ଶୀତଳ ଭଣ୍ଡାରରେ ପଡ଼ିଲା ତାଲା, ଚାଷୀ ହେବେ ହଟହଟା! କୋଟି କୋଟି ଟଙ୍କା କ୍ଷତି ହେଉଥିବା ଅଭିଯୋଗ ଆଣି ଅନିର୍ଦ୍ଦିଷ୍ଟ କାଳ ପାଇଁ କୋଲ୍ଡ ଷ୍ଟୋରେଜ୍ ବନ୍ଦ କଲା ସଂଘ

161

କନକ ବ୍ୟୁରୋ : ଅମଳ ସମୟରେ କୋଲ୍ଡ ଷ୍ଟୋରରେ ତାଲା ପଡ଼ିଛି । ରାଜ୍ୟରେ ଥିବା ୪୧ଟି ଯାକ କୋଲଡ ଷ୍ଟୋର ବନ୍ଦ ହୋଇଯାଇଛି । ବର୍ଷକୁ ପ୍ରାୟ କୋଟିଏ ଟଙ୍କା ଲେଖାଏଁ କ୍ଷତି ହେଉଥିବା ଦର୍ଶାଇ ଶୀତଳଭଣ୍ଡାର ଗୁଡ଼ିକୁ ବନ୍ଦ କରିଦେଇଛି ଓଡ଼ିଶା କୋଲଡ ଷ୍ଟୋରେଜ୍ ଆସୋସିଏସନ୍ । ବିଜୁଳି ସବସିଡି ପାଇଁ ସର୍ତ ହଟାଇବା ସହ ଅନ୍ୟ ପ୍ରୋତ୍ସାହନ ପାଇଁ ଦାବି କରିଛି ସଂଘ ।

ବର୍ତମାନ ଆଳୁ ଉତ୍ପାଦନର ସମୟ । ଏକ ମାସ ପର୍ଯ୍ୟନ୍ତ ଓଡ଼ିଶାରେ ଆଳୁ ଉତ୍ପାଦନ ହେବ । ହେଲେ ଓଡ଼ିଶାର ସମସ୍ତ ୪୧ଟି ଶୀତଳ ଭଣ୍ଡାରକୁ ବନ୍ଦ କରିଦେଇଛି ଓଡ଼ିଶା କୋଲଡ ଷ୍ଟୋରେଜ୍ ଆସୋସିଏସନ୍ । ସେମାନଙ୍କ ଅଭିଯୋଗ, ରାଜ୍ୟରେ ଆଶାନୁରୂପ ଆଳୁ ଉତ୍ପାଦନ ହେଉନାହିଁ । ପ୍ରତି ଶୀତଳଭଣ୍ଡାର ବର୍ଷକୁ ପ୍ରାୟ ୧ କୋଟି ଟଙ୍କା କ୍ଷତି ସହୁଛି ।

ସଂଘର ଅଭିଯୋଗ, ଶୀତଳ ଭଣ୍ଡାର ପ୍ରତିଷ୍ଠା ପାଇଁ ପ୍ରାୟ ୭ କୋଟି ଟଙ୍କା ଖର୍ଚ୍ଚ ହେଉଛି । ସରକାର ଏଥିପାଇଁ ୨ କୋଟି ଟଙ୍କା ସବସିଡି ଦେଉଛନ୍ତି । ୬ ବର୍ଷ ପାଇଁ ଅଧା ବିଜୁଳି ବିଲ୍ ଛାଡ଼ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି । ମାତ୍ର ସର୍ତ ରହିଛି ଶୀତଳ ଭଣ୍ଡାର କ୍ଷମତାର ଅଧା ପରିମାଣ ଓଡ଼ିଶାର ଉତ୍ପାଦିତ ଆଳୁ ରଖିବାକୁ ହେବ । ରାଜ୍ୟରେ ସେହି ପରିମାଣର ଆଳୁ ଉତ୍ପାଦନ ହେଉନଥିବାରୁ ବିଜୁଳି ସବସିଡି ନପାଇ କ୍ଷତିରେ ଚାଲିଛି ଶୀତଳଭଣ୍ଡାର ।

୨୦୧୫ ମସିହାରେ “ଆଳୁ ମିଶନ’ ଜରିଆରେ ସରକାର ତିନିବର୍ଷରେ ରାଜ୍ୟରେ ୧୧୨ଟି ଶୀତଳ ଭଣ୍ଡାର ପ୍ରତିଷ୍ଠା ହେବ ବୋଲି ସ୍ଥିର କରିଥିଲେ । ମାତ୍ର ଏହି ଲକ୍ଷ୍ୟ ଠାରୁ ରାଜ୍ୟ ଏବେ ବହୁଦୂରରେ । ସେପଟେ ଉନ୍ନତ ମାନର ବିହନ ମିଳୁନଥିବାରୁ ଆଳୁ ଉତ୍ପାଦନ ହ୍ରାସ ପାଉଥିବା ଅଭିଯୋଗ କରିଛନ୍ତି ଚାଷୀ । ଓଡ଼ିଶାର ଚାଷୀ ଓ ଶୀତଳ ଭଣ୍ଡାରଗୁଡିକୁ ପଶ୍ଚିମବଙ୍ଗ ଭଳି ପ୍ରୋତ୍ସାହନ ନ ଯୋଗାଇଲେ ଆଗକୁ ସ୍ଥିତି ଅସମ୍ଭାଳ ହୋଇଯିବ ବୋଲି ଆଶଙ୍କା ସୃଷ୍ଟି ହୋଇଛି ।