ବିଜେପି ପାଇଁ ସହଜ ନୁହେଁ ୨୦୧୯ ନିର୍ବାଚନ, ମୋଦିଙ୍କୁ ଟକ୍କର ଦେବେ ରାହୁଲ ଗାନ୍ଧି । ଜାତୀୟ ଗଣମାଧ୍ୟମର ସର୍ଭେ ରିପୋର୍ଟରେ ଆସିଲା ସାଂଘାତିକ ତଥ୍ୟ

32

କନକ ବ୍ୟୁରୋ : ୨୦୧୪ରେ ଜାତୀୟ ରାଜନୀତିରେ ଯେଉଁ ଚମକ୍ରାରିତା ଦେଖାଇଥିଲା ବିଜେପି, ସାଢେ ୪ବର୍ଷ ପରେ ତାହା ଧିରେଧିରେ ବଦଳିବାରେ ଲାଗିଛି । କଂଗ୍ରେସ ନେତୃତ୍ୱରେ ଏକାଠି ହେଉଛନ୍ତି ମୋଦି ବିରୋଧୀ । ଆଉ ୨୦୧୯ ନିର୍ବାଚନର ସମ୍ଭାବ୍ୟ ଫଳାପଳକୁ ନେଇ ପୂର୍ବନୁମାନ କରିଛି ଜାତୀୟ ଗଣମାଧ୍ୟମ ସଂସ୍ଥା । ଇଣ୍ଡିଆ ଟୁଡେର- ମୁଡ ଅଫ ଦି ନେସନ ରିପୋର୍ଟ କହୁଛି, ବିଜେପିର ସିଟ୍ ସଂଖ୍ୟା ଓ ଭୋଟ୍ ପ୍ରତିଶତ କମିବ । ଏନଡିଏ ଅଧିକା ସିଟ୍ ପାଇଲେ ବି ମ୍ୟାଜିକ ନମ୍ବରଠାରୁ ଦୂରରେ ରହିବ । ସେହିପରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟକ୍କର ଦେବେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ।

୨୦୧୯ ଲୋକସଭା ନିର୍ବାଚନରେ ୨୦୧୪ର ସଫଳତା ଦୋହରାଇ ପାରିବ ନାହିଁ ବିଜେପି । ବରଂ ଦଳର ସିଟ ସଂଖ୍ୟା ଓ ଭୋଟ ପ୍ରତିଶତ କମିବା ନେଇ ପୂର୍ବାନୁମାନ କରିଛି ଇଣ୍ଡିଆ ଟୁଡେ । ପ୍ରତିଷ୍ଠିତ ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେର ସର୍ଭେ ରିପୋର୍ଟରେ ଚମକାଇ ଦେଲାଭଳି ଆକଳନ । ଇଣ୍ଡିଆ ଟୁଡେର ମୁଡ ଅଫ ଦି ନେସନ ରିପୋର୍ଟ କହୁଛି –ଦେଶରେ ବର୍ତ୍ତମାନ ନିର୍ବାଚନ ହେଲେ ଏନଡିଏ- ୨୮୧ ଆସନରେ ସୀମିତ ରହିବ । ସେହିଭଳି ୟୁପିଏକୁ ମିଳିବ ୧୨୨ଟି ଆସନ । ଅନ୍ୟାନ୍ୟ ଦଳ ଗୁଡିକ ୧୪୦ଟି ଆସନରେ ବାଜିମାତ କରିବେ । ଅର୍ଥାତ ୨୦୧୪ ଲୋକସଭା ନିର୍ବାଚନରେ ସବୁଠାରୁ ବଡଦଳ ଭାବେ କଂଗ୍ରେସକୁ କ୍ଷମତାଚ୍ୟୁତ କରିଥିବା ବିଜେପିର ସିଟ୍ ସଂଖ୍ୟା କମିବ । ୨୦୧୪ରେ ୫୪୩ ସଦସ୍ୟ ବିଶିଷ୍ଟ ଲୋକସଭା ନିର୍ବାଚନରେ ଏକାକୀ ବିଜେପି ସର୍ବକାଳୀନ ୨୮୨ ସିଟରେ ଜିତିଥିଲା । ଏପରିକି ଏନଡିଏ ୩୩୬ ଲୋକସଭା ଆସନ ଦଖଲ କରିଥିଲା ।

କେବଳ ସିଟ ହରାଇବ ନାହିଁ ବିଜେପି ବରଂ ଏହାର ଭୋଟ ପ୍ରତିଶତ ମଧ୍ୟ କମିବା ନେଇ ପୂର୍ବାନୁମାନ କରିଛି ଇଣ୍ଡିଆ ଟୁଡେର ମୁଡ ଅଫ ଦି ନେସନ ରିପୋର୍ଟ –

ବର୍ତ୍ତମାନ ନିର୍ବାଚନ ହେଲେ          ୨୦୧୪ ସାଧାରଣ ନିର୍ବାଚନ
ଏନଡିଏ- ୩୬%                           ଏନଡିଏ- ୩୮.୫%
ୟୁପିଏ- ୩୧%                                ୟୁପିଏ- ୨୩%
ଅନ୍ୟାନ୍ୟ- ୩୩%                          ଅନ୍ୟାନ୍ୟ- ୩୯%
ଇଣ୍ଡିଆ ଟୁଡେର ଏହି ସର୍ଭେ ଅନୁସାରେ ଆଗାମୀ ନିର୍ବାଚନରେ ବିଜେପି ସଂଖ୍ୟାଗରିଷ୍ଠ ଦଳ ଭାବେ ନିର୍ବାଚିତ ହେଲେ ମଧ୍ୟ ଲୋକସଭାରେ ତାର ବଡଭାଇ ପଣିଆ ହରାଇବାର ଯଥେଷ୍ଟ ସମ୍ଭାବନା ରହିଛି । କାରଣ ୨୦୧୪ ତୁଳନାରେ ଦଳର ଉଭୟ ସିଟ୍ ଓ ଭୋଟ୍ ପ୍ରତିଶତ କମିବ ।

ମୋଦି ବିରୋଧୀଙ୍କୁ ସଂଗଠିତ କରି ୨୦୧୯ରେ ବିଜେପିର ବିଜୟଧାରାରେ ରୋକ ଲଗାଇବାକୁ ଚେଷ୍ଟା କରୁଥିବା କଂଗ୍ରେସ ରାହୁଲ ଗାନ୍ଧିଙ୍କୁ ମୋଦିଙ୍କ ପ୍ରମୁଖ ପ୍ରତିଦ୍ୱନ୍ଦୀ ହିସାବରେ ଉପସ୍ଥାପନ କରୁଛି । ତେଣୁ ଦେଶର ପରବର୍ତୀ ପ୍ରଧାନମନ୍ତ୍ରୀ ଭାବରେ ରାହୁଲଙ୍କ ଲୋକପ୍ରିୟତାକୁ ନେଇ ବି ସର୍ଭେ କରିଥିଲା ଇଣ୍ଡିଆ ଟୁଡେ । ପ୍ରଶ୍ନ ଥିଲା, ୨୦୧୯ରେ ବିରୋଧୀ କ୍ୟାମ୍ପରୁ କିଏ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକଳ୍ପ ହୋଇପାରିବ?
– ରାହୁଲ ଗାନ୍ଧି – ୪୬ %
– ମମତା ବାନାର୍ଜୀ – ୮ %
– ପି. ଚିଦାମ୍ବରମ – ୬ %
– ପ୍ରିୟଙ୍କା ଗାନ୍ଧୀ – ୬ %
ଅର୍ଥାତ୍ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ମୋଦିଙ୍କ ବିକଳ୍ପ ହୋଇପାରନ୍ତି ରାହୁଲ ଗାନ୍ଧି । ଆଉ ମିଳିତ ବିରୋଧୀ ଦଳର ଶକ୍ତି ଯେଉଁଭଳି ନରେନ୍ଦ୍ର ମୋଦିଙ୍କ ସାମ୍ନାରେ ଆହ୍ୱାନ ସୃଷ୍ଟି କରୁଛନ୍ତି, ତାର ଝଲକ ଉତ୍ତରପ୍ରଦେଶରେ ଉପନିର୍ବାଚନ ଗୁଡିକରେ ଦେଖିବାକୁ ମିଳିଥିଲା ।