ଜମ୍ମୁକାଶ୍ମୀର କୁଲଗାଁଓରେ ଏନକାଉଂଟର : ସର୍ଚ୍ଚ ଅପରେସନ୍ ଜାରି

30

କନକ ବ୍ୟୁରୋ : ଜମ୍ମୁକାଶ୍ମୀର କୁଲଗାଁଓରେ ଏନକାଉଂଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ହିଜବୁଲ ଆତଙ୍କବାଦୀ ନିହତ ହୋଇଛନ୍ତି । ଅନ୍ୟପଟେ ଆତଙ୍କବାଦୀଙ୍କ ଗୁଳିରେ ୨ ଯବାନ ସହିଦ ହୋଇଛନ୍ତି । କୁଲଗାଁଓ ଜିଲ୍ଲା ନୋପାରା ଗାଁରେ ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ହୋଇଛନ୍ତି ସୁରକ୍ଷାକର୍ମୀ । ଗାଁରେ କିଛି ଆତଙ୍କବାଦୀ ଲୁଚିଥିବା ସୂଚନା ପାଇବା ପରେ ଆରମ୍ଭ ହୋଇଥିଲା ଅପରେସନ୍ ।

ଆଜି ସକାଳେ ସ୍ପେସାଲ ଫୋର୍ସ, ସେନା ଓ ଜମ୍ମୁ କାଶ୍ମୀର ପୁଲିସ ପକ୍ଷରୁ ମିଳିତ ଚଢାଉ କରାଯାଇଥିଲା । ଯେଉଁ ଘରେ ଆତଙ୍କବାଦୀ ଲୁଚିଥିବା ଖବର ମିଳିଥିଲା ତାକୁ ଘେରାଉ କରିବା ପରେ ଆତଙ୍କବାଦୀମାନେ ଗୁଳିମାଡ ଆରମ୍ଭ କରିଥିଲେ ।

ଜବାବରେ ପାଲଟା ଗୁଳିମାଡ କରିଥିଲେ ଯବାନ । ଆତଙ୍କବାଦୀଙ୍କ ଠାରୁ ଦୁଇଟି ରାଇଫଲ ସହ ଗୋଳାବାରୁଦ ମଧ୍ୟ ଜବତ ହୋଇଛି । ୪ ମୃତ ଆତଙ୍କବାଦୀ ସ୍ଥାନୀୟ ବାସିନ୍ଦା ବୋଲି ଜଣାପଡିଛି । ସ୍ଥାନୀୟ ଅଂଚଳରେ ଆଉ କିଛି ଆତଙ୍କବାଦୀ ଲୁଚିଥିବା ସନ୍ଦେହ କରାଯାଉଛି । ଫଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି ।