ବିଜେପୁର ବାଜି ଜିତିବା ପାଇଁ… । ୪ ଜଣିଆ କମିଟି ଗଠନ କଲେ ବିଜେଡି ସୁପ୍ରିମୋ, ଆସନ୍ତାକାଲି ଉପ-ନିର୍ବାଚନ ପାଇଁ ହୋଇପାରେ ତାରିଖ ଘୋଷଣା ।

624

କନକ ବ୍ୟୁରୋ : ବିଜେପୁର ଉପ-ନିର୍ବାଚନ ପାଇଁ ବିଜେଡି ଶିବିର ଚଳଚଞ୍ଚଳ । ଉପ-ନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ତାରିଖ ଘୋଷଣା ହୋଇନଥିଲେ ମଧ୍ୟ ପୁଣିଥରେ ବିଜେପୁର ଦଖଲ ପାଇଁ ବିଜେଡି ଆରମ୍ଭ କରିଛି ଅଙ୍କକଷା । ଆଉ ଏଥିପାଇଁ ୪ ଜଣିଆ କମିଟି ଗଠନ କରିଛନ୍ତି ଖୋଦ୍ ଦଳର ମୁଖିଆ ନବୀନ ପଟ୍ଟନାୟକ । ନିରଞ୍ଜନ ପୂଜାରୀ ଓ ସଞ୍ଜୟ ଦାସବର୍ମାଙ୍କ ଭଳି ଅଭିଜ୍ଞ ନେତାଙ୍କ ସହ ପଶ୍ଚିମ ଓଡ଼ିଶାର ଦୁଇ ଟାଣୁଆ ନେତା କଳିକେଶ ନାରାୟଣ ସିଂହଦେଓ ଓ ସୁଶାନ୍ତ ସିଂଙ୍କୁ ଏହି କମିଟିରେ ସାମିଲ କରିଛନ୍ତି ନବୀନ ।

ଗତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ଆସନ ସହ ହିଞ୍ଜଳି ଆସନରୁ ଲଢିଥିଲେ । ଆଉ ୨ଟି ଆସନରେ ବାଜି ମାରିଥିଲେ ବିଜେଡି ସୁପ୍ରିମୋ । ତେବେ ପରବର୍ତ୍ତୀ ସମୟରେ ହିଞ୍ଜିଳି ଆସନ ରଖି ବିଜେପୁର ଆସନ ଛାଡିଥିଲେ ନବୀନ । ଆଉ ଏହାପରେ ବିଜେପୁର ଆସନ ଫାଙ୍କା ପଡିଛି । ଏସବୁ ଭିତରେ ଆସନ୍ତାକାଲି ବିଜେପୁର ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି ।

ପୂର୍ବରୁ କଂଗ୍ରେସର ଗଡ ରହି ଆସିଥିବା ବିଜେପୁର ଆସନକୁ ଗତ ୨ଟି ନିର୍ବାଚନରେ ଦଖଲ କରିଛି ବିଜେଡି । କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ଦେହାନ୍ତ ପରେ ତାଙ୍କ ପତ୍ନୀ ରୀତା ସାହୁଙ୍କୁ ପ୍ରାର୍ଥୀ କରି ଏହି ଆସନକୁ ପ୍ରଥମ ଥର ହାତେଇଥିଲା ବିଜେଡି । ଆଉ ଏହାପରେ ୨୦୧୯ ସାଧାରଣ ନିର୍ବାଚନରେ ଖୋଦ୍ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେପୁର ମୈଦାନକୁ ପ୍ରାର୍ଥୀ ହୋଇ ଓହ୍ଲାଇଥିଲେ । ଦ୍ୱିତୀୟ ଥର ପାଇଁ ଏହି ଆସନରେ ସବୁଜ ବାନା ଉଡାଇଥିଲା ବିଜେଡି । ଆଉ ଏସବୁ ଭିତରେ ବିଜୟର ହ୍ୟାଟ୍ରିକ ପାଇଁ ଦଳ ଏବେଠୁ ପ୍ରସ୍ତୁତି ଆରମ୍ଭ କରିଛି ।