ଆକ୍ସନ ମୋଡରେ କମିଶନରେଟ ପୋଲିସ । ମୋଷ୍ଟ ୱାଣ୍ଟେଡ ଅପରାଧୀ ରବି ରାଓଙ୍କୁ ଏନକାଉଣ୍ଟର କଲା ଖଣ୍ଡଗିରି ପୋଲିସ, ଦୁଇ ଦିନ ମଧ୍ୟରେ ୫ ଏନକାଉଣ୍ଟର  ।

315

କନକ ବ୍ୟୁରୋ : ଭୁବନେଶ୍ୱରରେ ପୁଣି ଏନକାଉଣ୍ଟର । ଗତ ଦୁଇ ଦିନ ମଧ୍ୟରେ ପଞ୍ଚମ ଏନକାଉଣ୍ଟର କରିଛି କମିଶନରେଟ ପୋଲିସ । ଖଣ୍ଡଗିରିର ଭରତପୁର ଅଞ୍ଚଳରେ ଏହି ଏନକାଉଣ୍ଟର ହୋଇଥିବା ବେଳେ ଏଥିରେ ମୋଷ୍ଟ ୱାଣ୍ଟେଡ ଅପରାଧୀ ରବି ରାଓ ଆହତ ହୋଇଥିବା ସୂଚନା ମିଳିଛି । ଦୁର୍ଦ୍ଦାନ୍ତ ଅପରାଧୀ ରବିର ଗୋଡରେ ଗୁଳି ବାଜିଥିବା ବେଳେ କ୍ୟାପିଟାଲ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନା ମୁତାବକ, ଇନୋଭା ଗାଡିରେ ରବି ଯାଉଥିବା ବେଳେ ଭରତପୁର ଛକ ନିକଟରେ ଅଟକାଇଥିଲା ପୋଲିସ । ତେବେ ପୋଲିସକୁ ଦେଖି ଗାଡିରୁ ଓହ୍ଲାଇ ଖସିଯିବାକୁ ଚେଷ୍ଟା କରିଥିଲା ରବି । ଏପରିକି ପୋଲିସ ଉପରକୁ ୩ରୁ୪ ରାଉଣ୍ଡ ଗୁଳି ଚଳାଇଥିଲା । ତେବେ ପୋଲିସର ପାଲଟା ଆକ୍ରମଣରେ ରବି ଗୋଡରେ ବାଜିଥିଲା ଗୁଳି ।

ଦୁର୍ଦ୍ଦାନ୍ତ ଅପରାଧୀ ରବି ରାଓ ନାଁରେ ଅନେକ ଅପରାଧିକ ରେକର୍ଡ ରହିଛି । ରାହାଜାନି,ଏକାଧିକ ଲୁଟ୍ ଓ ଡକାୟତି ମାମଲା ରବି ନାଁରେ ରହିଛି । ଖଣ୍ଡଗିରି ପୋଲିସ ପାଇଁ ରବି ମୋଷ୍ଟ ୱାଣ୍ଟେଡ ଅପରାଧୀ ରହିଥିଲା । ସବୁଠୁ ବଡ କଥା ହେଉଛି ରାଜଧାନୀରେ ଗତ ଦୁଇ ଦିନ ମଧ୍ୟରେ ୫ ଜଣଙ୍କୁ ଏନକାଉଣ୍ଟର କଲାଣି କମିଶନରେଟ ପୋଲିସ ।

ରାଜଧାନୀରେ ଦିନକୁ ଦିନ ସୁରକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡୁଥିବା ବେଳେ ଲୁଟ୍ ମାମଲା କମିଶନରେଟ ପୋଲିସର ନିଦ ହଜାଇ ଦେଇଥିଲା । ଆଉ ଏବେ ବାରମ୍ବାର ଲୁଟ୍ ଘଟଣା ସାମ୍ନାକୁ ଆସିବା ପରେ ଆକ୍ସନ ମୋଡକୁ ଆସିଛି ପୋଲିସ । ଅପରାଧୀଙ୍କୁ ଖୋଜି ଖୋଜି ଏନକାଉଣ୍ଟର କରି ରାଜଧାନୀବାସୀଙ୍କୁ ଆଶ୍ୱସ୍ତ କରୁଛି ପୋଲିସ ।