ମୋଦି କ୍ୟାବିନେଟର ନବକଳେବର ! ୪ ମନ୍ତ୍ରୀଙ୍କୁ ପ୍ରମୋସନ, ୯ ନୂଆ ମନ୍ତ୍ରୀ ସାମିଲ

63

କନକ ବ୍ୟୁରୋ : ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଲା । ସଂପ୍ରସାରିତ ହେଲା କେନ୍ଦ୍ର ମନ୍ତ୍ରୀମଣ୍ଡଳ । ୯ ଜଣ ନୂଆ ରାଷ୍ଟ୍ରମନ୍ତ୍ରୀ ଶପଥ ନେଇଥିବା ବେଳେ ୪ ଜଣ ରାଷ୍ଟ୍ରମନ୍ତ୍ରୀଙ୍କୁ କ୍ୟାବିନେଟ ପାହ୍ୟାକୁ ପ୍ରମୋସନ ମିଳିଛି । ତେବେ ବିଭାଗ ବଣ୍ଟନ ହୋଇନି ।

କେନ୍ଦ୍ରମନ୍ତ୍ରୀ ମଣ୍ଡଳର ଶପଥ ଗ୍ରହଣ ଉତ୍ସବ ଆରମ୍ଭ ହୋଇଥିଲା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଖରୁ । କ୍ୟବିନେଟ ପାହ୍ୟାକୁ ପଦୋନ୍ନତି ପାଇଥିବା ଧର୍ମେନ୍ଦ୍ର ପ୍ରଥମେ ଆସିିଥିଲେ ମଂଚକୁ । ରାଷ୍ଟ୍ରଭାଷା ହିନ୍ଦୀରେ ପଦ ଓ ଗୋପନୀୟତାର ଶପଥ ନେଇଥିଲେ ଧର୍ମେନ୍ଦ୍ର ।

ପରେ ପରେ ଶପଥ ନେବାକୁ ଆସିଥିଲେ ପିୟୁସ ବେଦପ୍ରକାଶ ଗୋଏଲ । ତାଙ୍କୁ ମଧ୍ୟ କ୍ୟାବିନେଟ ପାହ୍ୟାକୁ ପଦୋନ୍ନତି ମିଳିଛି । ପେଷାରେ ଚାଟାର୍ଡ ଆକାଉଣ୍ଟାଣ୍ଟ ଥିବା ପିୟୁସ ପୂର୍ବରୁ ଶକ୍ତି ବିଭାଗ ଦାଇତ୍ୱରେ ଥିଲେ । ସୋଲାର ପ୍ୟାନେଲ ନିର୍ମାଣ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୁମିକା ନେଇ ମୋଦିଙ୍କ ଗୁଡବୁକରେ ରହିଥିଲେ ଗୋଏଲ ।

ପିୟୁସ ଗୋଏଲଙ୍କ ପରେ ନିର୍ମଳା ସୀତାରମଣ ଶପଥ ନେବାକୁ ଆସିଥିଲେ । ପୂର୍ବରୁ ବାଣିଜ୍ୟ ଓ ଉଦ୍ୟାଗ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଥିବା ନିର୍ମଳାଙ୍କୁ କ୍ୟାବିନେଟ ପାହ୍ୟା ମିଳିଛି । ସେ କର୍ଣ୍ଣାଟକରୁ ରାଜ୍ୟସଭା ସାଂସଦ ଥିବା ବେଳେ ୨୦୦୮ରେ ସେ ବିଜେପିକୁ ଆସିଥିଲେ ।

ଏହା ପରେ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଥିଲେ ମୁଖତାର ଆବାସ ନକବୀ । ଅଟଳ ବିହାରୀ ପାଜପେୟୀ ସରକାରରେ ସୂଚନା ପ୍ରସାରଣ ମନ୍ତ୍ରୀ ଥିବା ନକଭୀ ମୋଦି କ୍ୟାବିନେଟରେ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ । ଏହାସହ ଏହି ୪ ରାଷ୍ଟ୍ରମନ୍ତ୍ରୀଙ୍କୁ କ୍ୟାବିନେଟ ପଦ ମିଳିଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଏହି ଚାରି ଜଣ ନିଜ ବିଭାଗର ଦାୟିତ୍ୱ ସହ ସାଙ୍ଗଠାନିକ କ୍ଷେତ୍ରରେ ମଧ୍ୟ ବେଶ ପାରଦର୍ଶିତା ଦେଖାଇଛନ୍ତି । ଯେଉଁଥିପାଇଁ ପ୍ରଧାନମନ୍ତ୍ରୀ ଏହି ଚାରି ଜଣଙ୍କୁ କ୍ୟାବିନେଟ ମନ୍ତ୍ରୀ ପଦ ଦେଇ ପୁରସ୍କୃତ କରିଛନ୍ତି ।

ଏହାଛଡା ନଅ ଜଣ ନୂଆ ରାଷ୍ଟ୍ରମନ୍ତ୍ରୀଙ୍କୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିଛି । ବିଭିନ୍ନ ରାଜ୍ୟରେ ନିର୍ବାଚନ ଆଗକୁ ଥିବା ବେଳେ ସାଙ୍ଗଠାନିକ ଦୃଷ୍ଟିରୁ ଏହି ୯ଜଣଙ୍କୁ ନିଜ ସହ ନେଇଛନ୍ତି ମୋଦି ।

ଶିବ ପ୍ରତାପ ଶୁକ୍ଳା : ରାଷ୍ଟ୍ରମନ୍ତ୍ରୀ ଭାବେ ପ୍ରଥମେ ଶପଥ ନେଇଥିଲେ ଶିବ ପ୍ରତାପ ଶୁକ୍ଳା । ଉତ୍ତରପ୍ରଦେଶର ରାଜ୍ୟସଭା ସାଂସଦ ଥିବା ଶିବପ୍ରତାପ ଗ୍ରାମୀଣ ବିକାଶରେ ପାରଦର୍ଶିତା ଦେଖାଇଛନ୍ତି । ୟୁପିରେ ଅନେକ ଦିନ ଧରି ମନ୍ତ୍ରୀ ଥିଲେ ସେ । କ୍ୟାବିନେଟରେ ନୂଆ ରାଷ୍ଟ୍ରମନ୍ତ୍ରୀ ହୋଇଛନ୍ତି ଶିବ । କୁହାଯାଉଛି କଲରାଜ ମିଶ୍ରଙ୍କ ସ୍ଥାନରେ ଜଣେ ବ୍ରାହ୍ମଣଙ୍କ ଆବଶ୍ୟକତାକୁ ପୁରଣ କରିଛନ୍ତି ସେ ।

ଅଶ୍ୱିନୀ କୁମାର ଚୌବେ : ଅନ୍ୟପଟେ ଅଶ୍ୱିନୀ କୁମାର ଚୌବେ ମଧ୍ୟ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଘରେ ଘରେ ଶୌଚାଳୟ ତିଆରି କରିବା ପାଇଁ ତାଙ୍କର ଅବଦାନ ରହିଛି । ସେ ବିହାର ବକ୍ସରରୁ ସାଂସଦ ଥିିବା ବେଳେ ମହାଦଳିତଙ୍କ ପାଇଁ ୧୧ ହଜାର ନିର୍ମାଣ କରିବାରେ ସହାୟତା କରିବାରେ ମୋଦି ଖୁସି ଥିଲେ ତାଙ୍କ ଉପରେ । ଜରୁରୀକାଳୀନ ସମୟରେ ମଧ୍ୟ ଅଶ୍ୱିନୀ ଜେଲ ଯାଇଥିଲେ ।

ଡାଃ ବିରେନ୍ଦ୍ରକୁମାର : ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଡାଃ ବିରେନ୍ଦ୍ରକୁମାର । ଦଳିତଙ୍କ ଉନ୍ନତି ପାଇଁ ତାଙ୍କର ମୁହିମ ରହିଛି । ଜାତିବାଦ ବିରୁଦ୍ଧରେ ତାଙ୍କର ଲଢ଼େଇ ପାଇଁ ସେ ଜଣାଶୁଣା । ମଧ୍ୟପ୍ରଦେଶ ଟିକମଗଢ଼ରୁ ସାଂସଦ ଥିବା ବିରେନ୍ଦ୍ର କୁମାର ଇକୋନୋମିକ୍ସ ରେ ଏମଏ, ଚାଇଲ୍ଡ ଲେବରରେ ପିଏଚଡି କରିଛନ୍ତି ।

ଅନନ୍ତ କୁମାର ହେଗଡେ : ସେହିପରି ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଅନନ୍ତ କୁମାର ହେଗଡେ । କର୍ଣ୍ଣାଟକର ଉତ୍ତର କନ୍ନଡରୁ ସେ ଲୋକସଭା ସାଂସଦ ରହିଛନ୍ତି । ଗ୍ରାମୀଣ ବିକାଶରେ ତାଙ୍କର ବେଶ ଅଭିଜ୍ଞତା ରହିଛି । ୫ଥର ଲୋକସଭା ସାଂସଦ ଭାବେ ନିର୍ବାଚିତ ହୋଇଥିବା ଅନନ୍ତ ୧୯୯୬ରେ କଂଗ୍ରେସକୁ ହରାଇଥିଲେ । ମାତ୍ର ୨୬ବର୍ଷ ବୟସରେ ସେ ସାଂସଦ ହୋଇଥିଲେ ୧୯୯୬ରେ । ଉତ୍ତରକନ୍ନଡରେ ବିଜେପି ଗଡକୁ ଅକ୍ଷୁର୍ଣ୍ଣ ରଖିବା ତାଙ୍କର ଦାୟିତ୍ୱ ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।

ରାଜକୁମାର ସିଂ : ନୂଆ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ରାଜକୁମାର ସିଂ । ସେ ୧୯୭୫ ବ୍ୟାଚର ବିହାର କ୍ୟାଡର ଆଏଏସ । ବିହାର ଆରାରୁ ସାଂସଦ ରହିଥିବା ବେଳେ ମନମୋହନ ସିଂ ସରକାରରେ ଗୃହ ସଚିବ ରହିଥିଲେ ରାଜକୁମାର । ସମସ୍ତିପୁରରେ ଆଡଭାଣୀଙ୍କୁ ଗିରଫ ସେ ଚର୍ଚ୍ଚାକୁ ଆସିଥିଲେ ।

ହରଦୀପ ସିଂ ପୁରୀ : ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ହରଦୀପ ସିଂ ପୁରୀ । ସେ ପୂର୍ବରୁ ସଂଯୁକ୍ତ ରାଷ୍ଟ୍ରରେ ରାଷ୍ଟ୍ରଦୂତ ଥିଲେ । ବ୍ରାଜିଲ ଓ ବ୍ରିଟେନରେ ରାଷ୍ଟ୍ରଦୂତ ଭାବେ ତାଙ୍କର ଅଭିଜ୍ଞତା ରହିଛି । ବିଦେଶ ନିତୀ ଓ ରାଷ୍ଟ୍ରୀୟ ସୁରକ୍ଷା ଉପରେ ମଧ୍ୟ ଅଭିଜ୍ଞତା ରହିଛି । ଆଡଭାଣି ଓ ଜେଟଲୀଙ୍କ ନିକଟତମ ଭାବେ ଜଣାଶୁଣା ହରଦୀପ ପୁରୀ ଏବେ ସାଂସଦ ନାହାଁନ୍ତି । ତେଣୁ ଆଗାମୀ ୬ମାସ ମଧ୍ୟରେ ତାଙ୍କୁ ସଂସଦକୁ ନିର୍ବାଚିତ ହେବାକୁ ପଡିବ । ଆଗାମୀ ଦିନରେ କିଛି ରାଜ୍ୟସଭା ପଦ ଖାଲି ହେଉଥିବାରୁ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇପାରନ୍ତିି ।

ଗଜେନ୍ଦ୍ର ସିଂହ ଶିଖାୱତ : ନୂଆ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଗଜେନ୍ଦ୍ର ସିଂହ ଶିଖାୱତ । ସୋସିଆଲ ମିଡିଆରେ ବେଶ ସକ୍ରିୟ ଥିବା ଗଜେନ୍ଦ୍ର ରାଜସ୍ଥାନ ଯୋଦପୁରରୁ ସାଂସଦ ରହିଛନ୍ତି । ସଂସଦର ସ୍ଥାୟୀ ସମିତିର ସଦସ୍ୟ ଭାବେ ତାଙ୍କର ଅଭିଜ୍ଞତା ରହିଛି । ସିଧାସାଦା ଜୀବନ ଜିଇଁବା ପାଇଁ ସେ ବେଶ ପରିଚିତ ।

