ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ ବଢୁଛି ଉତ୍କଣ୍ଠା ! ୨୫ ହଜାର ଟିକେଟ୍ ପାଇଁ ଆବେଦନ କଲେଣି ୪ ଲକ୍ଷରୁ ଅଧିକ ଦର୍ଶକ ।

213

କନକ ବ୍ୟୁରୋ : ପୁଲୱାମା ଆତଙ୍କବାଦୀ ଆକ୍ରମଣ, ସାରା ଭାରତକୁ ଦୋହଲାଇ ଦେଇଥିବା ବେଳେ, ପାକିସ୍ତାନ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏବଂ ବଦଲା ନେବା ପାଇଁ ଏବେ ସବୁଆଡେ ଦାବି ହେଉଛି । ଏପରିକି ଅନ୍ତରାଷ୍ଟ୍ରୀୟ ସ୍ତରରେ ପାକିସ୍ତାନକୁ ଏକଘରକିଆ କରିବା ପାଇଁ ମଧ୍ୟ ପ୍ରୟାସ ଚାଲିଛି । ତେବେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଏହି ଆକ୍ରୋଶର ନିଆଁ ମଧ୍ୟରେ ସମସ୍ତଙ୍କ ନଜର ଆସନ୍ତା ଜୁନ ମାସ ୧୬ ତାରିଖକୁ । ଯେତେବେଳେ ଦୁଇ ଦେଶ ମଧ୍ୟରେ ହେବ ସିଧାସଳଖ ଲଢେଇ ।

୨୦୧୯ କ୍ରିକେଟ୍ ବିଶ୍ୱକପରେ ଜୁନ ୧୬ ତାରିଖରେ ମୁହାଁମୁହିଁ ହେବେ ଦୁଇ ପ୍ରମୁଖ ପାରମ୍ପରିକ ପ୍ରତିଦ୍ୱନ୍ଦି ଦଳ ଭାରତ ଏବଂ ପାକିସ୍ତାନ । ତେବେ ଏହି ମ୍ୟାଚକୁ ବାତିଲ କରିବା ପାଇଁ ଅନେକାଂଶରେ ଦାବି ହେଉଥିବା ବେଳେ ଏହି ମ୍ୟାଚ ଦେଖିବା ପାଇଁ ମଧ୍ୟ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବଢିଚାଲିଛି । ଇଂଲଣ୍ଡର ମାଞ୍ଚେଷ୍ଟରରେ ଏହି ମ୍ୟାଚ ଖେଳାଯିବ । ଏହି ଷ୍ଟାଡିୟମରେ ୨୫୦୦୦ ଦର୍ଶକଙ୍କ କ୍ଷମତା ରହିଥିବା ବେଳେ ଟିକେଟ୍ ପାଇଁ ୪ ଲକ୍ଷରୁ ଅଧିକ ଲୋକ ଆବେଦନ କରିଛନ୍ତି । ଗୋଟିଏ ପଟେ ଏହି ମ୍ୟାଚ ବାତିଲ କରିବା ପାଇଁ ଆଇସିସି ଉପରେ ଜୋର ଲଦାଯାଉଛି ସତ, କିନ୍ତୁ ଯଦି ଏହି ମ୍ୟାଚ ଖେଳାଯାଏ, ତେବେ ଏହା କେବଳ ସାଧାରଣ କ୍ରିକେଟ୍ ମ୍ୟାଚ ହେବ ନାହିଁ, ବରଂ ଦୁଇ ଦେଶ ମଧ୍ୟରେ କଡା ଲଢେଇ ହେବ ।

Comments are closed.