ଖୋର୍ଦ୍ଧାରେ ବିଜେପି ନେତାଙ୍କୁ ହତ୍ୟା ଘଟଣାର ତଦନ୍ତ କରିବ ୪ଟି ଟିମ ! ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ଇନଚାର୍ଜ ଡିଜିପି

403

କନକ ବ୍ୟୁରୋ : ଖୋର୍ଦ୍ଧାରେ ବିଜେପି ନେତା ମଙ୍ଗୁଳି ଜେନାଙ୍କ ହତ୍ୟା ଘଟଣାର ତଦନ୍ତ ହେବ । ଏହି ହତ୍ୟାକାଣ୍ଡର ତଦନ୍ତ ପାଇଁ ୪ ଟିମ ଗଠନ କରାଯାଇଛି । କେନ୍ଦ୍ରାଂଚଳ ଆଇଜି ସୌମେନ୍ଦ୍ର ପ୍ରୀୟଦର୍ଶୀ ତଦନ୍ତର ତଦାରଖ କରିବେ । ଏହି ସୂଚନା ଦେଇଛନ୍ତି ଇନଚାର୍ଜ ଡିଜିପି ବିଜୟ କୁମାର ଶର୍ମା । ଦୋଷୀ ଯିଏ ବି ହେଉନା କାହିଁକି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଇନଚାର୍ଜ ଡିଜିପି ।

ମଙ୍ଗୁଳି ଜେନା ହତ୍ୟାକାଣ୍ଡର ତଦନ୍ତ ପାଇଁ ଟିମ ଗଠନ ପରେ ଖୋର୍ଦ୍ଧା ଥାନା ଆଗରେ ଚାଲିଥିବା ଧାରଣା ପ୍ରତ୍ୟାହୃତ ହୋଇଛି । ହତ୍ୟାକାଣ୍ଡରେ ସଂପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ଦାବିରେ ଆଜି ସକାଳେ ଖୋର୍ଦ୍ଧା ଥାନା ଆଗରେ ଧାରଣାରେ ବସିଥିଲେ ବିଜେପି କର୍ମୀ ।

ସେପଟେ ଖୋର୍ଦ୍ଧାରେ ବିଜେପି ନେତାଙ୍କୁ ହତ୍ୟା ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ହତ୍ୟାକାଣ୍ଡ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ଦୃଢ ନିନ୍ଦା କରିଛନ୍ତି । କହିଛନ୍ତି ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ । ସେହିପରି ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀ ଲେଖିିଛନ୍ତି, ନିର୍ବାଚନ କମିସନ ଘଟଣାକୁ ଗୁରୁତ୍ୱର ସହ ନେଇ କାର୍ଯ୍ୟାନୁଷ୍ଠାନ ନେବାକୁ ପୁଲିସକୁ ନିର୍ଦ୍ଦେଶ ଦିଅନ୍ତୁ ।

ଖୋର୍ଦ୍ଧାର ହତ୍ୟାକାଣ୍ଡକୁ ନେଇ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ବିଜେପି କର୍ମୀଙ୍କ ଶାନ୍ତି ସହ ଧୈର‌୍ୟ୍ୟ ଧରିବାକୁ ସେ ନିବେଦନ କରିଛନ୍ତି । ପାଦତଳୁ ମାଟି ଖସୁଥିବାରୁ ଏଭଳି କରାଯାଉଛି । ବୁଲେଟର ଜବାବ ବାଲଟରେ ଦେବାକୁ ସେ ଭୋଟରଙ୍କୁ ଆହ୍ୱାନ ଦେଇଛନ୍ତି ।