ଚଳନ୍ତା ଟ୍ରେନର ଛାତ କାଟି ଲୁଟେରା ଲୁଟିନେଲେ ୫.୭୮ କୋଟି । କିନ୍ତୁ କରିପାରିଲେନି ଖର୍ଚ୍ଚ, ଜାଣନ୍ତୁ କାହିଁକି

908

ବିମୁଦ୍ରାକରଣ ଯୋଗୁଁ ଦେଶର ଅର୍ଥବ୍ୟବସ୍ଥା ଭୁଷୁଡି ପଡିଥିବା ନେଇ ଦୀର୍ଘ ଦୁଇ ବର୍ଷ ହେଲାଣି ବିରୋଧୀ ମାନେ ଅଭିଯୋଗ କରୁଛନ୍ତି । ବିମୁଦ୍ରାକରଣ ପାଇଁ ସାଧାରଣ ଲୋକଙ୍କୁ ଲମ୍ବା ଲମ୍ବା ଲାଇନରେ ଛିଡା ହେବାକୁ ପଡିଥିଲା । ଏଥିପାଇଁ ସବୁଠୁ ଅଧିକ କଷ୍ଟ ଭୋଗିଥିଲେ ସାଧାରଣ ଲୋକେ । କେବଳ ସାଧାରଣ ଲୋକ ନୁହେଁ ନୋଟବନ୍ଦୀ ପାଇଁ ଚୋର ମାନେ ମଧ୍ୟ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଏଭଳି ଏକ ଘଟଣା ଏବେ ସାମ୍ନାକୁ ଆସିଛି ।

ନୋଟବନ୍ଦୀର ତିନି ମାସ ପୂର୍ବରୁ ତାମିଲନାଡୁର ସଲେମ-ଚେନ୍ନାଇ ଏକ୍ସପ୍ରେସରେ ଏକ ବଡ ଧରଣର ଲୁଟ୍ ହୋଇଥିଲା । ଟ୍ରେନରେ ଟଙ୍କା ପଠାଯାଉଥିବା ଜାଣିବା ପରେ ୫ ଜଣ ଲୁଟେରା ଏଥିରୁ ପ୍ରାୟ ୫.୭୮ କୋଟି ଟଙ୍କା ଲୁଟ୍ କରି ଫେରାର ହୋଇଯାଇଥିଲେ । କିନ୍ତୁ ଏତେ ଗୁଡିଏ ଟଙ୍କା ଖର୍ଚ୍ଚ କରିବା ପୂର୍ବରୁ ସବୁ କିଛି ଭଣ୍ଡୁର କରି ଦେଇଥିଲା ମୋଦିଙ୍କ ବିମୁଦ୍ରାକରଣ ଘୋଷଣା । ଅବଶ୍ୟ ପରେ ୫ ଲୁଟେରା ଧରାପଡିଥିଲେ । ଯାହାଙ୍କୁ ପୋଲିସ ହେପାଜତରେ ରଖାଯାଇଥିଲା ଓ ସେମାନେ ବଖାଣିଥିଲେ ଲୁଟର ପୂରା କାହାଣୀ ।

ସିବିିସିଆଇଡି ଅଧିକାରୀଙ୍କ କହିବା ଅନୁଯାୟୀ, ଏଚ୍ ମୋହର ସିଂ, ଋଷି ପର୍ଦି, ମହେଶ ପର୍ଦି, କୃଷ୍ଣା ଓ ବିଲଟିଆ ୨୦୧୬ ମସିହାରେ ସଲେମ-ଚେନ୍ନାଇ ଏକ୍ସପ୍ରେସରୁ ୫.୭୮ କୋଟି ଟଙ୍କା ଲୁଟ୍ କରିଥିଲେ । ତେବେ ଲୁଟ୍ ପୂର୍ବରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ କରିଥିଲେ ଲୁଟେରା । ଏମାନେ ୨୦୧୬ ମସିହାରେ ତାମିଲନାଡୁ ଆସିଥିଲେ ଏବଂ ରେଲୱେ ଷ୍ଟେସନ, ଟ୍ରେନ ଟ୍ରାକ ଓ ବିଭିନ୍ନ ପୋଲ ତଳେ ରହୁଥିଲେ ।

ଏହି ରହଣୀ ସମୟରେ ମୋହର ସିଂ ଖବର ପାଇଥିଲେ ଯେ, ସଲେମ-ଚେନ୍ନାଇ ଏକ୍ସପ୍ରେସ ଟ୍ରେନରେ ନିୟମିତ ଭାବେ ଟଙ୍କା ପଠାଯାଉଛି । ଏଥିପାଇଁ କୃଷ୍ଣ, ଋଷି ଓ ବଲଟିଆ ଉକ୍ତ ଟ୍ରେନର ଚଳାଚଳ ଉପରେ ନଜର ରଖିବା ଆରମ୍ଭ କଲେ । ପ୍ରାୟ ଏକ ସପ୍ତାହ ଧରି ଅୟୋଥିପଟ୍ଟନମ ଏବଂ ବିରୁଦଚଲମ ମଧ୍ୟରେ ଏମାନେ ଟ୍ରେନରେ ଯାତ୍ରା ମଧ୍ୟ କଲେ । ଆଉ ଏହାପରେ ଲୁଟ୍ ପାଇଁ ପ୍ରସ୍ତୁତ ହେଲା ବ୍ଲୁ ପ୍ରିଣ୍ଟ । ଚିନ୍ନାସଲମରୁ ବିରୁଦଚଲମ ଷ୍ଟେସନ ମଧ୍ୟରେ ଡକାୟତି କରିବାକୁ ଯୋଜନା ପ୍ରସ୍ତୁତ କଲେ ଅଭିଯୁକ୍ତ । କାରଣ ଏହି ଦୁଇ ଷ୍ଟେସନ ମଧ୍ୟରେ ଟ୍ରେନ ୪୫ ମିନିଟ ପର୍ଯ୍ୟନ୍ତ ଅଟକିବ ନାହିଁ ।

ଯୋଜନା ଅନୁଯାୟୀ, ମୋହର ସିଂ ନିଜ ଚାରି ଜଣ ସାଥୀଙ୍କୁ ଧରି ଚିନ୍ନାସଲମ ଷ୍ଟେସନରେ ଚଢିଥିଲେ । କିଛି ବାଟ ଟ୍ରେନ ଚାଲିବା ପରେ ଟଙ୍କା ରଖାଯାଇଥିବା ବଗିର ଛାତ ଉପରକୁ ଚଢିଥିଲେ ଅଭିଯୁକ୍ତ । ଯେଉଁଠାରେ ବ୍ୟାଟେରୀରେ ଚାଲୁଥିବା କଟର ସାହାରାରେ ବଗିରେ ଗାତ କରାଯାଇଥିଲା । ପରେ ଦୁଇ ଜଣ ଲୁଟେରା ବଗି ମଧ୍ୟକୁ ପଶି ଟଙ୍କା ବାକ୍ସର ତାଲା ଭାଙ୍ଗିଥିଲେ । ବାକ୍ସରୁ ସମସ୍ତ ଟଙ୍କା ବାହାର କରି ଲୁଙ୍ଗିରେ ଭର୍ତ୍ତି କରିଥିଲେ । ଅନ୍ୟପଟେ ବିରୁଦଚଲମ ଷ୍ଟେସନ ପାଖରେ ନିର୍ମିତ ହୋଇଥିବା ବ୍ରିଜର ରେଳଧାରଣା ପାଖରେ ଗ୍ୟାଙ୍ଗର ଅନ୍ୟ ଜଣେ ସଦସ୍ୟ ମହେଶ ପର୍ଦି ଅପେକ୍ଷା କରି ରୂହିଥାନ୍ତି ।

ଟ୍ରେନ ଷ୍ଟେସନରେ ପହଞ୍ଚିବା ପୂର୍ବରୁ ଟଙ୍କା ବନ୍ଧା ହୋଇଥିବା ଲୁଙ୍ଗିକୁ ମହେଶ ପର୍ଦିଙ୍କ ନିକଟକୁ ଫୋପାଡି ଦେଇ ଟ୍ରେନରେ ଥିବା ଅନ୍ୟ ଚାରି ଅଭିଯୁକ୍ତ ଫେରାର ହୋଇଯାଆନ୍ତି । ପରେ ଟଙ୍କା ନିଜ ନିଜ ମଧ୍ୟରେ ବାଣ୍ଟି ନେଇଯାଆନ୍ତି ଅଭିଯୁକ୍ତ ମାନେ । କିନ୍ତୁ ଏହି ଟଙ୍କା ଖର୍ଚ୍ଚ କରିବା ପୂର୍ବରୁ ବିମୁଦ୍ରାକରଣର ଘୋଷଣା କରିଥିଲେ ମୋଦି । ଯେଉଁଥିରେ ପୁରୁଣା ୫୦୦ ଓ ୧୦୦୦ ଟଙ୍କା ନୋଟକୁ ବନ୍ଦ କରି ଦିଆଯାଇଥିଲା । ତେବେ କିଛି ଦିନର ଲୁଚକାଳି ଖେଳ ପରେ ପୋଲିସ ଏହି ଲୁଟେରା ମାନଙ୍କୁ ଧରିଥିଲା । ବିମୁଦ୍ରାକରଣ ପାଇଁ ଲୁଟ୍ ହୋଇଥିବା ଟଙ୍କା କାମରେ ଆସିଲାନି ବୋଲି କହିଛନ୍ତି ଲୁଟେରା ।