ଦିନ ୩ଟା ସୁଦ୍ଧା ରାଜ୍ୟରେ ୪୨.୯୭ ପ୍ରତିଶତ ମତଦାନ । ମତଦାନରେ ଢେଙ୍କାନାଳ ଆଗରେ, ଭୁବନେଶ୍ୱର ପଛରେ ।

292

କନକ ବ୍ୟୁରୋ : ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ରାଜ୍ୟରେ ଜାରି ରହିଛି ଭୋଟ୍ ଗ୍ରହଣ । ତୃତୀୟ ପର୍ଯ୍ୟାୟରେ ରାଜ୍ୟର ୬ଟି ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ ୪୨ଟି ବିଧାନସଭା ଆସନ ପାଇଁ ଆଜି ମତଦାନ ହେଉଛି । ଦିନ ୩ ସୁଦ୍ଧା ରାଜ୍ୟରେ ୪୨.୯୭ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

ପୁରୀ, କଟକ, ଭୁବନେଶ୍ୱର, ସମ୍ବଲପୁର, କେନ୍ଦୁଝର ଓ ଢେଙ୍କାନାଳର ମୋଟ୍ ୪୨୭ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଜନତା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦିନ ୩ଟା ସୁଦ୍ଧା ଭୋଟଦାନରେ ଢେଙ୍କାନାଳ ଆଗରେ ରହିଥିବା ବେଳେ ସବୁଠୁ ପଛରେ ରହିଛି ରାଜଧାନୀ ଭୁବନେଶ୍ୱର । ଆସନ୍ତୁ ଜାଣିବା ଦିନ ୩ଟା ସୁଦ୍ଧା କେଉଁଠି କେତେ ପ୍ରତିଶତ ମତଦାନ ହୋଇଛି ।

ତୃତୀୟ ପର୍ଯ୍ୟାୟରେ ଦିନ ୩ଟା ସୁଦ୍ଧା ଢେଙ୍କାନାଳରେ ସର୍ବାଧିକ ୫୨.୧୩ ପ୍ରତିଶତ ମତଦାନ ହୋଇଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ସର୍ବନିମ୍ନ ୩୬.୯୭ ପ୍ରତିଶତ ମତଦାନ ହୋଇଛି । ସେହିପରି ପୁରୀରେ ୪୫.୨୪ ପ୍ରତିଶତ ମତଦାନ ହୋଇଥିବା ବେଳେ କଟକରେ ୪୩.୮୭ ପ୍ରତିଶତ ମତଦାନ ହୋଇଥିବା ଜଣାପଡିଛି । ସେପଟେ ସମ୍ବଲପୁରରେ ଦିନ ୩ଟା ସୁଦ୍ଧା ୪୪.୪୪ ପ୍ରତିଶତ ମତଦାନ ହୋଇଛି । ରାଜ୍ୟରେ ମୋଟ୍ ୯୨ ଲକ୍ଷ ୫୬ ହଜାର ୯୨୨ ଜଣ ଭୋଟର ତୃତୀୟ ପର୍ଯ୍ୟାୟରେ ସେମାନଙ୍କର ମତଦାନ ଅଧିକାର ସାବ୍ୟସ୍ତ କରୁଛନ୍ତି । ସେମାନଙ୍କ ଭିତରୁ ୪୭ ଲକ୍ଷ ୯୯ ହଜାର ୩୦ ଜଣ ପୁରୁଷ ଭୋଟର ହୋଇଥିବା ବେଳେ, ୪୪ ଲକ୍ଷ ୫୬ ହଜାର ୭୨୯ ଜଣ ମହିଳା ଭୋଟର ଅଛନ୍ତି ।