ବରଗଡରୁ ୪୦ଲକ୍ଷ ଜବତ ନେଇ ବିଜେଡି-ବିଜେପି ମୁହାଁମୁହିଁ ! ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ରିପୋର୍ଟ ଦେଲେ ଏସପି ଏବଂ କହିଲେ, ଗିରଫ ୨ ଅଭିଯୁକ୍ତ ବିଜେପି ସମର୍ଥକ

38

କନକ ବ୍ୟୁରୋ : ବରଗଡ ମହୁଲପାଲି ଛକରୁ ଜବତ ହୋଇଥିବା ୪୦ ଲକ୍ଷ ୫୦ ହଜାର ଟଙ୍କା ମାମଲାରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ତଥ୍ୟ ଦେଲା ପୋଲିସ । ଧରା ପଡିଥିବା ଅଭିଯୁକ୍ତ ଆକାଶ ଅଗ୍ରୱାଲ ବିଶ୍ୱ ହିନ୍ଦୁ ପରିଷଦ ଏବଂ ବିଜେପିର ସକ୍ରିୟ ସଦସ୍ୟ ବୋଲି ବରଗଡ ଏସପି ଓ ପଦ୍ମପୁର ଏଏସଆଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ରିପୋର୍ଟ ଦେଇଛନ୍ତି । ବରଗଡ ଏସପି ଲେଖିଛନ୍ତି ଯେ, ଆକାଶ ଅଗ୍ରୱାଲ ଏହି ଟଙ୍କା ନିଜ ବ୍ୟବସାୟ କିମ୍ବା କାହାଠାରୁ ଉଧାର ଆଣି ନାହାନ୍ତି । ତେଣୁ ଭୋଟରଙ୍କୁ ଲାଂଚ ଦେବା ଉଦ୍ଦେଶ୍ୟରେ ଏହି ଟଙ୍କା ନିଆଯାଉଥିଲା ବୋଲି ଏସପି ତାଙ୍କ ରିପୋର୍ଟରେ ଲେଖିଛନ୍ତି ।

ଏଥିପାଇଁ ଆକାଶ ଅଗ୍ରୱାଲ ଓ ତାଙ୍କ ବାପା ଓମ ପ୍ରକାଶ ଅଗ୍ରୱାଲଙ୍କୁ ଦାୟୀ କରି ରିପୋର୍ଟ ଦେଇଛନ୍ତି ଏସପି । ସେପଟେ ପଦ୍ମପୁର ଏଏସଆଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଦେଇଥିବା ରିପୋର୍ଟରେ ଉଲ୍ଲେଖ କରିଛନ୍ତି ଯେ, ଆକାଶ ଏହି ଟଙ୍କା କୁଆଡେ ନେଉଥିଲେ ସେ ବାବଦରେ ସ୍ପଷ୍ଟ ଉତ୍ତର ଦେଇପାରି ନଥିଲେ । ତାଙ୍କ ମୋବାଇଲରେ ବିଜେପୁର ଉପନିର୍ବାଚନ ସଂକ୍ରାନ୍ତୀୟ ହ୍ୱାଟ୍ସଆପ ମେସେଜ ଦିଆନିଆ ହୋଇଛି । ଯେଉଁଥିରୁ ସେ ବିଜେପି ସମର୍ଥକ ବୋଲି ଜଣାପଡୁଥିବା ଏଏସଆଇ ଉଲ୍ଲେଖ କରିଛନ୍ତି । ସେପଟେ ବିଜେପି ମୁଖପାତ୍ର କହିଛନ୍ତି ଓଡିଶାରେ କଳା ଟଙ୍କାର କାରବାର କିଏ କରୁଛି ତାହା ସମସ୍ତେ ଜାଣନ୍ତି । ଏପରିକି ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଇସାରାରେ ବରଗଡ ଏସଡିପିଓ କାମ କରୁଥିବା ସେ ଅଭିଯୋଗ ଆଣିଛନ୍ତି ।

ସୂଚନାଯୋଗ୍ୟ ବିଜେପୁର ଉପନିର୍ବାଚନ ପୂର୍ବରୁ ପ୍ରବେଶପଥରେ ଧରାପଡିଲା ଲକ୍ଷ ଲକ୍ଷ ଟଙ୍କା । ଘଟଣାରେ ଦୁଇଜଣଙ୍କୁ ଗିରଫ କରିଛି ପଦ୍ମପୁର ପୋଲିସ । ଚର୍ଚ୍ଚା ହେଉଛି ଭୋଟରଙ୍କୁ କିଣିବା ପାଇଁ ବ୍ୟବହାର ହୋଇଥାନ୍ତ । ଏହି ଟଙ୍କା । ଯଦିଓ କେଉଁ ରାଜନୈତିକ ଦଳର ଇସାରାରେ ୪୦ ଲକ୍ଷ ଟଙ୍କା ଧରି ଯାଉଥିଲେ ସୁନା ବ୍ୟବସାୟୀ ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ପରଷ୍ପର ଉପରେ ଦୋଷ ଲଦାଲଦି ଆରମ୍ଭ କରିଦେଇଛନ୍ତି ବିଜେଡି ଓ ବିଜେପି । ଆଉ ଏହାରି ଭିତରେ ଗୋଟିଏ ନୈତିକ ପ୍ରଶ୍ନ ସାମ୍ନାକୁ ଆସୁଛି । ବିକାଶ କଥା କହି ଲୋକଙ୍କୁ ଭୋଟ ଦେବା ପାଇଁ ପ୍ରବର୍ତାଉଥିବା ନେତା କଣ ଟଙ୍କା ବଳରେ ନିର୍ବାଚନ ଜିତିବାକୁ ଚାହୁଁଛନ୍ତି ?