ରାକ୍ଷୀ ପୂର୍ଣ୍ଣିମାକୁ ଫିକା କରିପାରେ ବର୍ଷା । ଲଘୁଚାପ ନେଉଛି ଘୂର୍ଣ୍ଣିବଳୟର ରୂପ, ପ୍ରଭାବରେ ଏହି ସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
କନକ ବ୍ୟୁରୋ: ଉତ୍ତରପଶ୍ଚିମ ବଙ୍ଗୋପସାଗର ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହୋଇ ଲଘୁଚାପ ରୂପ ନେବ। ଏହା ପ୍ରଭାବରେ ଆଜି ରାତିରୁ ଉତ୍ତର ଓଡ଼ିଶାରେ ବର୍ଷା ଲାଗିରହିବ। କାଲି ସକାଳକୁ ଲଘୁଚାପ ଯୋଗୁଁ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳରୁ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ।
Kanak News is now on WhatsApp
Join and get latest news updates delivered to you via WhatsApp
ବିଭାଗ ଆକଳନ କରିଛି ଯେ ଲଘୁଚାପର ପ୍ରଭାବ ଉତ୍ତର ଓଡ଼ିଶା ଉପରେ ଅଧିକ ରହିବ। ତେଣୁ ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର, ମାଲକାନଗିରି ଓ କୋରାପୁଟ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଏହି ବର୍ଷା ୩ ଦିନ ଧରି ଲାଗିରହିବ। ଉପକୂଳ ଓଡ଼ିଶାର ପୁରୀ, ଖୋର୍ଧା ଜିଲ୍ଲାରେ ମଧ୍ୟ ୨୭ ତାରିଖ ବେଳକୁ ଲଘୁଚାପ ପ୍ରଭାବରେ ବର୍ଷା ହେବା ନେଇ ଆକଳନ କରାଯାଇଛି। ୨୯ ତାରିଖ ବେଳକୁ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ବରଗଡ଼, ସୋନପୁର, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ଆଶଙ୍କା ରହିଛି।
ପାଣିପାଗ ବିଜ୍ଞାନୀଙ୍କ କହିବାନୁଯାୟୀ ଏଥର ଲଘୁଚାପର ପ୍ରଭାବ ସେତେ ଅଧିକ ରହିବ ନାହିଁ। ଉତ୍ତର ଓ ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ହେବ। ୨୫ ତାରିଖ ରାତି ଓ ୨୬ ତାରିଖ ଦିନ ଅତିପ୍ରବଳ ବର୍ଷାର ସମ୍ଭାବନା ରହିଛି। ୨୮ ଓ ୨୯ ତାରିଖ ବେଳକୁ ଲଘୁଚାପ ଉତ୍ତର ପଶ୍ଚିମ ଓଡ଼ିଶା ଦେଇ ଓଡ଼ିଶା ଅତିକ୍ରମ କରିବ। ପ୍ରଭାବରେ ପଶ୍ଚିମ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହୋଇପାରେ।