୪୦୦ ଫୁଟ ଗାତ ଭିତରେ ୪ ଘଣ୍ଟା ଧରି ମୃତ୍ୟୁ ସହ ସଂଗ୍ରାମ କରୁଥିଲା ୪ ବର୍ଷର କୁନି ପୁଅ ! ଜାଣନ୍ତୁ କେମିତି ବଞ୍ଚିଲା ଶିଶୁର ଜୀବନ ।

79

‘ମୁଁ ଭିତରେ ଅଛି, ମତେ ବାହାରକୁ ବାହାର କର’ । ଇଏ ଥିଲା ସେହି ନିରୀହ ଶିଶୁର ସ୍ୱର ଯିଏ ଦୀର୍ଘ ୪ ଘଣ୍ଟା ଧରି ୪୦୦ ଫୁଟର ଗଭୀର ଗାତ ଭିତରେ ମୃତ୍ୟୁ ସହ ସଂଗ୍ରାମ କରୁଥିଲା । ଘଟଣାଟି ହେଉଛି ରବିବାର ଦିନ ଦ୍ୱିପହରର । ସିଖେଡି ଗ୍ରାମର ଘନଶ୍ୟାମଙ୍କ ପୁଅ ଗଣେଶ ଗାଁର ପିଲାମାନଙ୍କ ସହ ରାମଚନ୍ଦର କ୍ଷେତରେ ଥିବା ଖଜୁରୀ ଗଛରୁ ଖଜୁରୀ କୋଳି ଖାଉଥିଲା । ଶିଶୁଟିର ଜେଜେବାପା ଭାଗୀରଥ ଖରା ତାତିରୁ ଟିକିଏ ମୁକ୍ତି ପାଇଁ ଆଉ ଏକ ଗଛ ତଳେ ବିଶ୍ରାମ ନେଉଥିଲେ । କିଛି ପିଲା ଖଜୁରୀ କୋଳି ଖାଇସାରିବା ପରେ ଫେରିଆସିଥିଲେ । କିନ୍ତୁ କୁନି ପୁଅ ଗଣେଶ ଫେରିନଥିଲା ।

ଦୀର୍ଘ ସମୟ ଧରି ଗଣେଶ ନଫେରିବାରୁ ଭାଗୀରଥ ପିଲାଟିକୁ ଖୋଜିବା ପାଇଁ ଖଜୁରୀ କୋଳି ଗଛ ନିକଟକୁ ଯାଇଥିଲେ । ଗଣେଶକୁ ସେଠାରେ ନପାଇବାରୁ ସେ ବଡ ପାଟି କରି ତାକୁ ଡାକିଥିଲେ । ସେତେବେଳେ ୪୦୦ ଫୁଟର ଏକ ବୋରୱେଲର ୧୨ ଫୁଟ ଗଭୀରତାରେ ଫସି ଯାଇଥିବା ଗଣେଶ ପାଟି କରି କହିଥିଲା ଯେ, ‘ମୁଁ ଭିତରେ ଅଛି, ମତେ ବାହାରକୁ ବାହାର କର’ । ପିଲାଟିକୁ ବିପଦ ଅବସ୍ଥାରେ ଦେଖି ସହାୟତା ନିମନ୍ତେ ପାଖ କ୍ଷେତରେ କାମ କରୁଥିବା ଚାଷୀ ମାନଙ୍କୁ ଡାକିଥିଲେ । ତେବେ ୧ ଘଣ୍ଟା ମଧ୍ୟରେ ସେଠାରେ ପାଖାପାଖି ୧୫୦ରୁ ଅଧିକ ଗ୍ରାମବାସୀ ଜମା ହୋଇଥିଲେ ଏବଂ ଏକ ଜେସିବି ମଗାଇଥିଲେ ।

କିଛି ସମୟ ମଧ୍ୟରେ ସେଠାରେ ଏକ ଜେସିବି ପହଞ୍ଚି ଯାଇଥିଲା । ବୋରୱେଲ ଠାରୁ ତିନି ଫୁଟ ଦୂରରେ ଜେସିବି ଦ୍ୱାରା ଖୋଳାଯାଇଥିଲା । ତେବେ ଗ୍ରାମବାସୀମାନେ କପଡାର ଏକ ଦଉଡି ତିଆରି କରି ଗାତ ଭିତରକୁ ଫୋପାଡି ଥିଲେ, ଯାହାକୁ ଗଣେଶ ଧରି ପକାଇଥିଲା । ଏହା ପରେ ଜେସିବି ଦ୍ୱାରା ଖୋଳାଯାଇ ଦୀର୍ଘ ୪ ଘଣ୍ଟା ପରେ ଗଣେଶକୁ ବାହାର କରାଯାଇଥିଲା ।ଗାତରୁ ବାହାରକୁ ବାହାରିବା ପରେ ଗଣେଶକୁ ସଙ୍ଗେସଙ୍ଗେ ଆମ୍ବୁଲାନ୍ସ ଦ୍ୱାରା ଜିଲ୍ଲା ଚିକିତ୍ସାଳୟକୁ ନିଆଯାଇଥିଲା । ଏବେ ଗଣେଶର ସ୍ୱାସ୍ଥ୍ୟବସ୍ଥା ଠିକ ଥିବା ସୂଚନା ମିଳିଛି ।