୪ର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି । ୬ ଲୋକସଭା ଓ ୪୨ ବିଧାନସଭା ପାଇଁ ନାମାଙ୍କନ ପତ୍ର ହେବ ଦାଖଲ
ଓଡ଼ିଶାରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇବ ବିଜ୍ଞପ୍ତି
କନକ ବ୍ୟୁରୋ : ଓଡ଼ିଶାରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇବ ବିଜ୍ଞପ୍ତି । ଏହି ପର୍ଯ୍ୟାୟରେ ୬ ଲୋକସଭା ଓ ୪୨ ବିଧାନସଭା ପାଇଁ ଭାରତ ନିର୍ବାଚନ କମିସନଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହେବ। ଏପ୍ରିଲ ୨ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ଏହିସବୁ ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ ପାଇଁ ଦିନ ଧାର୍ଯ୍ୟ କରାଯାଇଛି। ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ମୟୁରଭଞ୍ଜ (ଏସଟି) ଲୋକସଭା ଆସନ ସମେତ ବାଲେଶ୍ବର, ଭଦ୍ରକ (ଏସସି), ଯାଜପୁର (ଏସସି), କେନ୍ଦ୍ରାପଡ଼ା ଓ ଜଗତସିଂହପୁର (ଏସସି) ନିର୍ବାଚନ ମଣ୍ଡଳୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ସେହିପରି ମୟୁରଭଞ୍ଜ ଲୋକସଭା ଆସନ ଅନ୍ତର୍ଗତ ଯଶୀପୁର (ଏସଟି), ସାରସକଣା (ଏସଟି), ରାଇରଙ୍ଗପୁର (ଏସଟି), ବାଙ୍ଗିରିପୋଷି (ଏସଟି), ଉଦଳା (ଏସଟି), ବାରିପଦା (ଏସଟି) ଓ ମୋରଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହେବ।
Kanak News is now on WhatsApp
Join and get latest news updates delivered to you via WhatsApp
ବାଲେଶ୍ବର ଲୋକସଭା ଆସନ ଅଧୀନରେ ଆସୁଥିବା ବଡ଼ସାହି (ଏସସି), ଜଳେଶ୍ବର, ଭୋଗରାଇ, ବସ୍ତା, ବାଲେଶ୍ବର, ରେମୁଣା (ଏସସି) ଓ ନୀଳଗିରି ବିଧାନସଭା ସମେତ ଭଦ୍ରକ ଲୋକସଭା ଆସନ ଅନ୍ତର୍ଗତ ସୋର(ଏସସି), ସିମୁଳିଆ, ଭଣ୍ଡାରିପୋଖରୀ, ଭଦ୍ରକ, ବାସୁଦେବପୁର, ଧାମନଗର (ଏସସି) ଓ ଚାନ୍ଦବାଲି ବିଧାନସଭା ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ଯାଜପୁର ଲୋକସଭା ନିର୍ବାଚନ ମଣ୍ଡଳୀରେ ଆସୁଥିବା ବିଞ୍ଝାରପୁର (ଏସସି), ବରୀ, ବଡ଼ଚଣା, ଧର୍ମଶାଳା, ଯାଜପୁର, କୋରେଇ ଓ ସୁକିନ୍ଦା ଆସନ ସମେତ କେନ୍ଦ୍ରାପଡ଼ା ଲୋକସଭା ଆସନ ଅଧୀନରେ ଆସୁଥିବା ସାଲେପୁର, ମାହାଙ୍ଗା, ପାଟକୁରା, କେନ୍ଦ୍ରାପଡ଼ା (ଏସସି), ଆଳି, ରାଜନଗର ଓ ମହାକାଳପଡ଼ା ବିଧାନସଭା ଆସନ ପାଇଁ ନିର୍ବାଚନ ଆୟୋଗ ବିଜ୍ଞପ୍ତି ପ୍ରକାଶ କରିବେ।
ସେହିପରି ଜଗତସିଂହପୁର ଲୋକସଭା ଆସନ ଅନ୍ତର୍ଗତ ନିଆଳି (ଏସସି), ପାରାଦୀପ, ତିର୍ତ୍ତୋଲ (ଏସସି), ବାଲିକୁଦା-ଏରସମା, ଜଗତସିଂହପୁର, କାକଟପୁର (ଏସସି) ଓ ନିମାପଡ଼ା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ଏହି ପର୍ଯ୍ୟାୟରେ ଆସନ୍ତାକାଲିଠାରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇ ୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଏପ୍ରିଲ ୧୦ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ ଓ ୧୨ ତାରିଖରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ଦିନ ଧାର୍ଯ୍ୟ କରାଯାଇଛି।