ଗୋପପୁରରେ ଚାଲିଛି ନନ୍ଦୋତ୍ସବ: ସବୁଆଡେ ଖୁସିର ଲହରୀ, ଘଣ୍ଟଘଣ୍ଟା ଓ ହୁଳହୁଳିରେ କୃଷ୍ଣଙ୍କ ନଗର ଭ୍ରମଣ

79

କନକ ବ୍ୟୁରୋ: ବରଗଡ ଧନୁଯାତ୍ରାର ଆଜି ଚତୁର୍ଥ ଦିନ ।  ଗୋପପୁରରେ ଚାଲିଛି ନନ୍ଦୋତ୍ସବ । ସବୁଆଡେ ଖୁସିର ଲହରୀ । ନନ୍ଦୋତ୍ସବ ସହ ନୃତ୍ୟଗୀତରେ ବିଭୋର ହୋଇଛନ୍ତି ଗୋପପୁରବାସୀ ।  ଗୋପପୁରରେ ଚାଲିଛି କୃଷ୍ଣଙ୍କ ବାଲ୍ୟଲୀଳା । ଯଶୋଦାଙ୍କ ଅଳିଅଳ କୃଷ୍ଣ ଝୁଲଣାରେ ଝୁଲି ଝୁଲି ପରସି ଯାଉଛନ୍ତି ପ୍ରେମର ମଧୁଭରା ହସ । ଚାରିପଟେ ରାସନୃତ୍ୟ, ନଗର ସଂକୀର୍ତନ । ଘଂଟଶଙ୍ଗ ହୁଳୁହୁଳି, ସଂକୀର୍ତନରେ କୃଷ୍ଣ ଗୋପପୁର ଭ୍ରମଣ କରିଛନ୍ତି ।  ଗୋପପୁର କୃଷ୍ଣଭକ୍ତିରେ  ଲୀନ ହୋଇଯାଇଛି । ଗୋପପୁରରେ ନିର୍ମିତ ନନ୍ଦରାଜାଙ୍କ ମହଲ ମଧ୍ୟ ଉଦଘାଟିତ ହୋଇଛି ।  ଏହାପରେ ସଂକୀର୍ତନ ଘଂଟବାଦ୍ୟର ତାଳେ ତାଳେ ଶୋଭାଯାତ୍ରା ନନ୍ଦରାଜା ଓ ରାଣୀ କୃଷ୍ଣଙ୍କୁ ଧରି ଗୋପୀଗୋପାଳଙ୍କ ସହ ଦରବାରରେ ପହଂଚିବା ପରେ ଏସପି ମୁକେଶ ଭାମୁ ଏହାର ଉଦଘାଟନ କରିଛନ୍ତି ।

ଇତିମଧ୍ୟରେ ଦେବକୀଙ୍କ ଅଷ୍ଟମ ଗର୍ଭରୁ ଜନ୍ମ ହୋଇଛନ୍ତି ଶ୍ରୀକୃଷ୍ଣ। ଆଲୋକରେ ଝଲସି ଉଠିଛି ଅନ୍ଧକାର ରାତି। ଉଜ୍ଜ୍ବଳ ହୋଇ ଉଠିଛି କାରାଗାର। ଅପଣା ଛାଏଁ ଖୋଲି ଯାଇଛି କାରାଗାରର ଫାଟକ। ଫିଟିଯାଇଛି ଦେବକୀ ଓ ବସୁଦେବଙ୍କ ଶରୀରରେ ଲାଗିଥିବା ଶିକୁଳି। ନବଜାତ ଶିଶୁକୁ ନେଇ ବସୁଦେବ ଟୋକେଇରେ ମୁଣ୍ତେଇ ଗଲେ ଗୋପପୁରକୁ। ହେଲେ ବାଟରେ ରାଜ୍ୟର ସୀମାନ୍ତରେ ପହରା ଦେଉଥିବା ଶ୍ବଶୁର ଉଗ୍ରସେନଙ୍କ ତାଙ୍କ ବାଟ ଓଗାଳିଛନ୍ତି। ଏହି ସମୟରେ ଘଟିଛି ଏକ ଅଲୌକିକ ଘଟଣା। କୃଷ୍ଣଙ୍କ ବିଶ୍ବରୂପ ଦର୍ଶନ କରି ଅଭିଭୂତ ହୋଇଛନ୍ତି ବାପା ବସୁଦେବ ଓ ଅଜା ଉଗ୍ରସେନ।

ଗୋପପୁର ଯିବା ବାଟରେ କୃଷ୍ଣଙ୍କ ମାୟାରେ ପ୍ରବଳ ବର୍ଷାରେ ଫଳରେ ପୂର୍ଣ୍ଣଗର୍ଭା ଯମୁନା ନଦୀରେ ପୂରିଯାଇଥିଲା। ହେଲେ କୃଷ୍ଣଙ୍କ ମାୟାରେ ଯମୁନା ନଈ ଦୁଇ ଭାଗ ହୋଇଥିଲା। ବର୍ଷାରୁ ସୁରକ୍ଷା ଦେବାକୁ କୃଷ୍ଣଙ୍କ ମୁଣ୍ତ ଉପରେ ବାସୁକୀ ନାଗ ଫେଣା ମେଲିଥିଲା। କୃଷ୍ଣଙ୍କୁ ଗୋପପୁରର ନନ୍ଦରାଜାଙ୍କ ଘରେ ଛାଡ଼ି ବିଜୁଳି କନ୍ୟାଙ୍କୁ ନେଇ ବସୁଦେବ ପୁଣି ଫେରିଆସିଲେ ମଥୁରାର ବନ୍ଦୀଶାଳାକୁ। ସେହିପରି ଗୋପପୁରରେ ସନ୍ଧ୍ୟା ଆଳତି, ଶ୍ରୀକୃଷ୍ଣଙ୍କୁ ଧରି ଗୋପପୁର ପ୍ରବେଶ ଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା।