ଟ୍ରିପଲ ମର୍ଡର ଘଟଣାରେ ୪ ଅଟକ: ଖୁବ ଶୀଘ୍ର ବନ୍ଧା ହେବେ ହତ୍ୟାକାରୀ

367

କନକ ବ୍ୟୁରୋ: ପଟ୍ଟନାଇକା ଛକରେ ଛାତିଥରା ହତ୍ୟାକାଣ୍ଡ ପରେ ଛାନଭିନ ଆରମ୍ଭ କରିଛି ପୋଲିସ୍ । ବିଚ ରାସ୍ତାରେ ଗୋଡେଇ ଗୋଡେଇ ୩ ଜଣଙ୍କୁ ନିର୍ମମ ହତ୍ୟା କରିବା ପରେ ଆକ୍ସନ ମୋଡକୁ ଆସିଛି ପୋଲିସ । ତେବେ କାଲି ଠାରୁ ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଥିବା ବେଳେ ଅପରାଧୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଲୋକେ ଅଡି ବସିଛନ୍ତି ।


ଆଉ ଏହାକୁ ଆଖି ଆଗରେ ରଖି ଆଜି ୪ ଜଣଙ୍କୁ ଅଟକ ରଖିଛି ପୋଲିସ । ତା ସହ ସେମାନଙ୍କ ଠାରୁ ମାରଣାସ୍ତ୍ର ମଧ୍ୟ ଜବତ କରିଛି । ଉତ୍ତେଜନା ଦୃଷ୍ଟିରୁ ଘଟଣାସ୍ଥଳରେ ୨ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି । ସାଇଟିଂଫିକ ଟିମ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି । ହତ୍ୟାକାରୀଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଏସଡିପିଓ କହିଛନ୍ତି । ସେପଟେ ଚେକ ପୋଷ୍ଟରେ ଲାଗିଥିବା ସିସିଟିଭିକୁ ମଧ୍ୟ ଯାଞ୍ଚ କରାଯିବ ବୋଲି ପୁଲିସ କହିଛି ।


ତେବେ ଗତକାଲି ଅତି ନିର୍ମମ ଭାବେ ୩ ଭାଇଙ୍କୁ ହତ୍ୟା କରିଥିଲେ ଦୁର୍ବୃତ୍ତ ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ ଖଣ୍ଡା ଓ ଫାର୍ସାରେ ଦୁର୍ବୃତ୍ତମାନେ ଗୋଡାଇ ଗୋଡାଇ ହାଣିଥିଲେ । ଆଉ ଏହି ହତ୍ୟାକାଣ୍ଡ ଘଟିଛି ପୋଲିସ ଫାଣ୍ଡି ଆଖି ସାମ୍ନାରେ । ତେବେ ସବୁଠାରୁ ବଡ କଥା ହତ୍ୟାକାଣ୍ଡ ବେଳେ କୌଣସି ପୋଲିସ ଅଧିକାରୀଙ୍କୁ ସେଠାରେ ଦେଖିବାକୁ ମିଳିନଥିଲା ।
ବିଚ ରାସ୍ତାରେ ୩ ଜଣଙ୍କୁ ଗଡଗଡ କରି ହାଣିବା ପରେ ହତ୍ୟାକାରୀ ଫେରାର ହୋଇଯାଇଥିଲେ । ହତ୍ୟାକାଣ୍ଡ ପଛରେ ପୂର୍ବଶତ୍ରୁତାକୁ ସନ୍ଦେହ କରାଯାଉଥିବା ବେଳେ ଏଯାଏଁ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିନି ପୋଲିସ । ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ଦାବିରେ କାଲି ଲୋକେ ରାସ୍ତାରୋକ କରିବା ସହ ସେଠାରେ ଥିବା କିଛି ଦୋକାନରେ ନିଆଁ ଲଗାଇ ଦେଇଥିଲେ ।