ଲଦାଖ ବରଫଗଦାତଳେ ଫସିଲା ପର୍ଯ୍ୟଟକଙ୍କ ଗାଡ଼ି ! ୫ ମୃତଦେହ ଉଦ୍ଧାର, ୫ ନିଖୋଜ୍, ସେନା ସହାୟତାରେ ଚାଲିଛି ଉଦ୍ଧାରକାର୍ଯ୍ୟ, ପର୍ଯ୍ୟଟକ ଆତଙ୍କିତ  ।

84

କନକ ବ୍ୟୁରୋ : ଲଦାଖରେ ବରଫଝଡ଼ ନେଲା ଜୀବନ  । ଲଦାଖର ଖାରଦୁଙ୍ଗୁଲା ନିକଟରେ ବରଫ ଝଡ଼ ଆସିବାରୁ ୧୦ ପର୍ଯ୍ୟଟକ ଫସି ରହିଥିବା କୁହାଯାଉଛି  । ଅନ୍ୟପଟେ ବର୍ତମାନ ଯାଏଁ ୫ଟି ମୃତଦେହକୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି  । ଗାଡ଼ି ସହ ପର୍ଯ୍ୟଟକ ମଧ୍ୟ ବରଫତଳେ ଚାପି ହୋଇଯିବା କୁହାଯାଉଛି  । ପୂର୍ବରୁ ମଧ୍ୟ ଏଠାରେ ବରଫପାତରେ ଜଣେ ସୁଇସ୍ ପର୍ଯ୍ୟଟକ ପ୍ରାଣ ହରାଇଥିଲେ  । ଏବେ ଏହାର ପୁନରାବୃତି ଘଟିଛି  ।

ଜୀବନ ନେଲା ବରଫଝଡ଼ । ଲଦାଖ୍ ବୁଲିବା ହେଲା କାଳ । ବରଫଗଦା ତଳୁ ଉଦ୍ଧାର କରାଯାଉଛି ପର୍ଯ୍ୟଟକଙ୍କର ମୃତଦେହ  । ଲଦାଖ୍ ଖାରଦୁଙ୍ଗୁଲା ନିକଟରେ ବରଫଝଡ଼ ପର୍ଯ୍ୟଟକଙ୍କର ଜୀବନ ନେବା ସୂଚନା ମିଳିଥିବା ବେଳେ ଉଦ୍ଧାରକାର୍ଯ୍ୟକୁ ସେନା ସହାୟତାରେ ଜୋରଦାର କରିଛି ପୁଲିସ୍ ପ୍ରଶାସନ  । ତାପମାତ୍ରା ମାଇନସ୍ ଡିଗ୍ରୀ ତଳେ ରହିଥିବାରୁ ଉଦ୍ଧାରକାର୍ଯ୍ୟରେ ବାଧା ଆସୁଥିବା ଜଣାପଡ଼ିଛି  । ଖାରଦୁଙ୍ଗୁଲା ଘାଟିର ପ୍ରାୟ ୧୮ହଜାର୍ ୩୮୦ ଫୁଟ୍ ଉଚ୍ଚରେ ଘଟିଛି ଏହି ଦୁର୍ଘଟଣା  ।

ଖାରଦୁଙ୍ଗୁଲା ଘାଟିର ରୋଚକ ତଥ୍ୟ : 

– ବର୍ଷର କୌଣସି ସମୟରେ ମଧ୍ୟ ଘାଟିରେ ତାପମାତ୍ରା ୧୦ ଡିଗ୍ରୀ ଉପରକୁ ଯାଇନଥାଏ  ।

– ଜାନୁଆରୀ ମାସରେ ଏଠାରେ ତାପମାତ୍ରା ମାଇନସ୍ ୨୦ ଡିଗ୍ରୀ ତଳେ ରହିଥାଏ  ।

– ବର୍ଷର ୪ ମାସ କେବଳ ତାପମାତ୍ରା ମାଇନସ୍ ଡିଗ୍ରୀ ରହିନଥାଏ  ।

– ଗାଡ଼ି ଚାଲୁଥିବା ଖାରଦୁଙ୍ଗୁଲା ହେଉଛି ବିଶ୍ୱର ସର୍ବାଧିକ ଉଚ୍ଚତାରେ ଥିବା ରାସ୍ତା  ।

– ସିଆଚେନରେ ମୁତୟନ ଯବାନ ଏହି ଘାଟି ଦେଇ ଗମନାଗମନ କରିଥାନ୍ତି  ।

– ଲେହ୍ ଠାରୁ ୩୯ କିଲୋମିଟର୍ ଦୁରରେ ଖାରଦୁଙ୍ଗୁଲା ଘାଟି ରହିଛି  ।

ସୂଚନା ଅନୁଯାୟୀ ଖାରଦୁଙ୍ଗୁଲା ଘାଟିକୁ ଏକ ସ୍କୋର୍ପିଓ ଗାଡ଼ିରେ ପର୍ଯ୍ୟଟକ ଦଳ ବୁଲିବାକୁ ଆସିଥିଲେ ତେବେ ବରଫଝଡ଼ ଆସିବାରୁ ଗାଡ଼ିଟି ଫଶିଯାଇଥିଲା  । ଏଥି ସହ ପର୍ଯ୍ୟଟକ ମଧ୍ୟ ବରଫଗତା ତଳେ ଚାପି ହୋଇରହିଯାଇଥିଲେ  । ସେନା, ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ଦଳ ଓ ପୁଲିସବାହିନୀ ଉଦ୍ଧାରକାର୍ଯ୍ୟ କରୁଥିବା ବେଳେ ବରଫଝଡ଼ ଜୀବନ ନେବା ପର୍ଯ୍ୟଟକ ମହଲରେ ଆତଙ୍କ ଖେଳାଇ ଦେଇଛି  ।

Comments are closed.