କଂସ ଦରବାର କେଉଁଠି ? ପ୍ରଶାସନର ସ୍ଥାନ ପରିବର୍ତ୍ତନ ନିଷ୍ପତିକୁ ବିରୋଧ

28

ବରଗଡ : କେଉଁଠି ବସିବ କଂସ ଦରବାର । ଜିଲ୍ଲା ପ୍ରଶାସନର ସ୍ଥାନ ପରିବର୍ତ୍ତନ ନିଷ୍ପତିକୁ ନେଇ ବରଗଡରେ ବିବାଦ ଉଠିଛି । ଜାନୁଆରୀ ୨ ତାରିଖରୁ ଆରମ୍ଭ ହେବ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା । ବରଗଡର ମୁକ୍ତାକାଶ ରଙ୍ଗମଂଚ । କଳିଯୁଗରେ ବି ଚାଲେ କଂସରାଜାର ରାଜୁତି । ଆଉ ରାଜାଙ୍କ ନିର୍ଦ୍ଦେଶରେ ଦରବାର ହୁଏ ଥରହର ।

ହେଲେ ଚଳିତ ଥର ଦରବାରର ଠିକଣା ପରିବର୍ତ୍ତନ କରିବାକୁ ପ୍ରଶାସନ ନେଇଛି ନିଷ୍ପତି । ହାଟପଦା ବଦଳରେ ଏଥର କଂସ ଦରବାର ବସିବ ଲୋକମଣ୍ଡପ ପଡିଆରେ । ଯାହାକୁ ନେଇ ମୁଣ୍ଡ ଟେକିଛି ବିବାଦ । ଆଉ ଏହାକୁ ବିରୋଧ କରି ୫ କାଉନସିଲର୍ ନିଜ ସଭ୍ୟପଦରୁ ଇସ୍ତଫା ଦେଇଛନ୍ତି । ଏପରିକି ୫ ସଦସ୍ୟ ଧନୁଯାତ୍ରା କମିଟିରୁ କହିଛନ୍ତି ବାଏ ବାଏ ।

ବରଗଡ ଧନୁଯାତ୍ରା । ପୁରାଣକୁ ନେଇ ପୁରୁଣା ଯାତ୍ରା । ୧୧ ଦିନିଆ ଏହି ଅଭିନବ ଯାତ୍ରାକୁ ଦେଖିବାକୁ କେବଳ ପଶ୍ଚିମ ଓଡିଶା ନୁହେଁ ରାଜ୍ୟ ଓ ରାଜ୍ୟ ବାହାରୁ ଦର୍ଶକଙ୍କ ସମାଗମ ହୋଇଥାଏ । ତେବେ କଂସ ଦରବାର ସହ ହାଟପଦାର ରହିଛି ଭାବାବେଗ ସଂପର୍କ । ତେଣୁ ସ୍ଥାନ ପରିବର୍ତ୍ତନ ନିଷ୍ପତିକୁ କିଛି ଲୋକ ହଜମ୍ କରି ପାରୁନାହାନ୍ତି । ସେପଟେ ଭିଡ ନିୟନ୍ତ୍ରଣ ଓ ସୁରକ୍ଷା ଦୃଷ୍ଟିରୁ ସ୍ଥାନ ପରିବର୍ତ୍ତନ ନିଷ୍ପତି ନିଆଯାଇଛି ବୋଲି ପ୍ରଶାସନ କହିଛି ।