ପ୍ରାଂଜଳ ଭାବେ ଅନର୍ଗଳ କହିଚାଲନ୍ତି ବ୍ରାଣ୍ଡେଡ କାର ଗୁଡିକର ନାମ : କାରର ଇଣ୍ଟେରିଅର ଦେଖି କାର୍ ଚିହ୍ନିଦେଉଛନ୍ତି ୪ବର୍ଷୀୟ ବାଳକ ଅନିଶ 

75

ପ୍ରାଞ୍ଜଳ ଭାବେ ବ୍ରାଣ୍ଡେଡ୍ କାରଗୁଡ଼ିକର ନାମ କହି ଲୋକଙ୍କ ହୃଦୟ ଜିତିଛନ୍ତି। ଠିକ୍ ଭାବେ କଥା କହି ନ ପାରୁଥିବା ବୟସରେ ଅନର୍ଗଳ କହିଚାଲନ୍ତି ବିଭିନ୍ନ ଗାଡ଼ିର ନାମ। ମାତ୍ର ୩ ମିନିଟ ୬ ସେକେଣ୍ଡରେ ୮୦ଟି କାରର ନାମ ପ୍ରାଞ୍ଜଳ ଭାବେ ଉଚ୍ଚାରଣ କରି କହିପାରନ୍ତି ଏହି ବିସ୍ମୟ ବାଳକ ସାଇ ଅନିଶ ପଟ୍ଟନାୟକ। କେବଳ କାରରୁ ସାମ୍ନାସାମ୍ନି ଭଲ ଭାବେ ଦେଖି କରି ନୁହେଁ, କାରର ଫଟୋ କିମ୍ବା ଭିଡିଓ ଏପରିକି କାର୍ ଭିତରର ଇଣ୍ଟେରିଅର୍ ଦେଖି ମଧ୍ୟ ସେ କେଉଁ କମ୍ପାନିର କାର୍ ବୋଲି କହିପାରନ୍ତି। ମାତ୍ର ୨ ମିନିଟ୍ ୬ ସେକେଣ୍ଡରେ ୬୧ଟି କାରର ଇଣ୍ଟେରିଅର୍ ଦେଖି ସେ କେଉଁ କାର ବୋଲି ଚଟାପଟ କହି ଦିଅନ୍ତି। ଇଣ୍ଟେରିୟର ଦେଖି କାର୍ ମଡେଲ କହିବାକୁ ଏପର୍ଯ୍ୟନ୍ତ କେହି ଉଦ୍ୟମ କରିନଥିବା ବେଳେ ସେ ବିଶ୍ବର ପ୍ରଥମ । ପ୍ରଚଣ୍ଡ ପ୍ରତିଭା ଓ ବିଚକ୍ଷଣ ସ୍ମରଣ ଶକ୍ତିର ଅଧିକାରୀ ଏହି ବାଳକ ମାତ୍ର ୪ ବର୍ଷ ୮ ମାସ ବୟସରେ ୯ଟି ଆନ୍ତର୍ଜାତିକ ରେକର୍ଡ ଓ ୩ଟି ଜାତୀୟ ରେକର୍ଡ ହାସଲ କରିପାରିଛନ୍ତି।

ସରୋଜ କୁମାର ପଟ୍ଟନାୟକ ଓ ସ୍ବରୂପା ପଟ୍ଟନାୟକଙ୍କ ପୁଅ ସାଇ ଅନିଶ ପଟ୍ଟନାୟକ କୋରାପୁଟ ଜିଲ୍ଲା ସୁନାବେଡ଼ାରେ ରୁହନ୍ତି। ମାତ୍ର ୩ ବର୍ଷ ବୟସରେ ୧ ମିନିଟ ୪୦ ସେକେଣ୍ଡରେ ୬୦ଟି କାର୍ ମଡେଲର ନାମ କହି ସମସ୍ତଙ୍କୁ ଚମତ୍କୃତ କରିଥିଲେ। ବର୍ତ୍ତମାନ ସେ ୩ ମିନିଟ ୬ ସେକେଣ୍ଡରେ ୮୦ଟି କାରର ନାମ କହିପାରୁଛନ୍ତି। ବର୍ତ୍ତମାନ ସୁଦ୍ଧା ଅନିଶ ଇଣ୍ଡିଆସ୍ ୱାର୍ଲଡ ରେକର୍ଡସ, ଇନକ୍ରେଡିବଲ୍ ବୁକ୍ ଅଫ୍ ରେକର୍ଡସ୍ ଓ ୱାର୍ଲଡ ରେକର୍ଡସ୍ ଇଣ୍ଡିଆରେ ସ୍ଥାନ ପାଇଥିବା ବେଳେ ୱାର୍ଲଡ ଜିନିୟସ୍ ରେକଡସ୍(ନାଇଜେରିଆ), ୱାର୍ଲଡ ବୁକ୍ ଅଫ୍ ରେକର୍ଡସ୍ (ଲଣ୍ଡନ) ସହ ଆହୁରି ୭ଟି ଆନ୍ତର୍ଜାତିକ ରେକର୍ଡରେ ସ୍ଥାନ ପାଇଛନ୍ତି। ପିଲାଟି ଦିନୁ ଅନିଶଙ୍କ କାରଗୁଡ଼ିକ ପ୍ରତି ଦୁର୍ବଳତା ରହିଛି। ଛୋଟ ବେଳୁ ଖେଳନା କାର୍ ସହ ଖେଳି ଆସୁଥିବା ଅନିଶ ଦିନେ ବାପାଙ୍କୁ ଇଣ୍ଟରନେଟରେ କାର୍ ସର୍ଚ୍ଚ କରୁଥିବା ଦେଖିବାକୁ ପାଆନ୍ତି। ଭିନ୍ନ ଭିନ୍ନ କାରଗୁଡ଼ିକୁ ଦେଖି ବାପା ସରୋଜ ପଟ୍ଟନାୟକଙ୍କୁ ସେ କାରଗୁଡ଼ିକର ନାମ ପଚାରନ୍ତି। ବାପା କାର ଗୁଡ଼ିକ ମଡେଲ କହିଲେ ଚଟାପଟ୍ ମନେ ରଖିଦିଅନ୍ତି। ଏମିତି ଭାବେ ବଢ଼ିଥିବା ତାଙ୍କର ଏହି ରୁଚି ଆଜି ସାଧାରଣ ଲୋକଙ୍କୁ ଆଶ୍ଚର୍ଯ୍ୟ କରୁଛି। ତେବେ ସନ୍ତାନର ଏହି ସ୍ମରଣ ଶକ୍ତି ଓ ନୂଆ କଥା ଜାଣିବାର ଇଚ୍ଛାକୁ ପଟ୍ଟନାୟକ ଦମ୍ପତି ପ୍ରୋତ୍ସୋହିତ କରିଚାଲିଛନ୍ତି। ଦୁନିଆ ଆଗରେ ନିଜ ସନ୍ତାନର ଏହି ପ୍ରତିଭାକୁ ପ୍ରଦର୍ଶନ କରିବାକୁ ଉଭୟ ବାପା ମାଆ ଅଣ୍ଟା ମଧ୍ୟ ଭିଡ଼ିଛନ୍ତି।