ହତ୍ୟାର ଛାତିଥରା କାହାଣୀ ! କୂଅରୁ ମିଳିଲା ଗୋଟିଏ ପରିବାରର ୫ ଜଣଙ୍କ ମୃତଦେହ, ମୃତକଙ୍କ ମଧ୍ୟରେ ଅଛନ୍ତି ୪ଶିଶୁ ।

311

କନକ ବ୍ୟୁରୋ : ପ୍ରଥମେ ଗୋଟିଏ ପରିବାରର ୫ଜଣଙ୍କୁ ହତ୍ୟା ଆଉ ତାପରେ ମୃତଦେହକୁ ପକାଇ ଦିଆଗଲା କୂଅ ଭିତରେ । ଏପରି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡରେ । ତେବେ ଏହି ୫ଜଣଙ୍କୁ କିଏ ହତ୍ୟା କଲା ସ୍ପଷ୍ଟ ହୋଇନାହିଁ । ପ୍ରାଥମିକ ତଦନ୍ତ ପରେ ପୋଲିସ କହିଛି ଏହା ଏକ ହତ୍ୟାକାଣ୍ଡ ।ପରିବାରର ୫ସଦସ୍ୟଙ୍କୁ ହତ୍ୟା । କୂଅ ଭିତରେ ଫିଙ୍ଗିଦେଲେ ମୃତଦେହ ।

ଏହା ଏମିତି ଏକ ହତ୍ୟାକାଣ୍ଡ ଯାହା ଶୁଣିଲେ ଆପଣଙ୍କ ଛାତି ଥରିଉଠିବ । କୋଇଡା ଥାନା ଅନ୍ତର୍ଗତ ଇଙ୍ଗ ଇନ୍ଦୁପୁର କନ୍ଦା ସାହିରେ ଗୋଟିଏ ପରିବାରର ୫ଜଣଙ୍କୁ ଅତି ଜଘନ୍ୟ ଭାବେ ହତ୍ୟା କରାଯାଇଛି । ୫ ମୃତକଙ୍କ ମଧ୍ୟରେ ଅଛନ୍ତି ୧୦ବର୍ଷରୁ କମ ୪ଶିଶୁ  । ମୃତକମାନେ ହେଲେ ୩୦ ବର୍ଷୀୟ କୁନି ମୁଣ୍ଡା,  ତାଙ୍କର ୧୦ ବର୍ଷିୟ ଝିଅ ମାର ମୁଣ୍ଡା, ୯ବର୍ଷର ପୁଅ ଟେକଲେ ମୁଣ୍ଡା, ୪ ବର୍ଷର ପୁଅ ଚାମରା ମୁଣ୍ଡା ଓ ୧ ବର୍ଷର ଝିଅ ।

ପ୍ରଶ୍ନ ଉଠୁଛି ଏକା ସଙ୍ଗରେ ୫ଜଣଙ୍କୁ ହତ୍ୟା କରାଗଲା କିପରି । କାହା ସହିତ ଏହି ପରିବାରର ଥିଲା ଶତ୍ରୁତା ? କିଏ କରିଛି ଏଭଳି ନାରକୀୟ କାଣ୍ଡ? ଘରର ବାହାର ପଟେ ଘୋଡଣି ବନ୍ଦ ହୋଇଥିବା ଏକ କୂଅ ଭିତରେ ମୃତଦେହ ଥିବା ସନ୍ଦେହ କରି ଘୋଡଣୀକୁ ହଟାଯାଇଥିଲା । ଆଉ ତାପରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଥିଲା ତାହା ସମସ୍ତଙ୍କୁ ଚକିତ କରିଦେଇଥିଲା । କୂଅ ଭିତରେ ପଡିଥିଲା ସମସ୍ତ ମୃତଦେହ ।

ଗତକାଲି ବିଳମ୍ବିତ ରାତିରେ ଏହି ୫ଜଣଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରୁଛି ପୋଲିସ । ଘଟଣାସ୍ଥଳରେ କୋଇଡା ପୁଲିସ, ସାଇଂଟିଫିକ୍ ଟିମ୍, କୋଇଡା ଏକ୍ସିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍, ଅଗ୍ନିଶମବାହିନୀ ପହଂଚିଥିଲେ । ତଦନ୍ତରେ ସହଯୋଗ କରିବା ପାଇଁ ସନ୍ଧାନି କୁକୁର ଅଣାଯାଇଛି । ଘଟଣାସ୍ଥଳରେ ପହଂଚିବା ପରେ ପୋଲିସ ଆରମ୍ଭ କରିଦେଇଛି ଛାନଭିନ ।

କୂଅ ଭିତରେ ମୃତଦେହ ଦେଖିବା ପରେ ପୋଲିସର ସନ୍ଦେହ ଆହୁରି ଦୃଢିଭୂତ ହୋଇଥିଲା । ପ୍ରାଥମିକ ଅନୁସନ୍ଧାନରୁ ପୋଲିସ ସନ୍ଦେହ କରୁଛି ଏହା ଏକ ହତ୍ୟାକାଣ୍ଡ । କୁନି ମୁଣ୍ଡା ପ୍ରଥମେ ଟାଗୁରୁ ମୁଣ୍ଡାଙ୍କୁ ବିବାହ କରିଥିଲେ । ତେବେ ବର୍ଷେ ତଳେ ଟାଙ୍ଗୁରୁଙ୍କ ମୃତ୍ୟୁ ହେବା ପରେ ସିଦିୟ ମୁଣ୍ଡାଙ୍କୁ ବିବାହ କରି ରହୁଥିଲେ କୁନି । ତେବେ ଏମିତି କଣ ପରିସ୍ଥିତି ହେଲା ଯେ ୫ଜଣ ସଦସ୍ୟଙ୍କୁ ହତ୍ୟା କରାଗଲା ସେନେଇ କିଛି ସ୍ପଷ୍ଟ ହୋଇନାହିଁ । ପୋଲିସ ହତ୍ୟାକାରୀ ପାଖରେ ପହଂଚିବା ପାଇଁ ସବୁ ଦିଗରୁ ତଦନ୍ତ ଜାରି ରଖିଛି ।