ସରକାରୀ ଚାକିରିଆଙ୍କ ପାଇଁ ଖୁସି ଖବର । ପେନସନଭୋଗୀଙ୍କ ମହଙ୍ଗା ଭତ୍ତା ୫% ବଢିଲା । ୨୦୧୯ ଜୁଲାଇରୁ ପିଛିଲା ଭାବେ ଲାଗୁ

6,624

କନକ ବ୍ୟୁରୋ: ରାଜ୍ୟ ସରକାର ପେନସନଭୋଗୀଙ୍କ ପାଇଁ ୫ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି ଘୋଷଣା କରିଛନ୍ତି। ୨୦୧୯ ଜୁଲାଇ ପହିଲାରୁ ଏହାକୁ ଲାଗୁ କରାଯାଇଛି। ଫଳରେ ପେନସନଭୋଗୀଙ୍କ ମହଙ୍ଗା ଭତ୍ତା ୧୨ ପ୍ରତିଶତରୁ ୧୭ ପ୍ରତିଶତକୁ ବୃଦ୍ଧି ପାଇଛି। ୨୦୧୬ ପୂର୍ବରୁ ଏବଂ ୨୦୧୬ ପରେ ଅବସର ନେଇଥିବା ରାଜ୍ୟ ସରକାରଙ୍କ କର୍ମଚାରୀମାନଙ୍କ ପେନସନକୁ ୨୦୧୬ ଜାନୁଆରି ପହିଲାରୁ ସଂଶୋଧନ କରାଯାଇଥିଲା। ଏ ନେଇ ଅର୍ଥ ବିଭାଗ ପକ୍ଷରୁ ୨୦୧୭ ସେପ୍ଟେମ୍ବର ୨୩ରେ ନିର୍ଦ୍ଦେଶନାମା ଜାରି ହୋଇଥିଲା। ଏହି ପେନସନଭୋଗୀଙ୍କୁ ୨୦୧୯ ଜାନୁଆରି ପହିଲାରୁ ୧୨ ପ୍ରତିଶତ ହାରରେ ମହଙ୍ଗା ଭତ୍ତା ପ୍ରଦାନ କରାଯାଇ ଆସୁଥିଲା। କିନ୍ତୁ ଏହାପରେ କେନ୍ଦ୍ର ସରକାର ପେନସନଭୋଗୀଙ୍କ ମହଙ୍ଗାଭତ୍ତାକୁ ୨୦୧୯ ଜୁଲାଇ ପହିଲାରେ ୧୨ ପ୍ରତିଶତରୁ ୧୭ ପ୍ରତିଶତକୁ ବୃଦ୍ଧି କରିଥିଲେ।

ରାଜ୍ୟ ସରକାର କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ୫ ପ୍ରତିଶତ ମହଙ୍ଗା ଭତ୍ତା ଘୋଷଣା କରିଥିଲେ ମଧ୍ୟ ଏହାକୁ ୨୦୧୯ ଜୁଲାଇ ପହିଲାରୁ କାର୍ଯ୍ୟକାରୀ କରିବା ପରିବର୍ତ୍ତେ ୨୦୨୦ ଜାନୁଆରି ପହିଲାରୁ ବଢ଼ାଇଥିଲେ। ଏ ନେଇ ରାଜ୍ୟ କର୍ମଚାରୀ ଓ ପେନସନଭୋଗୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା। ପେନସନଭୋଗୀଙ୍କ ଦାବିକୁ ବିଚାରକୁ ନେବା ପରେ ରାଜ୍ୟ ସରକାର ୨୦୧୯ ଜୁଲାଇ ୧ ତାରିଖରୁ ୫ ପ୍ରତିଶତ ଅଧିକ ମହଙ୍ଗା ଭତ୍ତା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଅର୍ଥ ବିଭାଗ ପକ୍ଷରୁ ଏ ନେଇ ଏକ ନିର୍ଦ୍ଦେଶନାମା ଜାରି ହୋଇଛି। ପେନସନଭୋଗୀଙ୍କୁ ଏହି ମହଙ୍ଗାଭତ୍ତା ପ୍ରଦାନ କରାଯିବା ଫଳରେ ରାଜ୍ୟର ପ୍ରାୟ ୪ ଲକ୍ଷ ଅବସରପ୍ରାପ୍ତ କର୍ମଚାରୀ ଉପକୃତ ହେବେ।

ପେନସନଭୋଗୀଙ୍କୁ ସରକାର ବର୍ଦ୍ଧିତ ପେନସନ ୨୦୧୯ ଜୁଲାଇ ପହିଲାରୁ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥିଲେ ମଧ୍ୟ ସରକାରୀ କର୍ମଚାରୀମାନେ ଏଥିରୁ ବଞ୍ଚିତ ହୋଇଛନ୍ତି। ସେମାନେ ୨୦୧୯ ଜୁଲାଇରୁ ୧୭ ପ୍ରତିଶତ ମହଙ୍ଗା ଭତ୍ତା ପାଇବା ପରିବର୍ତ୍ତେ ୨୦୨୦ ଜାନୁଆରି ପହିଲାରୁ ବର୍ଦ୍ଧିତ ମହଙ୍ଗା ଭତ୍ତା ପ୍ରଦାନ କରାଯାଉଛି। ପେନସନଭୋଗୀଙ୍କୁ ବର୍ଦ୍ଧିତ ମହଙ୍ଗା ଭତ୍ତା ମିଳିବା ପରେ ସରକାରୀ କର୍ମଚାରୀଙ୍କୁ ସରକାରୀ କର୍ମଚାରୀଙ୍କୁ ଏହା ମିଳିବା ଆଶା ଉଜ୍ଜୀବିତ ହୋଇଛି।