ଆଉ ନାଲିଆଖି ଦେଖାଇପାରିବନି ଚୀନ୍ ! ସୀମାବର୍ତ୍ତୀ ଅଞ୍ଚଳରେ ଭାରତ ନିର୍ମାଣ କରିବ ୪୪ଟି ସଡକ, ଯୁଦ୍ଧକାଳୀନ ସ୍ଥିତିରେ ସଙ୍ଗେ ସଙ୍ଗେ ପହଞ୍ଚିବ ସେନା

188

ଚୀନକୁ ମାତ୍ ଦେବାକୁ ଭାରତ ଏବେ କଡା ପଦକ୍ଷେପ ଦେବାକୁ ଯାଉଛି । ଚୀନ ସୀମାକୁ ଲାଗି ରହିଥିବା ସୀମାବର୍ତ୍ତୀ ଅଞ୍ଚଳ ଗୁଡିକରେ ୪୪ଟି ନୂଆ ସଡକ ନିର୍ମାଣ କରିବାକୁ ଯାଉଛନ୍ତି ଭାରତ ସରକାର । ଏହି ସଡକ ଗୁଡିକ ସାମରିକ ଦୃଷ୍ଟିକୋଣରୁ ଭାରତକୁ ବେଶ ଶକ୍ତିଶାଳୀ କରିବ । କାରଣ ଏହି ଅଞ୍ଚଳରେ ପହଞ୍ଚିବାକୁ ପୂର୍ବରୁ ଭାରତକୁ ବେଶ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା । ଏହାଛଡା ପାକିସ୍ତାନ ସୀମାକୁ ଲାଗି ରହିଥିବା ଅଞ୍ଚଳରେ ଖାସକରି ପଞ୍ଚାବ ଓ ରାଜସ୍ଥାନରେ ୨୧୦୦ କିଲୋମିଟର ସଡକ ନିର୍ମାଣ କରିବାକୁ ଯୋଜନା କରାଯାଇଛି । ସିପିଡବ୍ଲୁଡି ପକ୍ଷରୁ ଚଳିତ ମାସ ଜାରି କରାଯାଇଥିବା ବାର୍ଷିକ ରିପୋର୍ଟରେ ଭାରତ-ଚୀନ ସୀମାବର୍ତ୍ତୀ ଅଞ୍ଚଳରେ ୪୪ଟି ସାମରିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ସଡକ ନିର୍ମାଣ କରିବାକୁ ଉଲ୍ଲେଖ ରହିଛି । ଯାହାଫଳରେ ଜରୁରୀକାଳୀନ ସ୍ଥିତିରେ ସେନା ତୁରନ୍ତ ଏହି ଅଞ୍ଚଳରେ ପହଞ୍ଚିପାରିବେ ।

ଜମ୍ମୁ-କାଶ୍ମୀର ଠାରୁ ଆରମ୍ଭ କରି ଅରୁଣାଚଳ ପ୍ରଦେଶ ପର୍ଯ୍ୟନ୍ତ ଭାରତ ଏବଂ ଚୀନ ମଧ୍ୟରେ ୪୦୦୦ କିଲୋମିଟର ନିୟନ୍ତ୍ରଣ ରେଖା ରହିଛି । ଗୋଟିଏ ପଟେ ଚୀନ ମଧ୍ୟ ଭାରତୀୟ ସୀମାକୁ ଲାଗି ରହିଥିବା ଅଞ୍ଚଳ ଗୁଡିକରେ ରାସ୍ତା ନିର୍ମାଣ ଆରମ୍ଭ କରିଥିବା ବେଳେ ଏହାର ଜବାବ ଦେବାକୁ ଭାରତ ମଧ୍ୟ ସୀମାବର୍ତ୍ତୀ ଅଞ୍ଚଳରେ ରାସ୍ତା ନିର୍ମାଣ କରିବାକୁ ପ୍ରାଥମିକତା ଦେଇଛି ।

ଗତବର୍ଷ ଡୋକଲାମରେ ଚୀନର ସଡକ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପରେ ଦୁଇ ଦେଶ ମଧ୍ୟରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଦୁଇ ଦେଶର ଯବାନ ଡୋକଲାମରେ ମୁହାଁମୁହିଁ ସ୍ଥିତିକୁ ଚାଲି ଆସିଥିଲେ । ଆଉ ଏସବୁକୁ ଦୃଷ୍ଟିରେ ରଖି ଭାରତ ଏବେ ସୀମା ଅଞ୍ଚଳରେ ସଡକ ନିର୍ମାଣ କରିବାକୁ ଯୋଜନା କରୁଛି । ଏହି ୪୪ଟି ରାସ୍ତା ନିର୍ମାଣ ପାଇଁ ପାଖାପାଖି ୨୧ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ଏହାଛଡା ଭାରତ-ପାକିସ୍ତାନ ସୀମାକୁ ଲାଗି ରହିଥିବା ପଞ୍ଜାବ ଓ ରାଜସ୍ଥାନରେ ମଧ୍ୟ ୨୧୦୦ କିଲୋମିଟର ରାସ୍ତା ନିର୍ମାଣ ପାଇଁ ୫୪୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ଏହାଦ୍ୱାରା ସାମରିକ ଦୃଷ୍ଟିକୋଣରୁ ଭାରତ ବେଶ ଶକ୍ତିଶାଳୀ ହୋଇଯିବ ।