ନୀଳଗିରିରେ ଲଜ୍ଜା । ଚକୋଲେଟ ଦେଇ ୪ ବର୍ଷର ଶିଶୁକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ

22

କନକ ବ୍ୟୁରୋ: ନୀଳଗିରିରେ ଲଜ୍ଜା । ଚକୋଲେଟ୍ ଖାଇବାକୁ ଡାକି ନେଇ ଜଣେ ୪ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏହା ଦ୍ୱାରା ଛୋଟ ଝିଅଟିର ଗୁପ୍ତାଙ୍ଗରେ ମଧ୍ୟ କ୍ଷତାକ୍ତ ହୋଇଥିବା ଅଭିଯୋଗ ହୋଇଛି । ନାବାଳିକାକୁ ନିକଟସ୍ଥ ଚିକିତ୍ସାଳୟରେ ଚିକିତ୍ସା କରାଯାଇଛି । ଏନେଇ ନୀଳଗିରି ଥାନାରେ ଅଭିଯୋଗ କରିଛନ୍ତି ପୀଡିତାଙ୍କ ବାପା । ଏହି ଅଭାବନୀୟ ଘଟଣା ଘଟିଛି ନୀଳଗିରି ଥାନା ଅନ୍ତର୍ଗତ ହାଟଡିହି ଗ୍ରାମର । ସୂଚନା ଅନୁଯାୟୀ ୧୩ତାରିଖରେ ଝିଅଟି ସାଙ୍ଗମାନଙ୍କ ସହ ଘର ସମ୍ମୁଖରେ ଖେଳୁଥିବାବେଳେ ସେହି ଗ୍ରାମର ରବିନ୍ଦ୍ର ଜେନାଙ୍କ ପୁଅ ନିତ୍ୟାନନ୍ଦ ଜେନା ଚକୋଲେଟ୍ ଦେବାକୁ କହି ଘରକୁ ଡାକି ନେଇଥିଲା । ଏବଂ ଏକ ଅନ୍ଧାରୁଆ ଘରେ ଛୋଟ ଝିଅଟିକୁ ଦୁଷ୍କର୍ମ କରିଥିଲା । ଏନେଇ କୁନି ଝିଅଟି କାନ୍ଦି କାନ୍ଦ ଆସି ଘରେ କହିଥିଲା । ତେବେ ପ୍ରଥମେ ଘଟଣାଟିକୁ ଗାଁରେ ରଫାଦଫା କରିବାକୁ ଅଭିଯୁକ୍ତର ବାପା ଚାପ ପ୍ରୟୋଗ କରିଥିଲେ ବୋଲି ଏତଲାରେ ଦର୍ଶାଇଛନ୍ତି ଅଭିଯୋଗକାରୀ । ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।

ସୁରଟରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା

କଠୁଆ-ଉନ୍ନାଓ ଗଣଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ଦେଶବ୍ୟାପୀ ଅସନ୍ତୋଷର ନିଆଁ ବ୍ୟାପୁଥିବା ବେଳେ ଗୁଜରାଟର ସୁରଟ ସହରସ୍ଥିତ ପାଣ୍ଡସେରାରେ ଆଉ ଏକ ଅନୁରୂପ ଘଟଣା ସାମ୍ନାକୁ ଆସିଛି। ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ଦୀର୍ଘ ୮ ଦିନ ଧରି ଗଣଦୁଷ୍କର୍ମ କରାଯିବା ପରେ ଅତି ନିର୍ମମ ଭାବେ ହତ୍ୟା କରାଯିବା ଘଟଣା ଏହି ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ନାବାଳିକାଙ୍କ ଶରୀରରେ ୮୦ରୁ ଊର୍ଦ୍ଧ୍ୱ କ୍ଷତ ଚିହ୍ନ ରହିଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି। ତେବେ ଏଯାବତ୍ ପୁଲିସ୍କୁ ନାବାଳିକାଙ୍କ ପରିଚୟ ମିଳିପାରି ନଥିବା ବେଳେ ପୁଲିସ୍ ଏକ ମାମଲା ରୁଜୁ କରି ଦୁଇ ଜଣ ସନ୍ଦିଗ୍ଧ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ଶବ ମିଳିବା ପରେ ପ୍ରାଥମିକ ତଦନ୍ତରୁ ଏହା ଦୁଷ୍କର୍ମଜନିତ ହତ୍ୟା ବୋଲି ସନ୍ଦେହ କରି ପୁଲିସ୍ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ବ୍ୟବଚ୍ଛେଦ ରିପୋର୍ଟରୁ ହିଁ ଜଣାପଡ଼ିଛି ଯେ, ନାବାଳିକାଙ୍କୁ ଦୀର୍ଘ ୮ ଦିନ ଧରି ଗଣଦୁଷ୍କର୍ମ କରାଯିବା ପରେ ହତ୍ୟା କରାଯାଇଛି।

ଦୃଷ୍ଟିହୀନ ନାବାଳିକାଙ୍କୁ ଦୁଷ୍କର୍ମ

ଉତ୍ତରପ୍ରଦେଶର ଗାଜିଆବାଦ୍ରେ ଜଣେ ଦୃଷ୍ଟିହୀନ ଅନାଥ ନାବାଳିକା (୧୭) ଗଣଦୁଷ୍କର୍ମର ଶିକାର ହେବା ଘଟଣା ଆଜି ଲୋକଲୋଚନକୁ ଆସିଛି। ଗତ ବୁଧବାର ଦିନ ଏହି କାଣ୍ଡ ଘଟିଥିବା ବେଳେ ଆଜି ପୁଲିସ ପୀଡ଼ିତାଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନରେ ରଖିଛି। ନିକଟରେ ପିତାମାତାଙ୍କୁ ହରାଇଥିବା ଝିଅଟି ଏକ ଭଡ଼ା ଘରେ ରହୁଥିଲେ। ତେବେ ଗତ ବୁଧବାର ଦିନ ସେ ଘରେ ଏକୁଟିଆ ଥିବାର ସୁଯୋଗ ନେଇ ଜଣେ ଦୁର୍ବୃତ୍ତ ଘରେ ପଶି ତାଙ୍କୁ ଦୁଇଥର ଦୁଷ୍କର୍ମ କରିଥିବା ଜଣାପଡ଼ିଛି। ଏ ସଂପର୍କରେ ଘର ମାଲିକ ଜାଣିପାରିବା ପରେ ତତ୍କାଳ ପୁଲିସରେ ଖବର ଦେଇଥିଲେ। ପୁଲିସ ଅପରାଧୀକୁ ଧରିବା ପାଇଁ ଦୁଇଟି ସ୍ୱତନ୍ତ୍ର ଟିମ୍ ଗଠନ କରିଛି ଏବଂ ବିଭିନ୍ନ ସ୍ଥାନରେ ଯାଞ୍ଚ ଚାଲିଛି।