ଭାରତ ବିରୋଧରେ ଆତଙ୍କବାଦୀଙ୍କ ଭୟଙ୍କର ଷଡ଼ଯନ୍ତ୍ର! ଭାରତରେ ଅନୁପ୍ରବେଶ କରିବାକୁ ୪୫୦ ଆତଙ୍କବାଦୀ ପ୍ରସ୍ତୁତ, ଅମରନାଥ ଯାତ୍ରା ପୂର୍ବରୁ କରି ପାରନ୍ତି ବଡ଼ ଧରଣର ବିସ୍ପୋରଣ

61

ଭାରତ ବିରୋଧରେ ସାଂଘାତିକ ଷଡ଼ଯନ୍ତ୍ର ରଚୁଛନ୍ତି ଆତଙ୍କବାଦୀ । ଜମ୍ମୁ-କାଶ୍ମୀରରେ ଅନୁପ୍ରବେଶ କରିବାକୁ ୪୫୦ ଜଣ ଆତଙ୍କବାଦୀ ପ୍ରସ୍ତୁତ ହୋଇ ଅଛନ୍ତି । ଏଭଳି ଏକ ଗୁଇନ୍ଦା ରିପୋର୍ଟ ଏବେ ସାମ୍ନାକୁ ଆସିଛି । ରିପୋର୍ଟ ମୁତାବିକ କାଶ୍କୀରରେ ଆତଙ୍କରାଜ ସୃଷ୍ଟି କରିବାକୁ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ଏବେ ଲସ୍କର ଓ ଜୈସ-ଇ-ମହମ୍ମଦର ଶରଣ ପଶିଛି । ଏହି ଦୁଇ ଆତଙ୍କବାଦୀ ସଙ୍ଗଠନର ପ୍ରାୟ ୪୫୦ ଜଣ ଆତଙ୍କବାଦୀ ଭାରତରେ ଅନୁପ୍ରବେଶ କରିବାକୁ ପିଓକେରେ ଏକାଠି ହୋଇଛନ୍ତି ।

ସୁତ୍ର ଅନୁଯାୟୀ, ଆତଙ୍କବାଦୀଙ୍କ ଅନୁପ୍ରବେଶ ପାଇଁ କାଶ୍ମୀରରେ ୧୧ଟି ନୂଆ ଲଞ୍ଚ ପ୍ୟାଡ଼ ନିର୍ମାଣ କରାଯାଇଛି । ଏହି ଆତଙ୍କବାଦୀ ମାନେ ଭାରତରେ ଅନୁପ୍ରବେଶ କରିବା ସହ ଅମରନାଥ ଯାତ୍ରାରେ ବଡ଼ ଧରଣର ବିସ୍ଫୋରଣ କରିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି । ଯାହାର ବ୍ଲୁ-ପ୍ରିଣ୍ଟ ପାକିସ୍ତାନରୁ ପ୍ରସ୍ତୁତ ହୋଇଛି । ଅନୁପ୍ରବେଶ କରିବାକୁ ଥିବା ୪୫୦ ଆତଙ୍କବାଦୀଙ୍କ ମଧ୍ୟରୁ ଅଧିକାଂଶ ଜୈସ-ଇ-ମହମ୍ମଦ ଆତଙ୍କବାଦୀ ସଙ୍ଗଠନର । ପାକିସ୍ତାନ ସେନା ଦ୍ୱାରା ନିର୍ମିତ ହୋଇଥିବା ନୟାଲି ଟ୍ରେନିଂ କ୍ୟାମ୍ପରେ ଜୈସ-ଇ-ମହମ୍ମଦ ଆତଙ୍କବାଦୀଙ୍କୁ ଟ୍ରେନିଂ ଦିଆଯାଉଛି । ସେହିଭଳି ଲସ୍କର ଆତଙ୍କବାଦୀଙ୍କୁ ପିଓକେ, ମଦାରପୁର, ଫଗୋସରେ ଥିବା କ୍ୟାମ୍ପରେ ଟ୍ରେନିଂ ଦିଆଯାଉଛି । ରିପୋର୍ଟ ଅନୁଯାୟୀ, ଆଇଏସଆଇ ଏବେ ଜୈସ ଆତଙ୍କବାଦୀଙ୍କ ଉପରେ ଅଧିକ ଭରସା କରୁଛି । ଏହାକୁ ଦୃଷ୍ଟିରେ ରଖି ଅମରନାଥ ଯାତ୍ରାର ସୁରକ୍ଷାକୁ ଆହୁରି କଡ଼ାକଡ଼ି କରି ଦିଆଯାଇଛି । ଯାତ୍ରା ସମୟରେ ଯେପରି କୌଣସି ଦୁର୍ଘଟଣା ନ ହୁଏ ତାହା ଉପରେ କଡ଼ା ନଜର ରଖିଛି ସେନା ।