଧାଧିକ ହ୍ରାସ ପାଇଥିବା ବେଳେ ଉତ୍ପାଦ ଶୁଳ୍କ ଅହେତୁକ ବୃଦ୍ଧି କରି କେନ୍ଦ୍ର ସରକାର ବାରମ୍ବାର ତୈଳଦର ବୃଦ୍ଧି କରିବା ଜନବିରୋଧୀ ନିଷ୍ପତ୍ତି । ଶାସକ ବିଜେଡି ଲୋକଙ୍କ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉଠାଇବା ସହ ହକର ଲଢେଇ ଆରମ୍ଭ କଲା । ହେଲେ ହରତାଳ ଏତେ ସାଂଘାତିକ ରୂପ ନେଲା କେମିତି?

ବିଜେଡି ହରତାଳ ବେଳେ ଭୁବନେଶ୍ୱରରେ ଅସ୍ୱାଭାବିକ ପରିସ୍ଥିତି ଦେଖିବାକୁ ମିଳିଥିଲା । ଦଳ ଶାନ୍ତିପୂର୍ଣ୍ଣ ହରତାଳ ବୋଲି କହୁଥିଲେ ବି ଭୁବନେଶ୍ୱର ସିଆରପି ଛକରେ ଆମ୍ବୁଲାସନକୁ ଅଟକାଇଥିଲେ ବିଜେଡି କର୍ମୀ । ଆମ୍ବୁଲାନସରେ ରୋଗୀଥିଲେ । ହେଲେ ଏହା ଶାସକ ଦଳର କର୍ମୀଙ୍କୁ ଦେଖାଯାଇନଥିଲା । ସେହିପରି ଡେଲଟା ଛକରେ ଜଣେ ଯୁବତୀ ସ୍କୁଟିରେ ଯାଉଥିବା ବେଳେ ତାଙ୍କୁ ଘେରିଯାଇ କିଛି ଯୁବକ ଅଶାଳୀନ ବ୍ୟବହାର କରିଥିଲେ । ବାଇକରେ ଯାଉଥିବା ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରିଥିଲେ । ରାସ୍ତାରେ କାର୍ ଭଙ୍ଗାରୁଜ୍ଜା କରିଥିଲେ । ଅଟୋ ଏଥିରୁ ବାଦ ପଡିନଥିଲା । ଶାସକ ବିଜେଡିର ଏହା କଣ ଥିଲା ଶାନ୍ତିପୁର୍ଣ୍ଣ ଆନ୍ଦୋଳନ?

ବିଜେଡି କର୍ମୀଙ୍କ ଏଭଳି ଉଗ୍ରରୁପ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଆନ୍ଦୋଳନ ଗୋଟିଏ କଥାକୁ ସ୍ପଷ୍ଟ ଭାବେ ପ୍ରମାଣିତ କରୁଥିଲା, ଜନତାଙ୍କ ସ୍ୱାର୍ଥ କମ୍ ବରଂ ଦଳୀୟ ରାଜନୈତିକ ସ୍ୱାର୍ଥକୁ କର୍ମୀ ରାଜରାସ୍ତାରେ ଯଥେଷ୍ଟ ଗୁରୁତ୍ୱ ଦେଇଥିଲେ । ସେହିଭଳି ଚାଷ ଓ ଚାଷୀ ପ୍ରସଙ୍ଗରେ ବିଜେପି ରାସ୍ତାକୁ ଓହ୍ଲାଇଛି । ପ୍ରଶ୍ନ ଉଠୁଛି, ଯେଉଁଦିନ ବିଜେଡି ଆନ୍ଦୋଳନ କରୁଛି, ସେହିଦିନ ବିଜେପି ରାସ୍ତାକୁ ଓହ୍ଲାଇବା କେତେଦୁର ଠିକ? ରାଜନୈତିକ ଟଣାଓଟରା ଭିତରେ ସାଧାରଣ ଜନତା ବଳି ପଡୁଛନ୍ତି ଏହା କଣ ରାଜନୈତିକ ଦଳ ବୁଝିପାରୁନାହାନ୍ତି?

ସୋସିଆଲ ମିଡିଆରେ ହରତାଳକୁ ନେଇ ବେଶ କଡା ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଡେଲଟା ଛକରେ ଯୁବତୀଙ୍କୁ ଅସଦାଚରଣ କରିବା ଘଟଣାକୁ ଲଜ୍ଜା ଭାବେ ଅଭିହିତ କରାଯାଇଛି । ଯେଭଳି ଭାବେ ଅସାମାଜିକ ବ୍ୟକ୍ତି ଏଭଳି କାଣ୍ଡ ଭିଆଇଲେ ତାହା କେବେ ବି ସଭ୍ୟ ସମାଜରେ ଗ୍ରହଣୀୟ ହେବନାହିଁ ବୋଲି ମତପ୍ରକାଶ ପାଇଛି । ଏହା କେଉଁ ପ୍ରକାରେ ମା’କୁ ସମ୍ମାନ ବୋଲି ଟ୍ୱିଟରରେ ପ୍ରଶ୍ନ ଉଠିଛି । ସେହିଭଳି ବିଜେଡି ନେତା ବନ୍ଦକୁ ସଫଳ କହୁଥିବା ପ୍ରସଙ୍ଗକୁ କଟାକ୍ଷ କରାଯାଇଛି । ରାସ୍ତାରେ ଲୋକଙ୍କୁ ଅଟକ ରଖି କାହିଁକି ବନ୍ଦ ସଫଳ ହୋଇଥିବା କଥା କହୁଛ ବୋଲି ଉଠିଛି ପ୍ରଶ୍ନ । ବନ୍ଦ ବେଳ ପ୍ରତ୍ୟେକ ଦଳର ନେତା ହାତରେ ଠେଙ୍ଗାବାଡି ଧରି ଗୁଣ୍ଡା ପାଲଟି ଯାଆନ୍ତି ବୋଲି ମତ ପ୍ରକାଶ ପାଇଛି । ରାସ୍ତାରେ ଗାଡି ଭଙ୍ଗାରୁଜ୍ଜା ଘଟଣାକୁ ମଧ୍ୟ ସୋସିଆଲ ମିଡିଆରେ ନିନ୍ଦା କରାଯାଇଛି ।

ସ୍ୱାଭାବିକ ଭାବେ ପ୍ରଶ୍ନ ଉଠିବ, ୫ ଘଂଟାର ଏହି ଆନ୍ଦୋଳନରୁ କିଏ ପାଇଲା କଣ? ପେଟ୍ରୋଲ ଓ ଡିଜେଲ ଦର କଣ କମିଗଲା ? ରାଜ୍ୟ ଓ କେନ୍ଦ୍ର ସରକାର ଟିକସ କମାଇଦେଲେ? ସାଧାରଣ ଲୋକ କଣ ୩୧ ଟଙ୍କାରେ ପେଟ୍ରୋଲ ପାଇଲେ? ଯଦି ନା ତେବେ ଏଭଳି ହରତାଳ କରିବାର ଉଦ୍ଦେଶ୍ୟ କଣ? ନିଜ କର୍ମୀଙ୍କୁ କ୍ରିୟାଶୀଳ କରାଇ ଶକ୍ତି ପ୍ରଦର୍ଶନର ବହୁ ମାଧ୍ୟମ ରହିଛି । ସେହି ରାସ୍ତା ବା ପନ୍ଥାକୁ ନ’ଆପଣାଇ ହରତାଳ କରି ଲୋକଙ୍କୁ ହଇରାଣ କଲେ କଣ ଲାଭ, ସେନେଇ ଉଠିଛି ପ୍ରତିବାଦର ସ୍ୱର । ରାସ୍ତାରେ ଯେଉଁଭଳି ୫ ଘଂଟା ଧରି ଆତଙ୍କ ଚାଲିଲା, ଏହା କୌଣସି ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ । ରାଜନୈତିକ ଦଳ ହରତାଳ କରିବେ ବୋଲି, କଣ ଲୋକ ଅଫିସ ଯିବା ବନ୍ଦ କରିଦେବେ? କାହାର ଦେହ ଖରାପ ହେବନାହିଁ? କିଏ ବ୍ୟାଙ୍କ ଯିବନାହିଁ? ଦୋକାନୀ ଦୋକାନ ଖୋଲିବେ ନାହିଁ? କମସେ କମ୍ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଶଦ୍ଦର ମଜାକ୍ ଉଡାଇବା ଆଗରୁ ରାଜନୈତିକ ଦଳର ମୁଖିଆମାନେ ଲୋକଙ୍କ ପାଇଁ ଗାଇଡ୍ ଲାଇନ୍ ଜାରି କରନ୍ତୁ, ହରତାଳ ବେଳେ କଣ କରିବେ ଓ କଣ କରିବେ ନାହିଁ ।

ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି ବାବଦରେ ବିଜେଡିର ଯୁକ୍ତି କଣ ରହିଛି, ନଜର ପକାନ୍ତୁ । ଆମେରିକାରେ ଝଡ ହେବା ଯୋଗୁଁ କଂଚାତେଲ ଦର ବଢିଛି ଓ ଏହାଦ୍ୱାରା ଭାରତରେ ତେଲଦର ବଢୁଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଥିବା ବକ୍ତବ୍ୟକୁ ହାସ୍ୟାସ୍ପଦ କହିଛି ବିଜୁ ଜନତା ଦଳ । ମହାରାଷ୍ଟ୍ରରେ ୩୨.୦୧ ପ୍ରତିଶତ, ୟୁପିରେ ୩୩ ପ୍ରତିଶତ, ଉତ୍ତରାଖଣ୍ଡରେ ୩୫.୯୮ ପ୍ରତିଶତ, ରାଜସ୍ଥାନରେ ୩୨.୭୧ ପ୍ରତିଶତ, ଝାଡଖଣ୍ଡରେ ୩୪.୭୪ ପ୍ରତିଶତ ଭାଟ ଆଦାୟ କରାଯାଉଛି । ସେହି ତୁଳନାରେ ଓଡିଶା ସରକାର କମ ଭାଟ ନେଉଛନ୍ତି । କେନ୍ଦ୍ରରେ ୨୦୧୪ରେ ଏନଡିଏ ସରକାର ଆସିବା ପରେ ୧୦୮ ପ୍ରତିଶତ ଉତ୍ପାଦ ଶୁଳ୍କ ବଢିଛି । ଡିଜେଲ ଉପରେ ୨୮୮.୦୯ ପ୍ରତିଶତ ଉତ୍ପାଦ ଶୁଳ୍କ ବଢିଛି । ଏହା କେଉଁ ପ୍ରକାରର ଆଛାଦିନ ବୋଲି ବିଜୁ ଜନତା ଦଳ ପ୍ରଶ୍ନ ଉଠାଇଛି ।

ସେହିଭଳି ତଥ୍ୟ ଧରି ବିଜେପି କାଉଂଟର କରିଛି ବିଜେଡିକୁ । କହିଛି, ସାଧାରଣ ଗରିବ ଓଡିଆ ଲୋକଙ୍କୁ ଲାଭ ପହଂଚାଇବା ପାଇଁ ନୁହେଁ ବରଂ ତେଲ ବାହାନାରେ ଧର୍ମେନ୍ଦ୍ରଙ୍କ ଉପରେ ରାଜନୈତିକ ଆକ୍ରମଣ କରୁଛି ବିଜୁ ଜନତା ଦଳ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପେଟ୍ରୋଲିୟମ ଜାତ ସାମଗ୍ରୀକୁ ଜିଏସଟି ପରିଧି ଭିତରକୁ ଆଣିବାକୁ ପ୍ରସ୍ତାବ ଦେଇ ଏହାର ନେତୃତ୍ୱ କାହିଁକି ନେଉନାହାନ୍ତି ବୋଲି ବିଜେପି ପ୍ରଶ୍ନ କରିଛି । ଅର୍ଥାତ୍ ବିଜେଡି କୋର୍ଟକୁ ବଲ୍ ଫିଙ୍ଗି ବିଜେପି ଚୁପଚାପ ବସିଛି । କେନ୍ଦ୍ରୀୟ ଟିକସ ଛଡା ରାଜ୍ୟ ସରକାର ପେଟ୍ରୋଲଜାତ ଦ୍ରବ୍ୟ ଉପରେ ଅତିରିକ୍ତ ୨୬ ପ୍ରତିଶତ ଭାଟ ନେଉଛନ୍ତି, ଏହାକୁ କାହିଁକି ନବୀନ ସରକାର ଛାଡ କରୁନାହାନ୍ତି ବୋଲି ପ୍ରଶ୍ନ କରିଛି ବିଜେପି ।

