ମାଟି ଖୋଳୁ ଖୋଳୁ ବାହାରିଲା ୪୫୦ କିଲୋଗ୍ରାମର ବମ୍ । ତାଜୁବ ହୋଇଗଲେ ଲୋକେ, ସ୍ଥାନୀୟ ଅଞ୍ଚଳରେ ଖେଳିଗଲା ଭୟର ଆତଙ୍କ

650

ମାଟି ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି କୋଲକାତାରେ ମାଟି ଖୋଳୁ ଖୋଳୁ ଅଚାନକ ୪୫୦ କିଲୋଗ୍ରାମର ବମ ବାହାରିଛି । ଏତେ ଓଜନର ବମ ମିଳିବା ଖବର ସାମ୍ନାକୁ ଆସିବା ପରେ ପୂରା ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ବମ ମିଳିଥିବା ସ୍ଥାନକୁ ଘେରାବନ୍ଦୀ କରିବା ସହ ସେଠାକୁ ସାଧାରଣ ଲୋକଙ୍କ ପ୍ରବେଶକୁ ବାରଣ କରାଯାଇଛି । ଏହି ବମଟି କୋଲକାତାର ବନ୍ଦର ନିକଟରେ ଦେଖିବାକୁ ମିଳିଛି । ଫାଇଟର ଜେଟରେ ବ୍ୟବହାର ହେଉଥିବା ଏହି ବମ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ବୋଲି କୁହାଯାଉଛି ।

କୋଲକାତା ବନ୍ଦର ଟ୍ରଷ୍ଟ ଅଧ୍ୟକ୍ଷ ବିନୀତ କୁମାରଙ୍କ କହିବା ଅନୁଯାୟୀ, ଏହି ବମ ମିଳିବା ସଙ୍ଗେ ସଙ୍ଗେ ପୋଲିସ, ନୌସେନା ଓ ସେନାକୁ ସୂଚିତ କରାଯାଇଛି । ପ୍ରଥମେ ଏହା ଟରପିଡୋ ବୋଲି କୁହାଯାଉଥିଲା କିନ୍ତୁ ନୌସେନା ଏହାକୁ ବମ ବୋଲି ସ୍ପଷ୍ଟ କରିଥିଲା । ୪.୫ ମିଟର ଲମ୍ବର ଏହି ବମକୁ ନେଇ ପଶ୍ଚିମବଙ୍ଗର ନୌସେନା କମାଣ୍ଡର ସୁପ୍ରଭୋ କେ ଦେଙ୍କ କହିଛନ୍ତି, ଏହି ବମ କୌଣସି ବିପଦ ସୃଷ୍ଟି କରିବ ନାହିଁ କାରଣ ଏଥିରେ କିଛି ସୁରକ୍ଷା ଲକ୍ ପଡିଛି । ଯାହାକୁ ଫିଟାଇବା ବେଶ କଷ୍ଟକର ।

ରିପୋର୍ଟ ଅନୁଯାୟୀ, ଏହି ବମ ବିଷୟରେ ଅଧିକ ଜାଣିବା ପାଇଁ ଗୋଳାବାରୁଦା କାରଖାନାର ସହାୟତା ନିଆଯିବ । ଯଦି ଆବଶ୍ୟକ ପଡେ ତେବେ ଭାଇଜାକ ନୌସେନା ଘାଟିକୁ ମଧ୍ୟ ସହାୟତା ପାଇଁ ସୂଚିତ କରାଯିବ ବୋଲି ସୁପ୍ରଭୋ ଦେ କହିଛନ୍ତି । ସୂଚନା ଅନୁଯାୟୀ, ହୁଗଲୀ ନଦୀର ପୂର୍ବତଟରେ ଅବସ୍ଥିତ ବନ୍ଦରକୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆମେରିକା ନୌସେନା ଯୁଦ୍ଧ ଅଭିଯାନ ପାଇଁ ବହୁଳ ଭାବରେ ବ୍ୟବହାର କରୁଥିଲା ।