ଓଡିଶା ପାଇଁ ଟଙ୍କାର ଭଣ୍ଡାର ଖୋଲିଲେ ଶିଳ୍ପପତି ଓ କମ୍ପାନି । ନିବେଶ କରିବେ ୪ଲକ୍ଷ ୧୯ ହଜାର ୫୭୪ କୋଟି, ମିଳିବ ୫ଲକ୍ଷ ୯୧ ହଜାର ନିଯୁକ୍ତି 

 ମେକ୍ ଇନ୍ ଓଡିଶାର ସଫଳତା ପାଇଁ ଏହି କନକ୍ଲେଭ ସହ ଯୋଡି ହୋଇଥିବା ସମସ୍ତ କମ୍ପାନି, ବ୍ୟକ୍ତିବିଶେଷଙ୍କୁ  ଧନ୍ୟବାଦ ଜଣାଇଛନ୍ତି ନବୀନ । ଖାସକରି ଏହି କନକ୍ଲେଭର ସହଯୋଗୀ ଭାବେ ଜାପାନକୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ

192

କନକ ବ୍ୟୁରୋ : ସଫଳ ହୋଇଛି ମେକ୍ ଇନ୍ ଓଡିଶା କନକ୍ଲେଭ ୨୦୧୮ । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମେକ୍ ଇନ୍ ଓଡିଶା ଯୋଗୁଁ ରାଜ୍ୟରେ ୪ ଲକ୍ଷ ୧୯ ହଜାର ୫୭୪ କୋଟି ଟଙ୍କା ପୁଞ୍ଜି ବିନିଯୋଗର ପ୍ରସ୍ତାବ ରହିଛି ବୋଲି କହିଛନ୍ତି ନବୀନ । ଯାହାଫଳରେ ୫ ଲକ୍ଷ ୯୧ ହଜାର କର୍ମନିଯୁକ୍ତି ସୃ୍ଷ୍ଟି ହେବ । ମୋଟ ୧୫ଟି କ୍ଷେତ୍ରରେ ଏହି ପୁଞ୍ଜି ନିବେଶ କରାଯିବ । ଯେଉଁଥିରେ ସାମଗ୍ରିକ ବିକାଶକୁ ଗୁରୁତ୍ୱ ଦିଆଯାଇଛି । ଆଉ ଏହାସହ ମେକ୍ ଇନ୍ ଓଡିଶାର ଦ୍ୱିତୀୟ ସଂସ୍କରଣରେ ରେକର୍ଡ ପୁଞ୍ଜି ନିବେଶ ହେବ ବୋଲି ଆଶା ସଞ୍ଚାର ହୋଇଛି ।

ରିଲାଏନ୍ସ, ଆଦିତ୍ୟ ବିର୍ଲା, ଟାଟା ବେଦାନ୍ତ ଆଦାନି, ଜେଏସପିଏଲ ଭଳି ବଡ ବଡ କମ୍ପାନି ମେକ୍ ଇନ୍ ଓଡିଶା ମାଧ୍ୟମରେ ରାଜ୍ୟରେ ପୁଞ୍ଜି ନିବେଶ କରିବାକୁ ଆଗ୍ରହ ଦେଖାଇଛନ୍ତି । ମେକ୍ ଇନ୍ ଓଡିଶାର ସଫଳତା ପାଇଁ ଏହି କନକ୍ଲେଭ ସହ ଯୋଡି ହୋଇଥିବା ସମସ୍ତ କମ୍ପାନି, ବ୍ୟକ୍ତିବିଶେଷଙ୍କୁ  ଧନ୍ୟବାଦ ଜଣାଇଛନ୍ତି ନବୀନ । ଖାସକରି ଏହି କନକ୍ଲେଭର ସହଯୋଗୀ ଭାବେ ଜାପାନକୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ମେକ୍ ଇନ୍ ଓଡିଶାରେ ୧୯ଟି ଦେଶର ପ୍ରତିନିଧି ଯୋଗ ଦେଇଥିଲେ । ମେକ୍ ଇନ୍ ଓଡିଶାର ତୃତୀୟ ସଂସ୍କରଣ ଆସନ୍ତା ୨୦୨୦ ନଭେମ୍ବର ୩୦ରୁ ଡିସେମ୍ବର ୪ ଯାଏଁ ହେବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।