ପେଟ୍ରୋଲ ପ୍ରତି ଲିଟରରେ ରାଜ୍ୟ ସରକାରଙ୍କ ନିଜସ୍ୱ ଟିକେଟ ୧୩ ଟଙ୍କା ୨୬ ପଇସା ଓ ଡିଜେଲରେ ୧୨ ଟଙ୍କା ୫୦ ପଇସା ନିଜସ୍ୱ ଟିକସ ପାଉଛନ୍ତି । ମାସିକ ରାଜ୍ୟ ସରକାର ୩୫୭ କୋଟି ଓ ବାର୍ଷିକ ୪୨୮୪ କୋଟି ଟଙ୍କା ପାଉଥିବା ବିଜେପି ସାମ୍ବାଦିକ ସମ୍ମିଳନୀରେ ତଥ୍ୟ ଦେଇଛି । ୨୦୧୧-୧୨ରେ ରାଜ୍ୟ ସରକାର ପେଟ୍ରୋଲିୟମ ଦ୍ରବ୍ୟରେ ୧୮୨୦ କୋଟି ରାଜସ୍ୱ ପାଉଥିବା ବେଳେ ଏବେ ପାଉଛନ୍ତି ୪୨୮୪ କୋଟି । କେନ୍ଦ୍ର ସରକାର ପେଟ୍ରୋଲରୁ ଯାହା ଟିକସ ପାଉଛନ୍ତି, ତାର ୪୨ ଭାଗ ରାଜ୍ୟକୁ ଆସୁଛି । ଏ ତମାମ ଯୁକ୍ତି ଦେଖାଇ ଭାରତୀୟ ଜନତା ପାର୍ଟି ଶାସକ ବିଜୁ ଜନତା ଦଳକୁ ଟାର୍ଗେଟ କରିଛି ।

ହେଲେ ଉଭୟ ରାଜନୈତିକ ଦଳ କିନ୍ତୁ ମୂଳ ପ୍ରସଙ୍ଗରୁ ଦୂରେଇ ଯାଉଛନ୍ତି । ପେଟ୍ରୋଲ ଓ ଡିଜେଲ ଦର କମିବ କେମିତି ? ପେଟ୍ରୋଲିୟମ ଜାତ ସାମଗ୍ରୀ କାହିଁକି ଜିଏସଟି ପରିଧି ଭିତରକୁ ଆସୁନାହିଁ, ଏହାର ସଠିକ ଉତ୍ତର କେହି ଦେଇପାରିବେ ନାହିଁ । କାହିଁକି ନା ଉଭୟେ ଜାଣିଛନ୍ତି, ପେଟ୍ରୋଲ ଓ ଡିଜେଲ ଜିଏସଟି ଭିତରକୁ ଆସିଲେ, ଉଭୟଙ୍କର କ୍ଷତି ହେବ । ତେଣୁ ପରସ୍ପରକୁ ସମାଲୋଚନା କରି ଉଭୟ ଦଳ ଚୁପ । ପେଟ୍ରୋଲ ଓ ଡିଜେଲ ଦର ସେତେବେଳେ କମିବ, ଯେତେବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହା ଉପରୁ ଟିକସ କମାଇବେ । ହେଲେ ଏହି ପ୍ରସଙ୍ଗ ମଧ୍ୟ କେହି ଉଠାଉନାହାନ୍ତି । ନା ରାଜ୍ୟ ଭାଟ୍ କମାଇବାକୁ ପ୍ରସ୍ତୁତ ଅଛି, ନା କେନ୍ଦ୍ର ଉତ୍ପାଦ ଶୁଳ୍କ ।

ବାସ୍ତବତା ଠାରୁ ଦୂରକୁ ଯାଇ ଉଭୟ ରାଜନୈତିକ ଦଳ ଆନ୍ଦୋଳନ କରିବାରେ ବ୍ୟସ୍ତ ଥିବା ବେଳେ ସାଧାରଣ ଜନତା ପଡୁଛନ୍ତି ଅକାଳରେ । ହରତାଳ ହେଉଛି, ରାସ୍ତା ଜାମ ହେଉଛି । ହେଲେ ପେଟ୍ରୋଲ ଦର କମୁନି ଆଉ ଲୋକ ହନ୍ତସନ୍ତ ହେଉଛନ୍ତି । ଏହା ହେଉଛି ବାସ୍ତବତା । ସମସ୍ତ ରାଜନୈତିକ ଦଳ ଏହାକୁ ବୁଝିବାର ଆବଶ୍ୟକତା ରହିଛି । ଯଦି ଆନ୍ଦୋଳନ କଲେ ସମାଧାନର ସୂତ୍ର ବାହାରୁଛି, ତେବେ ପ୍ରତି ପ୍ରସଙ୍ଗରେ ଆନ୍ଦୋଳନ କର, ହେଲେ ଖାଲିଟାରେ ଦଳୀୟ ରାଜନୈତିକ ସ୍ୱାର୍ଥ ପାଇଁ ସାଧାରଣ ଲୋକଙ୍କୁ ଅସୁବିଧାରେ ପକାଅନି ।