କଲବଲ କରୁଛି କରୋନା । ଚୀନରେ ଭୂତାଣୁ ସଂକ୍ରମଣରେ ୪୯୦ଜଣଙ୍କର ମୃତ୍ୟୁ, ୨୪ହଜାରରୁ ଅଧିକ ଆକ୍ରାନ୍ତ ।

275

କନକ ବ୍ୟୁରୋ : ଦିନକୁ ଦିନ ବଢିବାରେ ଲାଗିଛି କରୋନାର ଭୟବହତା । ଚୀନରେ ପ୍ରତ୍ୟେକ ଦିନ କରୋନା ଭାଇରସରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଭୟଙ୍କର କରୋନାରେ ବର୍ତମାନ ସୁଦ୍ଧା ୪୯୦ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି । ଏହାସହ ୨୪ ହଜାରୁ ଅଧିକ ଏଥିରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଚୀନ ନ୍ୟାସନାଲ ହେଲଥ କମିଶନ୍ ପକ୍ଷରୁ ଏହି ସୂଚନା ଜାରି କରାଯାଇଛି ।

କରୋନା ସଂକ୍ରମଣରେ ମୃତ୍ୟୁ ସଂଖ୍ୟା ୪୯୦କୁ ଟପିଲା । ଚୀନରୁ ଆରମ୍ଭ ହୋଇଥିବା କରୋନା ସଂକ୍ରମଣର ଭୟାବହତା ଦିନକୁ ଦିନ ବଢିବାରେ ଲାଗିଛି । ଚୀନ ହେଲଥ କମିଶନ୍ ପକ୍ଷରୁ ମୃତ୍ୟୁ ସଂଖ୍ୟା ଏବଂ ଆକ୍ରାନ୍ତଙ୍କ ସଂଖ୍ୟା ଜାରି କରାଯାଇଛି । ମଙ୍ଗଳବାର ଚୀନରେ ୬୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସମସ୍ତ ରୋଗୀ ଉହାନ ସହରର ବୋଲି ଜଣା ପଡିଛି । ଏହାସହ ଚୀନରେ କରୋନା ସଂକ୍ରମଣରେ ଆକ୍ରାନ୍ତଙ୍କ ସଂଖ୍ୟା ୨୪ ହଜାର ଟପିଥିବା ଜଣାପଡିଛି ।

ସେପଟେ ହଂକଂରେ କରୋନା ସଂକ୍ରମଣରେ ଜଣଙ୍କର ମୃତ୍ୟୁ ହେବାପରେ ଦେଶରେ ହେଲଥ ଏମରଜେନ୍ସି ଜାରି କରାଯାଇଛି । ମଙ୍ଗଳବାର ୩୯ବର୍ଷୀୟ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଏହାସହ ଦେଶରେ ୧୮ ଜଣ ଭାଇରସରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ହଂକଂରେ ଚୀନ ସୀମାକୁ ସିଲ୍ କରିବା ଦାବିରେ ୨ହଜାର ସ୍ୱାସ୍ଥ୍ୟ କର୍ମୀ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି । ହଂକଂରେ କରୋନା ଭାଇରସରେ ମୃତ୍ୟୁ ପରେ ଏୟାର ଇଣ୍ଡିଆ ପକ୍ଷରୁ ଆଗାମୀ ଉଡାଣକୁ ବନ୍ଦ କରାଯାଇଛି । ଆସନ୍ତା ୮ ପେବୃୟାରୀରୁ ହଂକଂକୁ ଏୟାର ଇଣ୍ଡିଆ ବିମାନ ଉଡାଣ ବନ୍ଦ ରହିବ ।

ଜାପାନରେ କରୋନା ଭାଇରସ ସଂକ୍ରମଣ ରୋକିବା ପାଇଁ ଏକ କ୍ରୁଜରେ ଯାତ୍ରୀଙ୍କୁ ଅଟକ ରଖାଯାଇଛି । କ୍ରୁଜରେ ଥିବା ପାଖାପାଖି ୩ହଜାର ଯାତ୍ରୀଙ୍କ ଭିତରେ ୧୦ ଜଣଙ୍କ ଭିତରେ କରୋନା ଭାଇରସ ଚିହ୍ନଟ ହେବା ପରେ କ୍ରୁଜରେ ସମସ୍ତ ଯାତ୍ରୀଙ୍କୁ ଅଟକ ରଖା ଯାଇଛି । ସେପଟେ ଚୀନରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଆମେରିକା ଏକ ଔଷଧ କମ୍ପାନୀ ସହ ମିଶି ପ୍ରତିଷେଧକ ପ୍ରସ୍ତୁତ ଦିଗରେ କାମ ଆରମ୍ଭ କରି ଦେଇଛି ।

ପୂର୍ବରୁ କରୋନା ସଂକ୍ରମଣକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ସ୍ୱାସ୍ଥ୍ୟ କାଳିନ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଛି । ଚୀନ୍ ସ୍ୱାସ୍ଥ୍ୟ ବିଭାଗ ଅନୁଯାୟୀ ଏବେବି ୩ହଜାର ୮୮୭ ଆକ୍ରାନ୍ତଙ୍କ ଅବସ୍ଥା ଗମ୍ଭୀର ରହିଛି । ଏହାସହ ୨୪ହଜାର ୩୨୪ଜଣ କରୋନା ସଂକ୍ରମିତ ଥିବା ସନ୍ଦେହ କରାଯାଉଛି । ମଙ୍ଗଳବାର ସୋସିଆଲ ମିଡିଆରେ କରୋନା ସଂକ୍ରମଣରେ ଆକ୍ରାନ୍ତ ବୈଜେଷ୍ଠ୍ୟ ଦମ୍ପତିଙ୍କ ଭିଡିଓ ଭାଇରାଲ ହୋଇଛି । ଶେଷଥର ପାଇଁ ଡାକ୍ତରଖାନାରେ ବୃଦ୍ଧ ଜଣଙ୍କ ନିଜ ପତ୍ନୀଙ୍କୁ ଦେଖୁବାର ଦୃଶ୍ୟ ବେଶ ଭାବବିହ୍ୱଳ ହୋଇଛି ।