ବିଜେପୁରରେ ଅନ୍ଧାରି ବିଜେ : ମହୁଲପାଲି ଛକରୁ ୪୦ ଲକ୍ଷ ଟଙ୍କା ଜବତ କଲା ପୁଲିସ, ନିର୍ବାଚନରେ ଟଙ୍କା ବାଂଟିବା ନେଇ ସନ୍ଦେହ

25

କନକ ବ୍ୟୁରୋ : ବିଜେପୁରରେ ଅନ୍ଧାରି ବିଜେ । ନିର୍ବାଚନ ପ୍ରଚାର ସରଗରମ ଥିବା ବେଳେ ମହୁଲପାଲି ଛକରୁ ୪୦ ଲକ୍ଷ ଟଙ୍କା ଜବତ କରିଛି ପୁଲିସ । ପଦ୍ମପୁରରୁ ବିଜେପୁର ଯିବା ରାସ୍ତାରେ ମହୁଲପାଲି ଛକ ଚେକ୍ ଗେଟ୍ ନିକଟରେ ପୋଲିସ ଜଗିଥିବା ବେଳେ ଏକ ଜାଇଲୋ ଗାଡିକୁ ଅଟକାଇଥିଲା । ଯାହାର ନମ୍ବର ଥିଲା ଓଡି ୧୭ ଜି ୧୮୫୫ । ଗାଡିକୁ ଯାଂଚ କରିବା ବେଳେ ପ୍ରାୟ ୪୦ ଲକ୍ଷ ଟଙ୍କା ଜବତ କରିଛି ପୋଲିସ । ଯେଉଁଥିରେ ରହିଥିଲା କେବଳ ୨ ହଜାର ଓ ୫ ଶହ ଟଙ୍କିଆ ନୋଟ୍ । ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖି ପଚରା ଉଚରା ଜାରି ରଖିଛି ପୋଲିସ ।

ଅଟକ ଥିବା ଜାଇଲୋ ଗାଡି ମାଲିକ, ପଦ୍ମପୁର ଅଂଚଳର ଜଣେ ବ୍ୟବସାୟୀ ଓ ଅନ୍ୟ ଜଣେ ଡ୍ରାଇଭର ବୋଲି ଜଣାପଡିଛି । ନିର୍ବାଚନରେ ଟଙ୍କା ବାଂଟିବା ନେଇ ସଂଦେହ କରାଯାଉଛି । ବିଜେପୁର ଉପନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବାବେଳେ ଏତେ ଟଙ୍କା କାହିଁକି ଯାଉଥିଲା ତାକୁ ନେଇ ବିରାଟ ସନ୍ଦେହ ତିଆରି ହୋଇଛି । ତେବେ କେଉଁ ଦଳ ପକ୍ଷରୁ ଏହି ଟଙ୍କା ନିଆଯାଉଥିଲା ସେନେଇ ପଦ୍ମପୁର ପୁଲିସ ଛାନଭିନ କରୁଛି । ତଦନ୍ତ ପରେ ଘଟଣା ସାମନାକୁ ଆସିବ ବୋଲି ସୂଚନା ଦେଇଛି ପୋଲିସ ।

bijepur

ସେପଟେ ପ୍ରଚାରରେ ପଛରେ ପଡିଯାଉଥିବା ଚର୍ଚ୍ଚା ଭିତରେ କଂଗ୍ରେସ ଦେଖାଇଛି ଆକ୍ରମଣାତ୍ମକ ଆଭିମୁଖ୍ୟ । ବିଜେଡିକୁ ଯାତ୍ରା ଦଳ ଓ ବିଜେପିକୁ ଯାତ୍ରା ପାର୍ଟି କହି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଚଳାଇଛନ୍ତି କଂଗ୍ରେସ ଛାମୁଆ ନେତା । ଏପଟେ ସେଭେନ୍ଟି ଏମ୍ଏମ୍ ସିଲଭର ସ୍କ୍ରିନରୁ ବାହାରି ବିଜେପୁର ପ୍ରଚାର ପଡିଆରେ ପହଂଚିଛନ୍ତି ଅଭିନେତା ଅରିନ୍ଦମ । ଆଉ ଭୁବନେଶ୍ୱରରେ ବିଜେପୁର ବାଜି ଜିତିବାକୁ ଦମ୍ଭୋକ୍ତି କରିଛନ୍ତି ମନ୍ତ୍ରୀ ପ୍ରଦୀପ ମହାରଥୀ । ସେପଟେ ମୋଦିଙ୍କ କ୍ୟାବିନେଟର ଆଦିବାସୀ ଚେହେରା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ବି ବିଜେପୁରରେ ବିଜେପି ପ୍ରାର୍ଥୀଙ୍କ ପାଇଁ ମାଗିଛନ୍ତି ଭୋଟ୍ ।