ସତ୍ୟପାଲ ସିଂ : ସତ୍ୟପାଲ ସିଂ ମଧ୍ୟ ନୂଆ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଉତ୍ତର ପ୍ରଦେଶ ବାଗପାଟରୁ ସାଂସଦ ଥିବା ସତ୍ୟପାଲ ପୂର୍ବରୁ ମୁମ୍ବାଇ ପୁଲିସ କମିଶନର ଥିଲେ । ଏପରିକି ପୁନେ ଓ ନାଗପୁରରେ ବି ପୁଲିସ କମିଶନର ଥିଲେ ସେ । ତେବେ ମୋଦି ଲହରରେ ପ୍ରଥମ ସାଂସଦ ଭାବେ ସଂସଦକୁ ନିର୍ବାଚିତ ହୋଇଛନ୍ତି ସତ୍ୟପାଲ । ସେ ୧୯୮୦ ବ୍ୟାଚର ମହାରାଷ୍ଟ୍ର କ୍ୟାଡର ଆଇପିଏସ ।

ଅଲଫୋସ କନ୍ନାଥନନ : ମୋଦି କ୍ୟାବିନେଟରେ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତିି ଅଲଫୋସ କନ୍ନାଥନନ । ସାଂସଦ ନୁହଁନ୍ତିି ତଥାପି ତାଙ୍କୁ ମିଳିଛି ରାଷ୍ଟ୍ରମନ୍ତ୍ରୀ ପାହ୍ୟା ।୧୯୭୯ ବ୍ୟାଚର କେରଳ କ୍ୟାଡର ଏହି ଆଏଏସଙ୍କର ଦିଲ୍ଲୀର ବିକାଶରେ ବେଶ ଗୁରୁତ୍ୱପୂର୍ଣ୍ଣ ଭୁମିକା ରହିଛି । ସେ ଦିଲ୍ଲୀ ବିକାଶ ପ୍ରାଧିକରଣର ପୁବତର୍ନ ଅଧ୍ୟକ୍ଷ ଥିଲେ । ହରଦୀପ ସିଂ ପୁରୀଙ୍କ ଭଳି ଅଲଫୋସଙ୍କ ମଧ୍ୟ ଆଗାମୀ ୬ମାସ ମଧ୍ୟରେ ସଂସଦକୁ ନିର୍ବାଚିତ ହେବାକୁ ପଡିବ ।

କ୍ୟାବିନେଟରେ ୟୁପି ଓ ବିହାରକୁ ଗୁରୁତ୍ୱ ଦିଆଯାଇଛି । ବିହାରର ଆରାରୁ ଆରକେ ସିଂ ଓ ବକ୍ସରରୁ ଅଶ୍ୱିନୀ ଚୌବେ ମନ୍ତ୍ରୀ ହୋଇଛନ୍ତି । ସେହିପରି ୟୁପିରୁ ସତ୍ୟପାଲ ସିଂ, ଶିବପ୍ରତାପ ଶୁକ୍ଳା ବି କ୍ୟାବିନେଟରେ ସାମିଲ ହୋଇଛନ୍ତିି । କ୍ୟାବିନେଟ ଅଦଳବଦଳରେ ସବୁ ରାଜ୍ୟକୁ ନଜରରେ ରଖାଯାଇଥିବା ଦେଖାଯାଇଛି । ମଧ୍ୟପ୍ରଦେଶ, ରାଜସ୍ଥାନ, କର୍ଣ୍ଣାଟକ, କେରଳ ଓ ଦିଲ୍ଲୀରୁ ଜଣେ ଜଣେ ସାମିଲ ହୋଇଛନ୍ତି । ତେବେ ଏହି କ୍ୟାବିନେଟ ବିସ୍ତାରେ ସ୍ଥାନ ପାଇଥିବା ୯ଜଣ ନୁଆ ମୁହଁ ମଧ୍ୟରୁ ୪ଜଣ ପୂର୍ବତନ ପ୍ରଶାସନିକ ଅଧିକାରୀ ।