ଧଳା କୁର୍ତାରେ କଳା ଛିଟା : କୋଟି କୋଟିର ଡିଲ୍ ବେଳେ ଧରାପଡିଲେ ଶାସକ ଦଳର ୪ ବିଧାୟକ

55

କନକ ବ୍ୟୁରୋ : ୧୬ ବର୍ଷ ଧରି ଓଡିଶାକୁ ଶାସନ କରୁଥିବା ନବୀନ ପଟନାୟକଙ୍କ ଧଳାକୁର୍ତାରେ ଲାଗିଛି ଦୁର୍ନୀତିର ଛିଟା । କ୍ୟାମେରାରେ କଏଦ ହୋଇଛି ବିଜେଡିର ଚାରି-ଚାରି ଜଣ ବିଧାୟକଙ୍କ କୋଟିକୋଟି ଟଂକାର ଅସାଧୁ ଡିଲ୍ । ଶିଳ୍ପ ପ୍ରତିଷ୍ଠା ପାଇଁ ଏନ୍ଓସି କରାଇଦେବାକୁ ଟଂକା ମାଗୁଥିଲେ ବିଧାୟକ । ଆଉ ସେହି ସମୟର ଚିତ୍ର କଏଦ ହୋଇଛି କ୍ୟାମେରାରେ । ସେମାନେ ହେଉଛନ୍ତି ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ, ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା, କରଂଜିଆ ବିଧାୟକ ବିଜୟ ନାୟକ ଓ ଭବାନୀପାଟଣା ବିଧାୟକ ଅନାମ ନାୟକ।

ଶିଳ୍ପପତି କହି ଜଣେ ବ୍ୟକ୍ତି ତାଙ୍କ ଜିଲ୍ଲାରେ ଏକ ବୟନଶିଳ୍ପ ଖୋଲିବା ପାଇଁ ବିଧାୟିକା ସୀମାରାଣୀ ନାୟକଙ୍କ ସହାୟତା ମାଗିଥିଲେ । ଆଉ ବିଧାୟିକା ବି ଏନଓସି ଦେବାରେ ସହାୟତା କରିବାକୁ ପ୍ରତିଶ୍ରୁତି ଦେଲେ । କିନ୍ତୁ ଏଥିପାଇଁ ଟଙ୍କା ମାଗିଥିଲେ ସୀମାରାଣୀ । ଆଉ ୪୦ କୋଟିର ଡିଲ୍ ହୋଇଥିଲା । ଯାହା କଏଦ ହୋଇଥିଲା କ୍ୟାମେରାରେ । ତେବେ ନିଜ ସଫେଇରେ ସୀମାରାଣୀ ଏହାକୁ ସ୍ୱୀକାର କରିଛନ୍ତି ଆଉ କହିଛନ୍ତି ସେ ମଜାରେ ଟଙ୍କା ମାଗିଥିଲେ । ଦେଖନ୍ତୁ ଏହି ଭିଡିଓ ।

ସେହିପରି ଛେଣ୍ଡିପଦାର ଲୋକପ୍ରିୟ ନେତା ସୁଶାନ୍ତ ବେହେରାଙ୍କ କଳା କାହାଣୀ ମଧ୍ୟ କଏଦ ହୋଇଛି କ୍ୟାମେରାରେ । ଅନୁଗୁଳ ଜିଲ୍ଲାରେ ଏକ ପାୱାର ପ୍ଲାଂଟ ପାଇଁ କିଛି ବ୍ୟକ୍ତି ପହଂଚିଥିଲେ ବିଧାୟକଙ୍କ ପାଖରେ । କଥାବାର୍ତ୍ତା ଆରମ୍ଭ ହେଲା ଏବଂ ଏନଓସିରେ ସହାୟତା କରିବା ପାଇଁ ଆରମ୍ଭ ହେଲା ଟଙ୍କା ମୁଲଚାଲ । ବିଧାୟକ କହିଥିଲେ ୧୦ କୋଟି ଟଙ୍କା ହେଲେ କାମ ହୋଇଯିବ । ଦେଖନ୍ତୁ ସୁଶାନ୍ତ ବେହେରାଙ୍କ ମୁଲଚାଲର ଭିଡିଓ ।

ପଛୁଆ ମୟୂରଭଂଜ ଜିଲ୍ଲାର ଜଣେ ଉଦୀୟମାନ ରାଜନେତା ଭାବେ ଧିରେ ଧିରେ ଚର୍ଚ୍ଚାକୁ ଆସୁଥିଲେ ବିଜେଡିର ଯୁବ ନେତା ବିଜୟ ନାୟକ । କିନ୍ତୁ କ୍ୟାମେରା ତାଙ୍କ ସବୁ ପୋଲ୍ ଖୋଲି ଦେଇଛି । କରଂଜିଆରେ ଶିଳ୍ପପ୍ରତିଷ୍ଠା କରିବାକୁ ହେଲେ ବାବୁ ବିଜୟ ନାୟକଙ୍କୁ ଧରିବାକୁ ପଡିବ । ଆଉ ବିଜୟ ବାବାଙ୍କୁ ବଟି ଦେଲେ ଯାଇ ଶିଳ୍ପସଂସ୍ଥାକୁ ଏନଓସି ମିଳିପାରିବ । ଦେଖନ୍ତୁ ଏହି ଭିଡିଓ କ୍ଲିପ୍ ।

ବିଧାୟକଙ୍କ ଦାବି ହେଉଛି ଏନଓସି ପାଇଁ ଦରକାର ୫ କୋଟି । ନିଜକୁ ଶିଳ୍ପପତି କହି ଜଣେ ବ୍ୟକ୍ତି ବିଧାୟକଙ୍କୁ ୫ କୋଟି ଦେବାକୁ ପ୍ରତିଶ୍ରୁତି ଦେଉଛନ୍ତି । ଆଉ ଏସବୁ କଏଦ ହୋଇ ଯାଇଛି କ୍ୟାମେରାରେ ।

ସେହିପରି ଆଉ ଜଣେ ବିଧାୟକ ହେଉଛନ୍ତି ଭବାନୀପାଟଣାର ଅନାମ ନାୟକ । ଜଣେ ଟାଣୁଆ ନେତା ଏବଂ ଜଣେ ଭଲ ସଂଗଠକ ଭାବେ ବି ଜଣାଶୁଣା। କିନ୍ତୁ ଜିଲ୍ଲାରେ ଶିଳ୍ପପ୍ରତିଷ୍ଠା କରିବାକୁ ହେଲେ ବିଧାୟକ ବାବୁଙ୍କ ପକେଟ୍ ଗରମ୍ ହେବା ଦରକାର । ଶିଳ୍ପପତି ସାଜି ଜଣେ ବ୍ୟକ୍ତି ଅନାମ ବାବୁଙ୍କ ପାଖକୁ ଯାଇଥିବାବେଳେ ବିଧାୟକ କହିଥିଲେ , ସ୍ଥାନୀୟ ନେତାଙ୍କୁ ନପଚାରିଲେ କାମ ହୋଇପାରିବନି।

ସ୍ୱଚ୍ଛ ଓ ନିର୍ମଳ ସରକାରର ଏମାନେ ହେଉଛନ୍ତି ଜଣେ ଜଣେ ଉଦାହରଣ । ଉପରେ କଣ କୁହାଯାଉଛି ଓ ଭିତରେ କଣ ଚାଲିଛି ଏସବୁ ତାର ଗୋଟିଏ ଗୋଟିଏ ପ୍ରମାଣ ।

ଏହି ଅପରେସନ୍ ବ୍ଲାକ୍ ସ୍ପଟର ଭିଡିଓ ଉତୋଳନ କରିଥିଲା ଲିକିଙ୍ଗ ଡଟ୍ ଇନ୍ ନାମକ ଏକ ଘରୋଇ ସଂସ୍ଥା। ନିଜକୁ ଶିଳ୍ପପତି କହି କିଛି ବ୍ୟକ୍ତି ବିଧାୟକ ମାନଙ୍କ ସହ ମୂଲଚାଲ କରିଥିଲେ । ଶିଳ୍ପ ପାଇଁ ଏନଓସି କରାଇଦେବାକୁ ସେମାନେ ସହାୟତା ମାଗିଥିଲେ । ହେଲେ ଏହା ବଦଳରେ ମୋଟା ଅଂକର ଟଂକା ଦାବି କରିଥିଲେ ଏହି ବିଧାୟକ ମାନେ । ଆଉ କ୍ୟାମେରାରେ ରେକର୍ଡ ହୋଇଥିଲା ସବୁ ଦୃଶ୍ୟ ।