୬ ବର୍ଷ ହେଲାଣି ଝୁଲୁଛି ଚିଟଫଣ୍ଡ ଜମାକାରୀଙ୍କ ଭାଗ୍ୟ । ଜମାକାରୀଙ୍କ ଚିହ୍ନଟ ସରୁନି, କିନ୍ତୁ କମିଶନ ତଦନ୍ତରେ ଖର୍ଚ୍ଚ ହେଲାଣି ସାଢେ ୫ କୋଟି ଟଙ୍କା ।

342

କନକ ବ୍ୟୁରୋ : ଚିହ୍ନଟ ହୋଇପାରୁନାହାନ୍ତି ଚିଟଫଣ୍ଡ ଜମାକାରୀ, କିନ୍ତୁ କମିଶନ ପାଇଁ ଖର୍ଚ୍ଚ ହୋଇ ସାରିଲାଣି କୋଟି କୋଟି ଟଙ୍କା । ଗୋଟିଏ ପଟେ ଚିଟଫଣ୍ଡ ଜମାକାରୀ ନିଜର ଟଙ୍କା ଫେରି ପାଇବାକୁ ଅପେକ୍ଷା କରି ରହିଥିବା ବେଳେ ତଦନ୍ତ କମିଶନ ନାଁରେ ପାଣି ଭଳି ଟଙ୍କା ଖର୍ଚ୍ଚ କରି ଚାଲିଛନ୍ତି ସରକାର । ସବୁଠୁ ବଡ କଥା ହେଉଛି, ତଦନ୍ତ କମିଶନ ପାଇଁ ଏତେ ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ଫଳ ଶୂନ । ଅଥାର୍ତ ଚିଟଫଣ୍ଡ ଜମାକାରୀଙ୍କୁ ଟଙ୍କା ଫେରାଇବା ୩୦୦ କୋଟିର କର୍ପସ ଫଣ୍ଡ ଗଠନ କରିଛନ୍ତି ସରକାର । ମୋଟ ୩ ଲକ୍ଷ ୬୧ ହଜାର ୮୧୭ ଜଣ କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀଙ୍କୁ (୧୦ ହଜାର ଟଙ୍କା ମଧ୍ୟରେ) ଚିହ୍ନଟ ମଧ୍ୟ କରାଯାଇଛି । କିନ୍ତୁ ଟଙ୍କା ଫେରିଛି ମାତ୍ର ୧୭୧୪ ଜଣ ଜମାକାରୀଙ୍କ ପାଖକୁ ।

ତଦନ୍ତ କମିସନରେ କିପରି ପାଣି ଭଳି ଟଙ୍କା ଖର୍ଚ୍ଚ ହୁଏ, ତା’ର ଏକ ଉଦାହରଣ ହେଉଛି, ଚିଟଫଣ୍ଡ ତଦନ୍ତ କମିସନ ପାଇଁ ହୋଇଥିବା ଖର୍ଚ୍ଚ । ଏପର୍ଯ୍ୟନ୍ତ ୫ କୋଟି ୫୫ ଲକ୍ଷ ୩୦ ହଜାର ୯୬୯ ଟଙ୍କା ଏଥିପାଇଁ ଖର୍ଚ୍ଚ ହୋଇଛି । ବିଧାନସଭାର ଲିଖିତ ପ୍ରଶ୍ନର ଉତର ରଖି ମନ୍ତ୍ରୀ ଏହି ହିସାବ ଦେଇଛନ୍ତି । ପ୍ରଥମେ ତିନି ମାସ, ପରେ ତଦନ୍ତ କମିସନଙ୍କ ଅବଧି ୭୩ ମାସକୁ ବଢ଼ାଇ ଦିଆଯାଇଥିଲା । ଏହାରି ଭିତରେ ୭ଟି ଅନ୍ତରୀଣ ରିପୋର୍ଟ ଦେଇଛନ୍ତି କମିସନ୍, ସେଥିରୁ ୬ଟି ରିପୋର୍ଟ, ଅର୍ଥ ବିଭାଗର ବିଚାରାଧୀନ ରହିଛି ।

ଅନ୍ୟପଟେ ଚିଟଫଣ୍ଡ କ୍ଷତିଗ୍ରସ୍ତକାରୀଙ୍କୁ ସହାୟତା ପ୍ରଦାନ ସଂପର୍କରେ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଆଜି ବିଧାନସଭାରେ ଏନେଇ ଅର୍ଥମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିଥିଲେ । ତଦନ୍ତ କରୁଥିବା ଜଷ୍ଟିସ୍ ମଦନ ମୋହନ ଦାସ କମିସନ ୬ଟି ଅନ୍ତରୀଣ ରିପୋର୍ଟରେ ୩ ଲକ୍ଷ ୬୧ ହଜାର ୮୧୭ ଜଣ କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀ ଚିହ୍ନଟ କରିଥିଲେ । ସେଥିମଧ୍ୟରୁ ମାତ୍ର ୧୭୧୪ ଜଣ ସହାୟତା ପାଇଛନ୍ତି, ଅବଶିଷ୍ଟ ଚିହ୍ନଟ କ୍ଷତିଗ୍ରସ୍ତ କେବେ ସୁଦ୍ଧା ସହାୟତା ପାଇବେ ବୋଲି ଲିଖିତ ପ୍ରଶ୍ନ କରିଥିଲେ ସୌମ୍ୟରଂଜନ । ସେହିପରି ୧୦ ହଜାର ଟଙ୍କାରୁ ଅଧିକ ଜମାକାରୀ କ୍ଷତିଗ୍ରସ୍ତ ଚିହ୍ନଟ ପାଇଁ କେତେ ସମୟ ଲାଗିବ ଏବଂ କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ ଲାଗି ସରକାରଙ୍କ ଗଠିତ ପାଣ୍ଠିର ପରିମାଣ କେତେ ବୋଲି ପ୍ରଶ୍ନ କରିଥିଲେ ଖଣ୍ଡପଡ଼ା ବିଧାୟକ ।

ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ଏହାର ଉତରରେ କହିଛନ୍ତି ୧୦ ହଜାର ଟଙ୍କାରୁ ଅଧିକ କ୍ଷତିଗ୍ରସ୍ତ ଜମାକାରୀଙ୍କ ପାଇଁ କ୍ଷତିପୂରଣ ଦେବାର ବ୍ୟବସ୍ଥା ନାହିଁ । କ୍ଷୁଦ୍ର ଜମାକାରୀଙ୍କ କ୍ଷତିପୂରଣ ପାଇଁ ସରକାର ୩୦୦ କୋଟି ଟଙ୍କାର କର୍ପସ ପାଣ୍ଠି ଗଠନ କରିଛନ୍ତି । ସେହିପରି ଅନ୍ୟ ଏକ ଲିଖିତ ପ୍ରଶ୍ନର ଉତରରେ ଅର୍ଥମନ୍ତ୍ରୀ କହିଛନ୍ତି, ୩୧ ଜାନୁଆରୀ ୨୦୧୯ ସୁଦ୍ଧା ପ୍ରାୟ ୭ ଲକ୍ଷ ସତ୍ୟପାଠ କମିସନଙ୍କ ନିକଟରେ ଦାଖଲ ହୋଇଛି । ଖୁବଶୀଘ୍ର ସତ୍ୟପାଠ ଗୁଡିକର ଡିଜିଟାଇଜେସନ୍ କରିବା ପାଇଁ ପଦକ୍ଷେପ ନିଆଯାଉଛି ।

ଡିଜିଟାଇଜେସନ୍ ପରେ ସେଗୁଡିକର ଯାଂଚ ପ୍ରକ୍ରିିୟା ଆରମ୍ଭ କରାଯିବ । ତଦନ୍ତ କମିସନ୍ ଓ ବିଭିନ୍ନ ନ୍ୟାୟାଳୟରେ ଚାଲୁଥିବା ମାମଲାଗୁଡିକ ନ୍ୟାୟିକ ପ୍ରକ୍ରିୟା ଚୂଡାନ୍ତ ହେବା ପରେ କ୍ଷତିଗ୍ରସ୍ତ ଜମାକାରୀମାନଙ୍କୁ ଚିହ୍ନଟ କରିବା ସମ୍ଭବ ହେବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ । କିନ୍ତୁ ସବୁଠୁ ବଡ କଥା ହେଉଛି ଚିଟଫଣ୍ଡ ଜମାକାରୀଙ୍କୁ ଚିହ୍ନଟ ଓ ଟଙ୍କା ଫେରାଇବା ପାଇଁ ପ୍ରାୟ ୭୩ ମାସ ଅଥାର୍ତ ୬ ବର୍ଷରୁ ଅଧିକ ସମୟ ନେଲେଣି ସରକାର । ଆଉ ଏହି ସମୟ ସୀମା ମଧ୍ୟରେ କେବଳ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରିଛନ୍ତି ସରକାର । ତେବେ ୧୦ ହଜାର ଟଙ୍କାରୁ ଅଧିକ ଟଙ୍କା ଜମା କରିଥିବା ଜମାକାରୀଙ୍କୁ କ୍ଷତିପୂରଣ ପ୍ରଦାନ କରିବାକୁ କୌଣସି ବ୍ୟବସ୍ଥା ନଥିବା ବେଳେ ତଦନ୍ତ କମିଶନ ନାଁରେ ସାଢେ ୫ କୋଟି ଟଙ୍କା ଖର୍ଚ୍ଚ କରିବାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି କ୍ଷତିଗ୍ରସ୍ତ ଜମାକାରୀ ।