ଦାରିଦ୍ର‌୍ୟର କଷାଘାତରେ ଜୀବନ ! ପରିଣତ ବୟସରେ ଭତ୍ତା ପାଇଁ ୪୦୦ କିଲୋମିଟର ଦୌଡ଼ୁଛନ୍ତି ୮୭ ବର୍ଷିୟ ବୃଦ୍ଧ

173

କନକ ବ୍ୟୁରୋ : ବୟସ ୮୭ ଡେଇଁଲାଣି । ବାଡ଼ି ନଧରିଲେ ପାଦେ ପକାଇବା କଷ୍ଟକର । କିନ୍ତୁ ଭତ୍ତା ପାଇଁ ଦୌଡ଼ିବାକୁ ପଡ଼ୁଛି ୪୦୦ରୁ ଅଧିକ କିଲୋମିଟର । ନିଜ ପଞ୍ଚାୟତକୁ ନାମ ସ୍ଥାନାନ୍ତର ପାଇଁ ପ୍ରଶାସନଠାରୁ ଆରମ୍ଭ କରି ରାଜନେତାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରି କରି ସାରିଲେଣି । କିନ୍ତୁ କେହି ଶୁଣୁନାହାନ୍ତି ।

ଏହି ବୃଦ୍ଧ ହେଉଛନ୍ତି ପୁରୀ ଜିଲ୍ଲା ସଦର ବ୍ଲକ୍ ପ୍ରତାପରାମଚନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ କୁମ୍ଭାରଡିହ ଗ୍ରାମର ଦୁଃଖୀଶ୍ୟାମ ପ୍ରଧାନ । ପରିବାରର ଗୁଜୁରାଣ ଚିନ୍ତା ଓ ଦାରିଦ୍ର୍ୟ କଷଣ ଅତୀତରେ ଦୁଃଖୀଶ୍ୟାମଙ୍କୁ ଗାଁ ଛାଡ଼ିବାକୁ ବାଧ୍ୟ କରିଥିଲା ଏଥିପାଇଁ ସେ ଗାଁ ଛାଡ଼ି ସୁଦୂର ରାଉରକେଲାକୁ ଦାଦନ ଖଟିବା ଲାଗି ଚାଲି ଯାଇଥିଲେ । ରାଉରକେଲାର ସେକ୍ଟର-୧୯ରେ ପରିଚିତ ବ୍ୟକ୍ତିଙ୍କ ସହ ରହି କାମଧନ୍ଦା କଲେ । ଯୁବାବସ୍ଥା ଯାଇ ବାର୍ଦ୍ଧକ୍ୟ ଛୁଇଁଲା । ଆଉ ସେତେଟା କାମଧନ୍ଦା ମିଳିଲାନି ।

ଶେଷରେ ବାର୍ଦ୍ଧକ୍ୟ ଭତ୍ତା ଉପରେ ନିର୍ଭରଶୀଳ ହେଲେ । ଯାହା କିଛି ଟଙ୍କା ମିଳୁଥିଲା ସେଥିରେ କଷ୍ଟେମଷ୍ଟେ ଚଳୁଥିଲେ । ୪ ବର୍ଷ ତଳେ ସେ ଗାଁକୁ ଫେରିଛନ୍ତି । ବାର୍ଦ୍ଧକ୍ୟ ହେତୁ ଆଉ ଚାଲିବୁଲି ପାରୁନାହାନ୍ତି । ବଙ୍କୁଲି ବାଡ଼ି ନଧରିଲେ ଠିଆ ହେବା କଷ୍ଟକର । ଅନେକ ସମୟରେ ଚାଲି ଚାଲି ଯିବା ସମ୍ଭବ ହେଉନଥିବାରୁ ଘୁ‌ଷୁରି ଘୁଷୁରି ଯାଉଛନ୍ତି । ଫଳରେ ଭତ୍ତା ଟଙ୍କା ଆଉ ପାଇପାରୁନି । ଦୁଃଖୀଶ୍ୟାମ କୁହନ୍ତି ଯେ, ‘ ରାଉରକେଲାରେ ଥିବା ଭତ୍ତା କାଗଜପତ୍ର ପ୍ରତାପରାମଚନ୍ଦ୍ରପୁର ପଞ୍ଚାୟତକୁ ଆଣିଦେବା ଅବା ନୂଆ ଭତ୍ତା କରିବାକୁ ବହୁତ କହିଲିଣି । ପଞ୍ଚାୟତଠାରୁ ଆରମ୍ଭ କରି ବ୍ଲକ୍ ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରି କରିସାରିଲିଣି । କିନ୍ତୁ କେହି ମୋ କଥା ଶୁଣୁନାହାନ୍ତି ।’ ଭତ୍ତା ମିଳୁନଥିବାରୁ ଏବେ ପର ଉପରେ ନିର୍ଭର କରିବାକୁ ପଡ଼ୁଛି । ଏହି କଥା କହିଲା ବେଳକୁ ଦୁଃଖୀଶ୍ୟାମଙ୍କ ଆଖି ଛଳ ଛଳ ହୋଇ ଯାଇଥିଲା ।