ଆସାମର ୪୦ ଲକ୍ଷ ଲୋକ ଭାରତୀୟ ନାଗରିକ ନୁହଁନ୍ତି? ଏନଆରସି ରିପୋର୍ଟକୁ ନେଇ ଉଠିଲା ବିବାଦ

31

ଆସାମର ଜାତୀୟ ନାଗରିକ ତାଲିକା, ଏନଆରସି ରିପୋର୍ଟକୁ ନେଇ ଉପୁଜିଛି ବଡ଼ ବିବାଦ । ପ୍ରାୟ ୪୦ ଲକ୍ଷ ଲୋକ ଏହି ସମ୍ଭାବ୍ୟ ତାଲିକାରୁ ବାଦ୍ ପଡ଼ିଛନ୍ତି । ମୋଟ୍ ୩ କୋଟି ୨୯ ଲକ୍ଷ ଲୋକ ଏହି ତାଲିକାରେ ସାମିଲ ହେବାକୁ ପଂଜୀକରଣ କରିଥିଲେ । ତେବେ ୨ କୋଟି ୮୯ ଲକ୍ଷ ଏହି ତାଲିକାରେ ସାମିଲ ହୋଇଛନ୍ତି । ଫଳରେ ପ୍ରାୟ ୪୦ ଲକ୍ଷ ଲୋକ ବିଧିବଦ୍ଧ ଭାବେ ଭାରତୀୟ ନାଗରିକତ୍ୱରୁ ବଂଚିତ ହୋଇଛନ୍ତି ।

ଏନଆରସି ଅଧିକାରୀ ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି । ତେବେ ସେ କହିଛନ୍ତି ଯେ, ଏହା ସମ୍ଭାବ୍ୟ ତାଲିକା । ଏହି ତାଲିକାକୁ ଚୂଡ଼ାନ୍ତ ଭାବେ ଗ୍ରହଣ କରାଯିବା ଅନୁଚିତ । ଅଗଷ୍ଟ ୩୦ରୁ ଲୋକମାନେ ଏନେଇ ଅଭିଯୋଗ ଓ ନିଜର ମନ୍ତବ୍ୟ ଓ ପରାମର୍ଶ ଦେଇପାରିବେ । ଏହି ପ୍ରକ୍ରିୟା ସେପ୍ଟେମ୍ବର ୨୮ ଯାଏଁ ଚାଲିବ । ତେବେ ପ୍ରକୃତ ଭାରତୀୟ ନାଗରିକ ମାନଙ୍କୁ କୌଣସି ପ୍ରକାର ଆଶଙ୍କା କରିବାର ଆବଶ୍ୟକତା ନାହିଁ ବୋଲି ଏନଆରସି ଅଧିକାରୀ କହିଛନ୍ତି । ଆସାମରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ପ୍ରସଙ୍ଗ ନେଇ ବିବାଦ ଲାଗି ରହିଆସିଛି । ଏହାକୁ ନେଇ ଆସାମର ମୂଳ ବାସିନ୍ଦାମାନେ ଅନେକ ସମୟରେ ଆପତି ଉଠାଇଛନ୍ତି ।